ରାଂଚି-ବିଜୟୱାଡା କରିଡରର ଥେରୁବାଲି-ବିଷମକଟକ ମୁଖ୍ୟ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡି ରହିଥିବା ବେଳେ ଥେରୁବାଲିରୁ ଅମ୍ଳାଭଟ୍ଟା ମଧ୍ୟରେ ଟ୍ରାଫିକ୍ ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇ ମୁଣ୍ଡ ଟେକୁଛି । ଥେରୁବାଲି-ଅମ୍ଳାଭଟ୍ଟା ମୁଖ୍ୟ ରାସ୍ତାରେ ଶତାଧିକ ମାଲବାହୀ ଓ ଭାରିଯାନ ଅଟକି ରହିଥିବା ଫଳରେ ଦୀର୍ଘ ଘଂଟା ଧରି ରାସ୍ତାର ଉଭୟ ପଟ ଓ ମଝିରେ ମାଲବାହୀ ଓ ଭାରିଯାନ ସମେତ ଯାତ୍ରିବାହୀ ବସ ଓ ଅଟୋରିକ୍ସା ଆଦି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ଏହି ସମୟରେ ସାଇରନ ଦେଇ ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ରାସ୍ତା ନ ମିଳିବାରୁ ବାଧ୍ୟ ହୋଇ ଆମ୍ବୁଲାନ୍ସ ମଧ୍ୟ ଦୀର୍ଘ ଘଂଟା ଧରି ସେଠାରେ ଫସି ରହିଥିଲା । ମିଳିଥିବା ସୂଚନା ପ୍ରକାରେ ୧୦୮ ଆମ୍ବଲାନ୍ସଟି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୦ଟା ୩୫ମିନିଟ୍ ସମୟରେ ରାମ ବାଗ(୫୨) ନାମକ ଜଣେ ରୋଗୀଙ୍କୁ ନେଇ ରାୟଗଡ ଜିଲ୍ଳ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସୁଥିଲା । ଏହି ସମୟରେ ଚାଟିକଣାରୁ ଥେରୁବାଲି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଧୀରେ ଧୀରେ କରି ଆସୁଥିବା ବେଳେ ଉକ୍ତ ରାସ୍ତାରେ ମଧ୍ୟ ଟ୍ରାଫିକ୍ ସମସ୍ୟାରେ ଅନେକ ସ୍ଥାନରେ ଫସି ରହିଥିଲା ।
ପରେ ଥେରୁବାଲି-ଅମ୍ଳାଭଟ୍ଟା ରାସ୍ତା ଭଲ ରହିଥିବା ବେଳେ ପୁଣି ଥରେ ଗୁନାଖାଲ ଛକ ନିକଟରେ ରାସ୍ତା ଜାମ ଯୋଗୁଁ ଦୀର୍ଘ ଅଧ ଘଂଟାରୁ ଅଧିକ ସମୟ ଅଟକି ରହିଥବା ନେଇ ଡ୍ରାଇଭର ମନୋରଂଜନ କର ପ୍ରକାଶ କରିଛନ୍ତି । ପୂର୍ବରୁ ରାସ୍ତା ଅବସ୍ଥା ଭଲ ରହିଥିବାରୁ ରୋଗୀଙ୍କୁ ନେଇ ରାୟଗଡକୁ ଆସିବା ପାଇଁ ମାତ୍ର ଘଂଟାଏରୁ ଦେଢ ଘଂଟା ସମୟ ଲାଗୁଥିବା ବେଳେ ଏବେ ରାସ୍ତା ଅବସ୍ଥା ଓ ଟ୍ରାଫିକ୍ ସମସ୍ୟା ଯୋଗୁଁ ତିନି ଘଂଟ।।ରୁ ଅଧିକ ସମୟ ରାୟଗଡ ପଂହଚିବାକୁ ଲାଗୁଛି ବୋଲି କହିଛନ୍ତି ।
ପ୍ରକାଶ ଥାଉ କି,ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହର ଦେଇ ଯାଉଥିବା ମାଲବାହୀ ଓ ଭାରିଯାନ ଚଳାଚଳ ଉପରେ ପୋଲିସ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ସକାଳ ୭ଟାରୁ ନେଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ପୁଣି ଅପରାହ୍ନ ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ଫଳରେ ଅମ୍ଳାଭଟ୍ଟାରୁ ଥେରୁବାଲି କିମ୍ବା ଥେରୁବାଲିରୁ ଅମ୍ଳାଭଟ୍ଟା ମଧ୍ୟରେ ଏକ ପ୍ରକାର ୱାନ ୱେ ରାସ୍ତା ହୋଇଯାଉଛି । ଫଳରେ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସଠିକ୍ ପରିଚାଳନା ପାଇଁ ସ୍ଥାନୀୟ ଅଂଚଳରେ ଦାବି ଉଠୁଥିବା ଶୁଣିବାକୁ ମିଳୁଛି ।
ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in