ଥୁଆମୂଳ ରାମପୁର ଗସ୍ତରେ କେନ୍ଦ୍ରୀୟ ନୀତି ଆୟୋଗ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରକୁ ଆଜି କେନ୍ଦ୍ରୀୟ ନୀତି ଆୟୋଗଙ୍କ ବରିଷ୍ଠ ସ୍ପେସିଆଲିଷ୍ଟ ରଣାଧୀର ସିଙ୍କ ଗସ୍ତ ଥିଲା। ଥୁଆମୂଳ ରାମପୁରରେ ଥିବା ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ନୀତି ଆୟୋଗର ଏହି ଅଚାନକ ଗସ୍ତ ବ୍ଲକ ପାଇଁ ଅନେକ ଆଶା ଉଜ୍ଜୀବିତ ରଖିଛି। ଏହି ଗସ୍ତ ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଡିପିଏମ ଅବନୀକାନ୍ତ ମହାପାତ୍ର, ଜିଲ୍ଲା ପ୍ଳାନିଙ୍ଗ କାର୍ଯ୍ୟାଳୟରୁ ଡେପୁଟି ନିର୍ଦେଶକ ଶ୍ରୀକାନ୍ତ ଦଳେଇ, ବ୍ଲକ ପ୍ରଶାସନ ତରଫରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭରତ ମେହର, ଜି.ପି.ଇ.ଓ ଜ୍ଞାନ ରଞ୍ଜନ ଭୋଇ, ଡବ୍ଲୁ.ଇ.ଓ ଗଙ୍ଗାଧର ବେହେରାଙ୍କ ଉପସ୍ଥିତିରେ ପ୍ରଥମେ ଗୁଣପର ସାଇସୁରନି ସ୍ଥିତ ମା ଗୃହ, ସିରିମସ୍କା ସ୍ଥିତ ହାଇସ୍କୁଲ, ଗୋପାଳପୁର ହାଇସ୍କୁଲ ପରିଦର୍ଶନ କରିଥିଲେ।ଥୁଆମୂଳ ରାମପୁରରେ ଅନଲାଇନ ଶିକ୍ଷା ତଥା, ନେଟୱର୍କ କଂନେକ୍ସନ ଉପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ସିଂ ଆଶ୍ୱାସନା ଦେଇଛନ୍ତି। ଥୁଆମୂଳ ରାମପୁର ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ କରି ସେ ଡାକ୍ତର ନୀତିଶ ଝାଙ୍କ କାର୍ଯ୍ୟାଳୟ ଏବଂ ଡାକ୍ତରଖାନା ପରିସର ବୁଲି ତଦାରଖ କରିଥିଲେ ଏବଂ ଡାକ୍ତରଖାନା ଖାନାରେ ଡାକ୍ତରଙ୍କ ଅଭାବ ତଥା ଉନ୍ନତ ମାନର ଚିକିତ୍ସା ପଦ୍ଧତିର ଅଭାବରେ ସେ ଜିଲ୍ଲା କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ପରେ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସମସ୍ତ ଯୋଜନାର ସମୀକ୍ଷା କରିଥିଲେ।ଥୁଆମୂଳ ରାମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଗ୍ରାହାକଙ୍କ ବିଭିନ୍ନ ଅସୁବିଧା ଉପରେ ଉଚିତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ସାମ୍ବାଦିକ ପ୍ରଦୀପ ପଣ୍ଡା, କୈଳାସ ଛତ୍ରିଆ ଏବଂ ଭାନୁପ୍ରତାପ ମୁଣ୍ଡ ଜଣାଇଥିଲେ।ଆସନ୍ତା ସମୟରେ ଇନ୍ଦ୍ରାବତୀ ଡ୍ୟାମ ଭିତରେ ଥିବା ପୋଡାପଦର ଗ୍ରାମ ପଞ୍ଚାୟତର ଅଧିବାସୀ ଯେମିତି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପାଇଁ ଯତ୍ନବାନ ହେବାକୁ ସ୍ଥାନୀୟ ପ୍ରଶାସନ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏଥି ସହିତ ପୋଡାପଦର ଗ୍ରାମ ପଞ୍ଚାୟତ ସହିତ ଯୋଗାଯୋଗ କରିବା ପାଇଁ ନିର୍ମାଣ ହେଉଥିବା ଗୋଲାଗାଡ ଘାଟ ବ୍ରିଜ କାମ ଯଥାଶୀଘ୍ର ସମ୍ପନ୍ନ କରିବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ତନବିର୍ ଆଲମ ଓ ମନୋଜ ନାଏକଙ୍କୁ ତାଗିଦ କରିଥିଲେ। ଗସ୍ତ ସମୟରେ ସେ ବାଲିସରା ସ୍ଥିତ ଟେରାକୋଟା, ମୃତିକା ଶିଳ୍ପ, ଗ୍ରାମୀଣ ଜୀବିକା କିଭଳି ଉନ୍ନତି ହେବ ସେହି ବିଷୟରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ତଥା ବ୍ଲକରେ ଥିବା ନେଟୱର୍କ ସୁବିଧା କେମିତି ଉନ୍ନତି କରିବା ତଥା ବ୍ୟାଙ୍କ ସୁବିଧାର ପ୍ରଶସ୍ତିକରଣ ହେବ ସେ ବିଷୟରେ ଉପଯୁକ୍ତ ପଦକ୍ଷେପ ନେବେ ସେ ବିଷୟରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ମୌଳିକ ସୁବିଧାରୁ ଥୁଆମୂଳ ରାମପୁର ଅଞ୍ଚଳବାସି ଯେମିତି ବଞ୍ଚିତ ନହେବେ ସେଥିପାଇଁ ନୀତି ଆୟୋଗର ଚେଷ୍ଟା ରହିବ ବୋଲି ସେ ସାମ୍ବାଦିକ ମାନଙ୍କୁ କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.