ଶୁଣିଲାନି ପ୍ରଶାସନ: ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଲେ ରାକ୍ସି ଗ୍ରାମବାସୀ

କଳାହାଣ୍ଡି, ୧୯|୮ (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଭାନପୁର ଗ୍ରାମ ପଞ୍ଚାୟତର ଭାନପୁର- ରାକ୍ସି ରାସ୍ତା ମରଣ ଯନ୍ତା ପାଲଟିଛି । ଆଜି ସକାଲ ୮ ଘଣ୍ଟା ସମୟରୁ ରାକ୍ସି ଗ୍ରାମବାସୀ ଏକତ୍ରୀତ ହୋଇ ନିଜେ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ନର୍ଲା ବ୍ଲକ୍ର ୨୬ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ଭବାନୀପାଟଣା-ଭୂବନେଶ୍ୱର ରାଜରାସ୍ତା କଡରେ ରହିଛି ଭାନପୁର ଗ୍ରାମ ପଞ୍ଚାୟତ । ବଫଲା, ଭାନପୁର, କମେଗାଁ ଓ ରାକ୍ସୀ ଏହି ଚାରିଗୋଟି ଗ୍ରାମକୁ ନେଇ ଭାନପୁର ଗ୍ରାମ ପଞ୍ଚାୟତ ଗଠିତ ହୋଇଛି । ଭାନପୁର ଭିତର ଦେଇ ରାକ୍ସୀ ଗ୍ରାମକୁ ଯିବାକୁ ପଡିଥାଏ । ଭାନପୁର ଠାରୁ ଦେଢ କି.ମି. ରାସ୍ତା ରହିଛି ରାକ୍ସିର ଦୂରତା । ହେଲେ ସମିତି ଅଧିନରେ ରହିଥିବା ଏହି ରାସ୍ତା ଯୁଗ ଯୁଗ ଧରି ଶୋଚନୀୟ ହୋଇ ରହିଛି । ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ଏହାର ସ୍ଥିତି ସୁଧୁରି ନାହିଁ । ଏହି ରାସ୍ତାଟି ପ୍ରତି କୌଣସି ନେତା ମନ୍ତ୍ରୀଙ୍କ ନଜର ପଡୁନାହିଁ । ରାସ୍ତାଟି ଯଦି ୨୦୧୯ ନିର୍ବଚନ ଆଗରୁ ନିର୍ମାଣ କରାନଯାଏ ତା ହେଲେ ଗ୍ରାମବାସୀ ଭୋଟ୍ ବର୍ଜନ କରିବେ ବୋଲି ସେତେବେଳେ ନିଷ୍ପତି ନେବାପରେ ପ୍ରଶାସନ ତତ୍ପରତା ଦେଖାଇଥିଲା । ରାସ୍ତା ନିର୍ମାଣର ପ୍ରତିଶୃତି ମଧ୍ୟ ଦେଲା । ହେଲେ ସାଧାରଣ ନିର୍ବାଚନ ସରିଯିବା ପରେ ଯୋଉ କଥାକୁ ସେହି କଥା । ଗ୍ରାମବାସୀ ଓ ଭାନପୁର ଏହି ରାସ୍ତାଟି ଉପରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ୧୪/୧/୨୦୧୬ ରେ ଭାନପୁରର ତତ୍କାଳୀନ ସମିତି ସଦସ୍ୟ ତପନ ପଧାନ ବିଡିଓ ଅଫିସ୍ ସମ୍ମୁଖରେ ମହାତ୍ମା ଗାନ୍ଧୀ ଫଟୋଚିତ୍ର ଧରି ଏହି ରାସ୍ତା ନିର୍ମାଣ ପାଇଁ ଧାରଣାରେ ବସିଥିଲେ । ବ୍ଲକ୍ ପ୍ରଶାସନ ମାସଟେ ଭିତରେ ରାସ୍ତା ନିର୍ମାଣ କରିଦେବେ ବୋଲି ପ୍ରତିଶୃତି ଦେବା ପରେ ଶ୍ରୀ ପଧାନ ଧାରଣାରୁ ଓହରିଥିଲେ । ଏହାପରେ ପ୍ରଶାସନ ତରଫରୁ ପୁଣି ଠକି ଦିଆଯାଇଥିଲା । ଏହାପରେ ସମିତି ସଦସ୍ୟ ଶ୍ରୀ ପଧାନ ଭାନପୁର ଜନସାଧାରଣଙ୍କୁ ନେଇ ୨୦୧୬ ଅକ୍ଟୋବର ମାସରେ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଲେ । ତାପରେ ମଧ୍ୟ ପ୍ରତିଶୃତି ମିଳିଳା କିନ୍ତୁ ଫଳ ମିଳିଲା ନାହିଁ । ଆଗରୁ ବିଧାୟକ ଧନେଶ୍ୱର ମାଝୀ, ବିଧାୟକ ଭୁପିନ୍ଦର ସିଂ ମଧ୍ୟ ପାଞ୍ଚଲକ୍ଷ ଟଙ୍କା