ମହୁମାଛି ଆକ୍ରମଣରେ ୨ ଭାଇ ମୃତ, ୨ ଗୁରୁତର

ଗାଁକୁ ଗଲା ୧୦୮, ବିଳମ୍ବ କହି ରୋଗୀଙ୍କୁ ନଆଣି ଚାଲି ଆସିଲା

ଲାଞ୍ଜିଗଡ଼: ମହୁମାଛି ଆକ୍ରମଣରେ ୭ ଜଣ ଯୁବକ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ୨ଜଣ ଗୁରୁତର ହୋଇ ପଡିଥିବା ବେଳ ଜଣଙ୍କୁ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଚାରିଜଣ ସାମାନ୍ୟ ଆହତ ହୋଇଛନ୍ତି।ଘଟଣାଟି ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୁରୁତର ରୋଗୀ ଅର୍ଥ ଅଭାବ ଯୋଗୁଁ ହସ୍ପିଟାଲକୁ ଚିକିତ୍ସା ପାଇଁ ନଆସି ଘରେ ଥିବା ଜଣାପଡିଛି। ଅନ୍ୟ ପଟେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବା ପାଇଁ ଯାଇଥିଲା। କିନ୍ତୁ ସେମାନେ କିଛିଖାଦ୍ୟ ଖାଇ ଆସିବୁ ଟିକେ ଅପେକ୍ଷା କର ବୋଲି କହିଥିବା ଯୋଗୁଁ ଛାଡି ଚାଲି ଯାଇଥିଲା ବୋଲି ଗ୍ରାମର ୱାଡ଼ ମେମ୍ବର ଲାଇ ମାଝୀ ପ୍ରକାଶ କରିଛନ୍ତି।

ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଦୁର୍ଗମ କୁଲାନାଳ ଗାଁରେ ଅର୍ଦ୍ଧାଧିକ ଲୋକେ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଥାନ୍ତି। ଘଟଣାଦିନ ଗାଁର ଦଶ ଜଣ ବ୍ୟକ୍ତି ଜଙ୍ଗଲକୁ କାଠ କାଟିବାକୁ ଯାଇଥିବା ବେଳେ ହଠାତ ଏକ ମହୁମାଛି ବସା ସଂସ୍ପର୍ଶରେ ଆସିଯାଇଥିଲେ। ସଂଘବନ୍ଧ ଭାବେ ମହୁମାଛି ଆକ୍ରମଣ କରିବାରୁ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଗାଁ ଲୋକେ ତାଙ୍କୁ ଘରକୁ ବୋହି ଆଣିଥିବା ବେଳେ ଦିନକ ପରେ ଗୁରୁତର ଅବସ୍ଥାରେ ଘାସି ମାଝୀ(୨୩) ଓ ପୁଣି ଦିନକ ପରେ ଡମେ ମାଝୀ(୨୭) ଦୁଇ ଭାଇଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଗାଁର ନାରନ ମାଝୀ ଓ କବି ମାଝୀ ଗୁରୁତର ଥିବା ବେଳେ ମୂଷାନାଳର ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା କୁଲାନାଳ ଗାଁକୁ ଯାଇ କବିଙ୍କୁ ଏକ ବାଇକ ଯୋଗେ ବିଶ୍ୱନାଥପୁର ମେଡ଼ିକାଲକୁ ଆଣି ଭର୍ତ୍ତି କରିଥିଲେ।କବିଙ୍କ ଝାଡା, ପରିଶ୍ରା ନହେବା ଯୋଗୁଁ ପରେ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ନାରନ ଗୁରୁତର ଥିଲେ ମଧ୍ୟ ଗାଡିର ସୁବିଧା ନଥିବା ଯୋଗୁଁ କୁଲାନାଳ ଗାଁରେ ଅଛନ୍ତି।ଗ୍ରାମର ଅନ୍ୟ ୩ ଜଣ କଲ ମାଝୀ, ପଗୁ ମାଝୀ ଓ ମନ ମାଝୀଙ୍କୁ ସାମାନ୍ୟ ଆକ୍ରମଣ କରିଥିଲା ବେଳେ ସେମାନଙ୍କ ସାଙ୍ଗରେ ଥିବା ଲାଇ ମାଝୀ, କଦମୁ ମାଝୀ ଓ ଗୌର ମାଝୀ ମହୁମାଛି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ଜଣେ ଫାର୍ମାସିଷ୍ଟ ୨୭ ଗାଁକୁ ଯାଇ ସ୍ଥିତି ପରଖି ଲୋକଙ୍କୁ କୌଣସି ମେଡ଼ିସିନ ନ ଦେଇ ମେଡ଼ିକାଲ ଟିମ ଆସିବେ କହି ଫେରିଥିଲେ। କିନ୍ତୁ ଆସିବା ପରେ କୌଣସି ମେଡ଼ିକାଲ ଦଳ ଗାଁକୁ ଯାଇନଥିବା କୁଲାନାଳ ୱାଡ଼ ମେମ୍ବର ରାଇ ମାଝୀ ପ୍ରକାଶ କରିଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଉଚ୍ଚତର ଚିକିତ୍ସାର ଆବଶ୍ୟକ ଥିବା ବେଳେ ସେ ଗାଁରେ ହିଁ ଅଛନ୍ତି। ଏନେଇ ଲାଞ୍ଜିଗଡ଼ ମେଡ଼ିକାଲ ଅଫିସର ଡ଼ା. ବେଣୁଧର ରାଉତଙ୍କୁ ପଚାରିବାରୁ ବର୍ତ୍ତମାନ ଅନ୍ୟ ମାନେ ଠିକ୍ ଅଛନ୍ତି। ଜଣେ ଗୁରୁତର ଥିବାରୁ ତାକୁ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ପଠାଯାଇଥିବା ପ୍ରକାଶ କରିଥିଲେ।ଅପରପକ୍ଷେ ମୃତ ଘାସି, ଡମେଙ୍କ ସମେତ ୪ ଜଣ ଯାକ ବ୍ୟକ୍ତି ଗରିବଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.