ଆଜିଠାରୁ ଲାଗୁହେଲା ଶ୍ରୀମନ୍ଦିରରେ କଟକଣା, ମହାପ୍ରଭୁଙ୍କ ଦର୍ଶନ ପାଇଁ ମାନିବାକୁ ହେବ ଏହିସବୁ ନିୟମ

ପୁରୀ: କରୋନାର ଦ୍ବିତୀୟ ଲହର ଉଗ୍ରରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେବାୟତମାନଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଶ୍ରୀଲିଙ୍ଗରାଜ ମନ୍ଦିର ବନ୍ଦ ରହିଛି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ପ୍ରାନ୍ତରୁ ଜଗନ୍ନାଥ ଧାମକୁ ଭକ୍ତଙ୍କ ଆଗମନ ହେଉଥିବାବେଳେ ସଂକ୍ରମଣକୁ ରୋକିବା ପାଇଁ ସୋମବାରଠାରୁ କଟକଣା ଭିତରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେଉଛି। ରାଜ୍ୟ ବାହାର ଭକ୍ତଙ୍କ କ୍ଷେତ୍ରରେ ୯୬ ଘଣ୍ଟାର କୋଭିଡ୍‌ ଆର୍‌ଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ନଚେତ୍‌ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିବା ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଛି। ଭିତର କାଠ ପ୍ରବେଶ ନିଷେଧ କରାଯାଇ ଭକ୍ତଙ୍କୁ ବାହାର କାଠରୁ ଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ପାଇଁ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଯାଞ୍ଚ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ସ୍ବତନ୍ତ୍ର କିଓସ୍କ ଖୋଲାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ସେଡ୍‌ରେ ପ୍ରବେଶ ପୂର୍ବରୁ ଏହିଠାରେ ଭକ୍ତମାନେ ପରିଚୟପତ୍ର ଓ ଆବଶ୍ୟକ କାଗଜପତ୍ର ଦେଖାଇବେ। ନଚେତ୍‌ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବନାହିଁ। ଦର୍ଶନ ପୂର୍ବରୁ ଭକ୍ତମାନେ ପୂର୍ବଭଳି ସାନିଟାଇଜ୍‌ ହୋଇ ଯିବେ। ଓଡ଼ିଶା ଓ ଓଡ଼ିଶା ବାହାର ଭକ୍ତ ଚିହ୍ନଟ ପାଇଁ ଆଧାରକାର୍ଡ଼, ଭୋଟର୍‌ ପରିଚୟପତ୍ର ଆଦି ବାଧ୍ୟତାମୂଳକ କରାଯାଇଛି। ମାସ୍କ ଯାଞ୍ଚ କଡ଼ାକଡ଼ି ଉପରେ ଗୁରୁତ୍ବ ଦିଆଯାଇଛି। ପାନଛେପ, ପଲିଥିନ୍‌ ପାଇଁ ଯଥାକ୍ରମେ ୫ଶହ ଓ ଶହେ ଟଙ୍କ ଜରିମାନା ଆଦାୟ ନିଷ୍ପତ୍ତି ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଓ ସେବକଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହୋଇଛି। ଏହାସହ ଅପ୍ରେଲ ୨୪ ତାରିଖରୁ ସପ୍ତାହକୁ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.