କଳାହାଣ୍ଡିର ହଜାରହଜାର ଏକର ଜମିରେ ଆନ୍ଧ୍ର ଚାଷୀଙ୍କ ମାଲିକାନା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ହଜାର ହଜାର ଏକର ଜମି ଏବେ ଆନ୍ଧ୍ର ଚାଷୀଙ୍କ ମାଲିକାନାରେ। ଏଥିପାଇଁ ନିୟୋଜିତ ହୋଇଛନ୍ତି ଦଲାଲ। ସେମାନେ ନିରିହ ଚାଷୀମାନଙ୍କୁ ବୁଝେଇ ସୁଝେଇ ଜମି ବିକ୍ରି କରାଇ ଦେଉଛନ୍ତି। କମ ପଇସାରେ ସାଗ ମାଛ ଦରରେ ଜମି ପାଉଛି ଆନ୍ଧ୍ର ବେପାରୀ, ମୋଟା ଅଙ୍କ ପାଉଛି ଦଲାଲ। ଏପଟେ କଳାହାଣ୍ଡିଆ ଚାଷୀ ହାତରୁ ଖସିଯାଉଛି ସୁବର୍ଣ୍ଣ ଭୂମି। 

ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ଆନ୍ଧ୍ରର କବଜା ଓ ଦାଦାଗିରିକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ଆନ୍ଧ୍ରର ବଡବଡ ଚାଷୀ, ବେପାରୀମାନେ ଓଡିଶାର ଲକ୍ଷଲକ୍ଷ ଏକର ଜମି ନିଜ କବଜାକୁ ନେଇ ସାରିଲେଣି। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଅବ୍ୟବହୃତ ଜମିଗୁଡିକୁ ସେମାନେ ଅତି କମ୍ ଦାମ ଦେଇ କିଣି ନେଉଥିବାବେଳେ ସ୍ଥାନୀୟ ଦଲାଲମାନଙ୍କୁ ହାତ କରି ଅତି ସୁବିଧାରେ ରେଜିଷ୍ଟ୍ରେସନ ଓ ମ୍ୟୁଟେସନ୍ କରାଇ ନେଉଛନ୍ତି। ଏହିପରି ଭାବେ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଏକର ଜମିର ମାଲିକାନା ଏବେ ଆନ୍ଧ୍ର ବାସିନ୍ଦାଙ୍କ ହାତକୁ ଚାଲିଗଲାଣି। ଆନ୍ଧ୍ର ଚାଷୀ ଓ ବେପାରୀମାନଙ୍କ ଚକ୍ରାନ୍ତ ଯୋଗୁଁ ଜିଲ୍ଲାର ଚାଷୀମାନେ ଏବେ ଜମିହୀନ ହେବାରେ ଲାଗିଥିବାବେଳେ ଜମି ବିକାରୁ ମିଳିଥିବା ଟଙ୍କା ସରିଯିବା ପରେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଜମି ମରାମତି ଯୋଜନାରେ ଆନ୍ତରିକତାର ଅଭାବ ଓ ମନରେଗା ଯୋଜନାରେ ବିଳମ୍ବ ପାଉଣା ଯୋଗୁଁ ଏଠାକାର ଚାଷୀମାନେ ହତୋତ୍ସାହିତ ହୋଇ ପଡୁଥିବାବେଳେ ପଡିଆ ଜମିଗୁଡିକୁ ଏହି ଆନ୍ଧ୍ର ଚାଷୀ ଓ ବେପାରୀମାନଙ୍କ ହାତକୁ ଟେକି ଦେଉଥିବା ଜଣାପଡିଛି।

