SECC ତାଲିକାରେ ନାମ ନ ଥିବାରୁ ୫ ବର୍ଷ ହେଲା ଘର ପାଉନାହାନ୍ତି ଗ୍ରାମବାସୀ

ଅତିରିକ୍ତ ତାଳିକା କାର୍ଯ୍ୟକାରୀ ହେବ କେବେ ?

ପ୍ରଶାସନିକ ଭୁଲରେ ପେଷି ହେଉଛନ୍ତି ନିରୀହ ଗରିବ

କଳାହାଣ୍ଡି, (ନରୋତ୍ତମ ସେଲମା): ରାଜ୍ୟରେ କେହି ବାସହୀନ ରହିବେ ନାହିଁ କି କାହାର ମାଟି ଘର ରହିବ ନାହିଁ, ଗାଁ ରେ କେବଳ ରହିବ କୋଠାଘର । ଏଇ ନାରା ଆମ୍ଭେ ବାରମ୍ବାର ସରକାରଙ୍କ ଠାରୁ ଶୁଣୁଛୁ । ୨୦୧୧ ମସିହାରେ ହୋଇଥିବା ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା (ଏସ.ଇ.ସି.ସି.) ଆଧାରରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇଦେବା ପାଇଁ ରାଜ୍ୟ ସରକାର ୨୦୧୬ ମସିହାରୁ ପଦକ୍ଷେପ ନେଲେ । ଏଥିପାଇଁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନାମ ରାଜ୍ୟର ପ୍ରତ୍ୟେକ ପଂଚାୟତ କାନ୍ଥରେ ଲେଖାଯାଇଅଛି । ଚଳିତବର୍ଷ ସୁଦ୍ଧା ଏଇ ଯୋଗ୍ୟ ହିତାଧିକାରୀ ମାନେ ଘର ପାଇବା ପ୍ରାୟତଃ ସଂପୂର୍ଣ ହେବ ବୋଲି କୁହାଯାଉଛି । ପରବର୍ତୀ ସମୟରେ ବାଦ ପଡିଥିବା ଅନ୍ୟ ଆବେଦନକାରୀଙ୍କ ଆବେଦନ ଗୁଡିକ ଯାଂଚ କଲାପରେ ଏଡିସନାଲ ଲିଷ୍ଟ (ଅତିରିକ୍ତ ତାଲିକା) ମଧ୍ୟ ପ୍ରସ୍ତୁତ ହୋଇରହିଛି ।


ମୂଳ ତାଲିକା ଶେଷ ହେବାପରେ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି । କିନ୍ତୁ ବିଡମ୍ବନାର କଥା କର୍ଲାମୁଣ୍ଡା ବ୍ଳକର ଆଦିବାସୀ ବହୁଳ ବୁଢୀପଦର ଗ୍ରାମର କାହାର ବି ନାଁ ଏସ.ଇ.ସି.ସି ତାଲିକାରେ ନାହିଁ । ସରକାର ଯେତେବେଳେ ୨୦୧୬ ମସିହାରେ ଏଇ ତାଲିକା ଜାରୀ କଲେ ସେତେବେଳେ ବୁଢୀପଦର ଗ୍ରାମର ନାଁ ଗନ୍ଧ ନ ଥିଲା । ଅର୍ଥାତ ବୁଢୀପଦର ଗାଁ ତାଲିକା କେଉଁଠି ହଜିଯାଇଥିଲା । ଫଳରେ ପରବର୍ତୀ ସମୟରେ ଗ୍ରାମବାସୀ ଏନେଇ ବ୍ଳକ ଠାରୁ ଜିଲ୍ଲାସଦର, ସ୍ଥାନୀୟ ନେତା ଠାରୁ ବିଧାୟକ, ସାଂସଦ ଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଫଳଘର ଶୂନ୍ୟ ରହିଆସିଛି ।

କ୍ଷୁବ୍ଧ ଗ୍ରାମବାସୀ ଏକତ୍ରିତ ହୋଇ ପଲ୍ଲୀସଭା ବର୍ଜନ କରିବା ପରେ ପ୍ରଶାସନ ଆଉଥରେ ତଦାରଖ କରି ତାଲିକା ଦେବାପାଇଁ କହିଲେ । ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ହେଲେ ଏହା କାର୍ଯ୍ୟକାରୀ କରିବାକୁ ସରକାର ଏଯାବତ ପଦକ୍ଷେପ ନେଇନାହାନ୍ତି । ତେଣୁ ୫ ବର୍ଷ ହେଲା ଏଇ ଗାଁ ର ଜଣେ ବି ଲୋକ ପ୍ରଧାନମନ୍ତ୍ରୀ ଆବାସ ଘର ପାଇ ପାରି ନାହାନ୍ତି । ଏବେ ବି ଏଇ ଗାଁ ର ଅନେକ ଳୋକ ମାଟିର ତିଆରି ଘରେ କାଳାତିପାତ କରୁଛନ୍ତି । ଏଠି ବିକାଶର ଚିତ୍ର ନଗ୍ନତାର ପରିଚୟ ଦେଉଛି । କୋଠାଘରେ ରହିବାର ସ୍ୱପ୍ନ ଦେଖିଦେଖି କିଛି ବୃଦ୍ଧ ବୃଦ୍ଧା ଆଖି ବି ବୁଜିସାରିଲେଣି । ପ୍ରଶାସନିକ ତତ୍ପରତାର ଅଭାବ, ରାଜନୈତିକ ନେତା ମାନଙ୍କ ଇଚ୍ଛାଶକ୍ତିର ଅଭାବ ହେତୁ କର୍ମକୁ ଆଦରି ପଡି ରହିଛନ୍ତି ବୁଢୀପଦର ଗ୍ରାମବାସୀ ।


ଏଇ ଗ୍ରାମର ସତ୍ୟବତୀ ପାତ୍ର, କୁଂଜବନ ପାତ୍ର, ଘନଶ୍ୟାମ ପାତ୍ର, ଟଙ୍କଧର ଭୋଇ, ରାଜକିଶୋର ପାତ୍ର, ରୂପାଧର ଦଣ୍ଡସେନା, ମଦନା ନାଏକ, ଜବଦୁ ଭୋଇ, ଟିକେଶ୍ୱର ପାତ୍ର, ଶୁକ୍ରୁ ଭୋଇ, ଅରୁଣା ପାତ୍ର, କୁନ୍ତଳା ରଣା, ସୂର୍ଯ୍ୟମଣି ରଣା, କୁନୁ ଧରୁଆ, ନିଳାମ୍ବର ରଣା, ଯଦବୁ ପାତ୍ରଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀ ଝାଟିମାଟି ଘରେ ରହୁଥିଲେ ମଧ୍ୟ ଘର ପାଇ ପାରି ନାହାନ୍ତି । ସରକାରଙ୍କ ଆବାସ ଯୋଜନା ଏଇ ଗାଁ ପାଇଁ ସ୍ୱପ୍ନ ପାଲଟିଛି । ସତରେ କଣ ସେମାନେ ଘର ପାଇବେ ଏ କଥା ବିଶ୍ୱାସ କରିପାରୁନାହାନ୍ତି , କାରଣ ଗତ ୫ ବର୍ଷ ହେଲା ନେତା ଠାରୁ ପ୍ରଶାସନିକ ଅଧିକାରୀଙ୍କ ଯାଏ, ସମସ୍ତଙ୍କ ଠାରୁ କେବଳ ‘ଏଥର ହେବ’ ବୋଲି ଶୁଣି ଶୁଣି ସେମାନଙ୍କର ଭରସା ତୁଟିଗଲାଣି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.