ଅସହାୟ ମହିଳାଙ୍କ ଟଙ୍କା ଖାଇଗଲେ ଅଧିକାରୀ !

● ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

● ଅସହାୟ ମହିଳା ବୋଲି ଜାଣିଶୁଣି ସରକାରୀ ଆବାସ ଟଙ୍କାର ହରିଲୁଟ କରିଥିବା ଅଭିଯୋଗ

● ଧନମତ ଙ୍କ ଘର ନାହିଁ, ଅନଲାଇନ ରେ ଦେଖାଉଛି ୧.୩୦ ଲକ୍ଷ ହୋଇଛି ଉଠାଣ

ନୂଆପଡା: ସଦର ବ୍ଲକ ବେଲଟୁକୁରି ଗାଁ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ହୋଇ ଥିବାର ଅଭିଯୋଗ ହୋଇଛି। ଧନମତ ସାହୁ (୭୦) ନାମକ ଜଣେ ଅସହାୟ ମହିଳାଙ୍କ ନାଁରେ ଆସିଥିବା ଆବାସ ଯୋଜନାର ଟଙ୍କାକୁ ସରକାରୀ ଅଧିକାରୀ ହରିଲୁଟ କରିଥିବାରୁ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅନଲାଇନରେ ଧନମତଙ୍କ ନାଁରେ ଆବାସ ଯୋଜନାରେ ଘର ଆସିଛି, କାମ ମଧ୍ୟ ସମ୍ପୂର୍ଣ ହୋଇଛି ଏବଂ ସବୁତକ ଟଙ୍କା ଉଠାଣ ମଧ୍ୟ ହୋଇଛି କିନ୍ତୁ ଧନମତ ସାହୁ ଆଜି ବି ଝାଟି ମାଟି ର ଏକ କୁଡ଼ିଆ ଘରେ ଆଶ୍ରୟ ନେଇ ରହୁଛନ୍ତି। ଧନମତଙ୍କ ନିଜର କହିଲେ କେହି ନାହାନ୍ତି। ସ୍ୱାମୀ ଆର ପାରି କି ଚାଲି ଯାଇଥିବା ବେଳେ ପୁଅ ଝିଅ ବି ନାହାନ୍ତି। ଜୀବନ ର ଚଲାପଥରେ ସେ ଏକାକୀ। ମାସିକ ୫ କେଜି ଚାଉଳ ଏବଂ ବିଧବା ଭତ୍ତା ୫୦୦ ଟଙ୍କା ପାଉଛନ୍ତି ଧନମତ। ସରକାରଙ୍କ ନିୟମ ଅନୁସାରେ ଧନମତଙ୍କୁ ଅନ୍ତୋଦୟ ଭୁକ୍ତ କରି ୩୫ କେଜି ଚାଉଳ ଦିଆ ଯିବାକଥା, କିନ୍ତୁ ଲାଗୁଛି ସମସ୍ତ ସୁବିଧା ଓ ଯୋଜନା କେହି ଧନମତଙ୍କ ଠୁ ଛଡାଇ ନେଇଛି। ଆବାସ ଯୋଜନାରେ ଘରଟିଏ କରିଦେବା ପାଇଁ ଧନମତ ଗାଁର ଜଣେ ସ୍ବେଛାସେବୀ ଭାନୁ ପ୍ରତାପ ବାଗଙ୍କୁ କହିଥିଲେ। ତେବେ ଧନମତ ଙ୍କ ନାଁରେ ପୂର୍ବରୁ ଆବାସ ଯୋଜନା ଅଛି ଓ ସମସ୍ତ ଟଙ୍କା ୧.୩୦ ଲକ୍ଷ ଉଠାଣ ମଧ୍ୟ ହୋଇ ସାରିଛି ବୋଲି ଅନଲାଇନ ସେ ଦର୍ଶାଉ ଥିବା ଜାଣିବାକୁ ପାଇଥିଲେ। ଅନଲାଇନ ତଥ୍ୟ ଅନୁସାରେ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଧନମତଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ମଂଜୁର ହୋଇଥିଲା। ୨୦୨୦ ମସିହା ଜାନୁଆରୀ ୮ରେ ବାସଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ୨୦ ହଜାର ଟଙ୍କା, ଜାନୁଆରୀ 22 ରେ ୩୫ ହଜାର ଟଙ୍କା, ଫେବୃଆରୀ ୧୪ ରେ ୪୫ ହଜାର ଟଙ୍କା ଓ ଅକ୍ଟୋବର ୨୧ ରେ ୩୦ ହଜାର ଟଙ୍କା ସମେତ ମୋଟ ୧.୩୦ ଲକ୍ଷ ଟଙ୍କା ଉଠାଣ ହୋଇଛି। କିନ୍ତୁ ବାସଗୃହ ନିର୍ମାଣ ପାଇଁ ଧନମତଙ୍କୁ ବ୍ଲକ କିମ୍ବା ପଂଚାୟତ କତୃପକ୍ଷ ଜଣାଇ ନ ଥିଲେ। ଧନମତଙ୍କ ନାଁରେ ଜାଲିଆତି କରି ଟଙ୍କା ଉଠାଣ କରି ହରିଲୁଟ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଘଟଣାଟିର ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗାଁ ଲୋକେ ଦାବୀ କରିଛନ୍ତି। ତେବେ ଏ ନେଇ ଡି.ଆଇ.ଡି.ଏ ପି.ଡି ମଧୁଛନ୍ଦା ସାହୁଙ୍କୁ ପଚାରିବାରୁ, ଏହା ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.