ଲେକାଏଁ ଅନୁଦାନ ହେଇଥିଲେ । ସେହି ଟଙ୍କାରେ ମେଟାଲ ମୁରୁମ ରାସ୍ତା ମଧ୍ୟ ନିର୍ମିତ ହୋଇଥିଲା । ହେଲେ ଦୀର୍ଘସ୍ଥାୟୀ ରାସ୍ତା ହୋଇ ନପାରିବାରୁ ବର୍ତ୍ତମାନ ରାସ୍ତାଟିର ଅବସ୍ଥା ସାଙ୍ଘାତିକ ହୋଇପଡିଛି । ଗତବର୍ଷ ମଧ୍ୟ ଉକ୍ତ ରାସ୍ତାଟିରେ ମେଟାଲ ମୁରୁମ ବିଛାଇ ଦିଆଗଲା ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଏଭଳି ଭାବରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଥରେ ଦୁଇଥର ମେଟାଲ ମୁରୁମ ପଡିଛି । ଏହାପରେ ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ । ନର୍ଲା ପଞ୍ଚାୟତ ସମିତି ତରଫରୁ ଭାନପୁର ଗ୍ରାମ ଶେଷ ମୁଣ୍ଡରୁ ଗତ ମାସେ ତଳେ ୧୦୦ ମିଟର କଂକ୍ରୀଟ ରାସ୍ତା ମଧ୍ୟ ନିର୍ମିତ ହୋଇଛି । ଏହା ପୂର୍ବରୁ ମଧ୍ୟ ନର୍ଲା ପଞ୍ଚାୟତ ସମିତି ତରଫରୁ କଂକ୍ରୀଟ ରାସ୍ତା ନିର୍ମିତ ହୋଇଥିଲା । ଏଭଳି ଭାବରେ ନର୍ଲା ପଞ୍ଚାୟତ ସମିତି ତରଫରୁ ୧୦ ଲକ୍ଷ ଟଙ୍କା ରାସ୍ତା ନିର୍ମାଣ ପାଇଁ ଅନୁଦାନ ରାଶି ପଡିଥିବା ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି । ହେଲେ ବାକି ୧ କି.ମି. ୩୦୦ ମିଟର ରାସ୍ତା କାଦୁଅ ପଙ୍କିଳ ହୋଇ ମରଣ ଯନ୍ତା ପାଲଟିଥିବାରୁ ଗ୍ରାମବାସୀଙ୍କ ଯାତାୟାତରେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଛି । ବାରମ୍ବାର ପ୍ରଶାସନକୁ କହିଲେ ମଧ୍ୟ ଶୁଣୁ ନଥିବାରୁ ଆଜି ରାକ୍ସି ଗ୍ରାମବାସୀ ଏକତ୍ରୀତ ହୋଇ ଉକ୍ତ କାଦୁଅ ପଙ୍କିଳ ରାସ୍ତାଟିକୁ ମୁରୁମ ଓ ପଥରଗୁଣ୍ଡ ପକାଇ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି । ରାସ୍ତାଟିରେ ବାରମ୍ବାର ଟ୍ରାକ୍ଟର ରାକ୍ସି ବାଲି ଗାଟରୁ ବାଲି ବୋହୁଥିବାରୁ ଏବଂ ରାସ୍ତା ଦୁଇକଡେ ରହିଥିବା ଧାନ ବିଲ ଗୁଡିକରୁ ଘାସ ବୁଦା ଓ କାଦୁଅ ପକାଇ ଦିଆଯାଉଥିବାରୁ ରାସ୍ତାଟି ଶ୍ରୀଘ୍ର ଖରାପ ହୋଇଯାଉଛି ବୋଲି ବିଭାଗୀୟ ଯନ୍ତ୍ରୀ ମହୋଦୟ ମତବ୍ୟକ୍ତ କରିବା ସହ ଏହାକୁ ମେଟାଲ ମୋରୁମ ନକରି କଂକ୍ରୀଟ କିମ୍ବା ପିଚୁ ରାସ୍ତା କରାଯାଏ ତା ହେଲେ ଏହା ଦୀର୍ଘସ୍ଥାୟି ହୋଇପାରିବ ବୋଲି କନିଷ୍ଠ ଯନ୍ତ୍ରି ବିଚିତ୍ରାନନ୍ଦ ନାଏକ ପ୍ରକାଶ କରିଛନ୍ତି । ଏହି ରାସ୍ତାଟି ପଞ୍ଚାୟତ ସମିତି ଅଧିନରେ ରହିଥିବାରୁ ଏହାର ନିର୍ମାଣ ବିଷୟରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତିଙ୍କ ମତାମତ ନେବାରୁ ଏହି ବର୍ଷା ସିଜନ ପରେ ପରେ ରାସ୍ତାଟିକୁ ସମ୍ପୂର୍ଣ୍ଣ ଭାବରେ କଂକ୍ରୀଟ ରାସ୍ତା କରିଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.