ସ୍ଥାନୀୟ ଚାଷୀ ଓ ଦଲାଲମାନଙ୍କ ଚତୁରତା ତଥା ଆନ୍ଧ୍ର ମାଲିକଙ୍କ ମଧ୍ୟରେ ଠିକ୍ ବୁଝାମଣା ଯୋଗୁଁ ତହସିଲଦାରମାନେ ଚାହିଁଲେ ବି କିଛି ପଦକ୍ଷେପ ନେଇପାରୁନାହାନ୍ତି। ଏହିପରି ଭାବେ ଲାଞ୍ଜିଗଡ, ନର୍ଲା, କେସିଙ୍ଗା, କର୍ଲାମୁଣ୍ଡା ଆଦି ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ଧ୍ର ବେପାରୀମାନେ ଜମି କିଣି ସାରିଥିବାବେଳେ ସେହି ଜମିରେ କାଜୁ, ନୀଳଗିରି, ଆମ୍ବ ସମେତ ଅନ୍ୟାନ୍ୟ ଅର୍ଥକରୀ ଫସଲ କରି ଲାଭବାନ ହେଉଛନ୍ତି। ଅପରପକ୍ଷରେ ସ୍ଥାନୀୟ ଚାଷୀମାନେ ସଠିକ୍ ମାର୍ଗଦର୍ଶନ ଓ ସରକାରୀ ସହାୟତାରେ ପାତରଅନ୍ତର ନୀତି ଯୋଗୁଁ ଚାଷ କରି ଲଗାତାର କ୍ଷତି ସହିବା ବଦଳରେ ବାହାର ରାଜ୍ୟର ଲୋକଙ୍କୁ ନିଜର ପଡିଆ ଜମି ସବୁ ବିକି ଦେଉଥିବା ଦେଖିବାକୁ ମିଳିଛି। ଏପରିକି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଭଳି ଲାଞ୍ଜିଗଡ ଓ ନର୍ଲା ବ୍ଲକର ବିଭିନ୍ନ ଅଞ୍ଚଳରେ ଦଲାଲମାନେ ଆନ୍ଧ୍ର ବେପାରୀଙ୍କଠାରୁ ଅଗ୍ରୀମ ନେଇ ଜମି ମାଲିକମାନଙ୍କୁ ଫୁସୁଲାଇ ଅଧିକ ଅର୍ଥର ଲୋଭ ଦେଖାଇ ଜମି ବିକ୍ରି ପାଇଁ ପ୍ରବର୍ତ୍ତାଉଛନ୍ତି। ଏହାସହିତ ଏକର ପିଛା କମିଶନ ହାତଉଥିବା ମଧ୍ୟ ଅଭିଯୋଗ ହୁଏ।

ଜମି କିଣିବା ପାଇଁ ଆନ୍ଧ୍ରର କେତେକ ଲୋକ ଆସି ନର୍ଲାରୋଡ ଓ ଭବାନୀପାଟଣା ଲଜ୍ ମାନଙ୍କରେ ମାସ ମାସ ଧରି ରହୁଛନ୍ତି। ସେଠାରେ ଦଲାଲମାନଙ୍କ ସହ ଯୋଗାଯୋଗ କରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜମି କିଣିବା ବ୍ୟବସ୍ଥା କରାଯାଉଛି। ଏପରିସ୍ଥଳେ ସୀମାନ୍ତ ଗ୍ରାମଗୁଡିକ ଭଳି ଓଡିଶା ସରକାର ରାଜ୍ୟ ଭିତରେ ଚାଲିଥିବା ଏହି ଜମି କିଣାବିକା ଉପରେ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ମନେ ହୁଏ। ନଚେତ୍ ଆଗାମୀ ଦିନରେ ଓଡିଶାର ସୀମାନ୍ତ ଭଳି ରାଜ୍ୟର ଜମିର ମାଲିକ ବି ଆନ୍ଧ୍ରର ଲୋକେ ପାଲଟିବେ ତଥା ଓଡିଶାର ଗରିବ, ଆଦିବାସୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଜମିହୀନ ହେବାରେ ବିଳମ୍ବ ଲାଗିବ ନାହିଁ। ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାହାର ରାଜ୍ୟର ଲୋକେ ଜମି କିଣିବାକୁ ନେଇ ଏକ ସ୍ୱତନ୍ତ୍ର ନୀତି ଲାଗୁ କରିବାର ସମୟ ଆସିଯାଇଛି ବୋଲି କୁହାଯାଇପାରେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.