ନଷ୍ଟ ହେବାରେ ଲାଗିଛି ଲକ୍ଷାଧିକ ଟଙ୍କାର ସିସିଟିଭି ଓ ଯନ୍ତ୍ରାଂଶ

ରାୟଗଡ ସହରରେ ସିସିଟିଭି ବ୍ୟବସ୍ଥା ସହରବାସୀଙ୍କ କାମରେ ଆସୁନି

ରାୟଗଡ: ଦୀର୍ଘ ୩ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ ରାୟଗଡ ସହରରେ ଅବସ୍ଥାପିତ ସିସିଟିଭି ବ୍ୟବସ୍ଥା । ଫଳରେ ଲକ୍ଷାଧିକ ଟଙ୍କାର ସିସିଟିଭ ଓ ଯନ୍ତ୍ରାଂଶଗୁଡିକ ନଷ୍ଟ ହେବାକୁ ବସିଲାଣି । ତଥାପି ଏ ଦିଗରେ ଜିଲ୍ଳା ଓ ପୋଲିସ ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନ କରୁଥିବାରୁ କାହା ପାଇଁ ଏହି ବ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାୟଗଡ ସହରରେ ବୃଦ୍ଧି ପାଉଥିବା ଚୋରି, ଡକାୟତି, ଲୁଟ୍ ଆଦି ଅପରାଧକୁ ରୋକିବା ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ଓ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲ୍ଳା ଇନୋଭେସନ୍ ଫଣ୍ଡରୁ ୨ କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାରା ସହରକୁ କ୍ଳୋଜ ସାର୍କିଟ୍ କ୍ୟାମେରା ସର୍ଭିଲେନ୍ସ (ସିିସିଟିଭି) ଜରିଆରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସହରର ପ୍ରମୁଖ ସ୍ଥାନଗୁଡିକରେ ସିସିଟିଭି ଲଗାଯିବା ପାଇଁ ଯୋଜନା କରାଯାଇଥିଲା ।


ସୂଚନାଯୋଗ୍ୟ ଯେ, ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ଗତ ୨୦୧୭ ମସିହାରେ ସହରରେ ସିିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଳା ପୋଲିସ, ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ରାୟଗଡା ସହ ଅନ୍ୟାନ୍ୟ କିଛି ବିଭାଗର ମିଳିତରେ ବୈଠକ କରାଯାଇଥିଲା । ବୈଠକରେ ଏଥି ନିମିତ ସମସ୍ତ ବ୍ୟୟ ବରାଦର ଯୋଜନା କରାଯାଇ ନିଷ୍ପତି ପରେ ଡିପିଏମୟୁ ବିଭାଗ ପକ୍ଷରୁ ଜିଲ୍ଳା ଇନୋଭେସନ୍ ଫଣ୍ଡ ମାଧ୍ୟମରେ ୨କୋଟି ୭୦ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ସ୍ଥିର ହେବା ପରେ ଏହାକୁ ସଫଳ ରୂପାୟନ କରିବା ଦିଗରେ ଆଇଟିଡିଏ ପକ୍ଷରୁ ୨୦୧୭ ମସିହା ଜୁଲାଇ ୪ତାରିଖ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି ଟେଣ୍ଡରରେ ମୁମ୍ବାଇ’ର ସ୍ୱାତୀ ସେକ୍ୟୁର ଇକ୍ୱିପ୍‌ମେଂଟ ପ୍ରାଇଭେଟ୍ ଲିମିଟେଡ୍ ଘରୋଇ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଥିବାରୁ ଗତ ୨୦୧୭ ମସିହା ଜୁଲାଇ ୨୪ ତାରିଖରେ ଆଇଟିଡିଏ ଚିଠି ସଂଖ୍ୟା ୨୮୪୭ରେ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସଂସ୍ଥା ପକ୍ଷରୁ ୩୫ ଲକ୍ଷ ୨୬ହଜାର ୧୭ ଟଙ୍କା ବ୍ୟୟରେ ସହରର ରାୟଗଡ ପୋଲିସ ଷ୍ଟେସନ, ଗ୍ରାମାଂଚଳ ପୀତାମହଲ ରାସ୍ତା, ଫରେଷ୍ଟ ଅଫିସ ପାଖ କୋରାପୁଟ ଗେଟ୍, ଜେକେପୁର ରାସ୍ତା ଭାକୁରଗୁଡା, ମା ମଝିଘରିଆଣୀ ମନ୍ଦିର ସମ୍ମୁଖ, ରଥ ରୋଡ ଛକ, କୋରାପୁଟ ଛକ, ଶାସ୍ତ୍ରୀନଗର ଛକ, ଶିରିକଣା ଛକ ଓ କୋତାପେଟା ଛକ ଆଦି ୧୦ଟି ପ୍ରମୁଖ ସ୍ଥାନଗୁଡିକ ଅଂଚଳରେ ଗୋଟିଏ ସ୍ଥାନରେ ୨ଟି ଲେଖାଁଏ ସମୁଦାୟ ୨୦ଟି ସିସିଟିଭି କ୍ୟାମେରା ସ୍ଥାପନା କରାଯାଇଥିଲା । ଏବଂ ସମସ୍ତ ସିସିଟିଭିକୁ ପରିଚାଳନା କରିବା ପାଇଁ ରାୟଗଡ ଥାନାର ପ୍ରଥମ ମହଲାର ଏକ କୋଠାରୀରେ ଏହାର କଂଟ୍ରୋଲ ରୁମ୍ କରାଯାଇଥିଲା ।


ସେଠାରେ ବଡ ବଡ ଦୁଇଟି ଏଲସିଡି ଓ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକ ରଖାଯାଇ ସଂସ୍ଥା ପକ୍ଷରୁ ୨୦୧୭ ମସିହା ଅକ୍ଟୋବର ୧୨ ତାରିଖରେ ଏହାର ସମସ୍ତ କାର୍ଯ୍ୟ ଶେଷ କରାଯାଇଥିଲା । ଏ ନେଇ କଂଟ୍ରୋଲ ରୁମକୁ ପରିଚାଳନା ନିମନ୍ତେ କିଛି ପୋଲିସ କର୍ମଚାରୀଙ୍କୁ ଏଥି ନିମନ୍ତେ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ନା ପୋଲିସ ନା ଜନସାଧାରଣଙ୍କ ହିତରେ ଆସି ପାରୁଛି ଏହି ବ୍ୟବସ୍ଥା ଫଳରେ ଦୀର୍ଘ ୩ ବର୍ଷ ହେଲାଣି ଖୁଂଟରେ ଝୁଲୁଛି ସିସିଟିଭି । ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଥିଲେ ବହୁ ଅପରାଧକୁ ରୋକିବାରେ ଏବଂ ଟ୍ରାଫିକ୍ ନିମୟକୁ ଉଂଲଘନ କରୁଥିବା ଖିଲାପକାରୀଙ୍କୁ ପୋଲିସ ଧରିବାରେ ସଫଳ ହୋଇପାରିଥାନ୍ତା ଏବଂ ଅପରାଧ ନିୟନ୍ତ୍ରଣ ହୋଇଥିଲେ ସହରବାସୀ ମଧ୍ୟ ନିଜକୁ ସୁରକ୍ଷିତ ମନେ କରିଥାନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ତେବେ ଏହି ସିସିଟିଭି ବ୍ୟବସ୍ଥା କେବେ ସହରବାସୀଙ୍କ କାର୍ଯ୍ୟରେ ଆସିବ ବୋଲି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.