ନୂଆ ବର୍ଷର ପିକନିକ୍ ପ୍ଲାନିଙ୍ଗ କରୁଛନ୍ତି କି? ଆସନ୍ତୁ ଏକ ନିଆରା ସ୍ଥାନ ଗଦଗଦାକୁ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ବିମଣ୍ଡିତା ରାୟଗଡା ଜିଲ୍ଲାରେ ଅନେକ ପିକନିକ ସ୍ପଟ ରହିଛି ସେଥି ମଧ୍ୟରୁ ଗଦଗଦା ଜଳପ୍ରପାତ ଅନ୍ୟତମ। ନୂଆ ବର୍ଷ ଆସିଲେ ଏଠାକୁ ବିଭିନ୍ନ ପ୍ରାନ୍ତରୁ ଛୁଟି ଆସନ୍ତି ପର୍ଯ୍ୟଟକ। ଏହି ସ୍ଥାନରେ ସବୁଜିମା ସାଙ୍ଗକୁ ଚତୁର୍ଦିଗର ସୁଉଚ୍ଚ ପାହାଡ଼ ଏବଂ ଘଞ୍ଚ ଅରଣ୍ୟ ପର୍ଯ୍ୟଟକଙ୍କ ଚିତ୍ତ ହରଣ କରିଥାଏ। ତେବେ ପରିତାପର ବିଷୟ ଏହିକି ଜିଲ୍ଲାର ଅନେକ ପର୍ଯ୍ୟଟନ କ୍ଷେତ୍ରର ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ।


ଏମିତି ଏକ ଅବହେଳିତ ପର୍ଯ୍ୟଟନସ୍ଥଳୀ ହେଉଛି ଗୁଣପୁର ଉପଖଣ୍ଡ ଅଧିନସ୍ଥ ରାମନାଗୁଡା ବ୍ଲକ ଅନ୍ତର୍ଗତ ପେନ କାମ ପଞ୍ଚାୟତ ନିକଟ ତାମିଙ୍ଗି ଗ୍ରାମ ନିକଟସ୍ଥ ଗଦଗଦା ଜଳପ୍ରପାତ। ଏଠାରେ ବହି ଯାଉଛି ଏକ ନଈ, ସେହି ସ୍ଥାନ ଗଦଗଦା ନାମରେ ପ୍ରସିଦ୍ଧ। ଏଠାରେ ବିକାଶର ଚିହ୍ନବର୍ଣ ମଧ୍ୟ ନାହିଁ। କେଉଁ ଅନାଦିକାଳରୁ ତାମିଙ୍ଗି ଠାରେ ଏକ ନଈ ଗଦଗଦ ଶବ୍ଦ କରି ବହି ଯାଉଥିବାରୁ ଏହି ସ୍ଥଳକୁ ଗଦଗଦା ବୋଲି ମଧ୍ୟ କୁହାଯାଏ। ।ଏଠାରେ ଦେବଦେବ ମହାଦେବଙ୍କ ପୁଜାର୍ଚ୍ଚନା କରାଯାଇଥାଏ। ନଈ ମଧ୍ୟ ଭାଗରେ ନୀଳକଣ୍ଠେଶ୍ବର ମହାଦେବଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ବର୍ଷ ଶୀତ ଋତୁ ଆରମ୍ଭରେ ଏଠାକୁ ଲକ୍ଷାଧିକ ପର୍ଯ୍ୟଟକ ବୁଲିବା ଏବଂ ବଣଭୋଜି କରିବା ନିମନ୍ତେ ଆସିଥାନ୍ତି।


ପୂର୍ବତନ କୋରାପୁଟ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଗିରିଧର ଗମାଙ୍ଗଙ୍କ ଅମଳରେ ଯାହା ସେଠାରେ ପର୍ଯ୍ୟଟନ ସ୍ଥଳୀ ନିମନ୍ତେ ଓ ନିଳକଣ୍ଠେଶ୍ବର ମହାଦେବଙ୍କ ଦର୍ଶନ ନିମନ୍ତେ ପାହାଚ ନିର୍ମାଣ କରାଯାଇଥିଲା, ସେତିକିରେ ସୀମିତ ରହି ଯାଇଛି। ଏଠାରେ ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସି ମାନସିକ ରଖିଥାନ୍ତି। ମାନସିକ ପୁରଣ ହେଲାପରେ ପୂଜାର୍ଚ୍ଚନା କରି ମୁଣ୍ଡନ କରିଥାନ୍ତି। କେବଳ ମାନସିକ ଧାରି ନୁହଁ ଭକ୍ତମାନେ ବାରମାସ ସୋମାବାରରେ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି।

ହେଲେ ଏଠାରେ ପର୍ଯ୍ୟଟକ ରାତ୍ରୀ ରହିବା ପାଇଁ କୌଣସି ସୁବିଧା ନାହିଁ। ଦୁରଦୁରାନ୍ତରୁ ଆସିଥିବା ପର୍ଯ୍ୟଟକ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ରାତ୍ରୀ ସମୟରେ ତମ୍ବୁ ବାନ୍ଧି ରହି ପରଦିନ ବଣଭୋଜି କରନ୍ତି। ଏଣୁ ଜିଲ୍ଲା ସଂସ୍କୃତି ବିଭଗ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ତୁରନ୍ତ ଗଦଗଦା ଳକୁ ପର୍ଯ୍ୟଟନ ସ୍ଥଳୀ ସହ ପିକନିକ ସ୍ପଟ ର ମାନ୍ୟତା ଦେବା ସହ ଏଠାକାର କଳା ସ୍ଥାପତ୍ୟକୁ ବଞ୍ଚାଇ ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି। ତେବେ ସେ ଯାହାବି ହେଉ ଯଦି କେବେ ଗଦଗଦା ଆସିନାହାନ୍ତି ତେବେ ଏଥର ନୂଆବର୍ଷରେ ଆସନ୍ତୁ ଗଦଗଦା ଏବଂ ମନଭରି ଉପଭୋଗ କରନ୍ତୁ ଏହି ସ୍ଥାନର ନୈସର୍ଗିକ ଶୋଭା ସମ୍ଭାରକୁ।

ଉପସ୍ଥାପନା:
ଦିଲୀପ କୁମାର ପଣ୍ଡା
ରାମନାଗୁଡା ପ୍ରତିନିଧି, ଜିଲ୍ଲା: ରାୟଗଡା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.