କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଗତ ୨୨ ବର୍ଷ ଧରି କଲମପୁର ଅଞ୍ଚଳରେ ଦୁଇ ଫସଲୀ ଚାଷ କରାଯାଉଛି । ଯେଉଁଥିପାଇଁ ଏହି ଅଞ୍ଚଳରେ ଅନେକ ନାମୀ ବେନାମୀ କମ୍ପାନୀ ମାନେ ସେମାନଙ୍କ ପସରା ମେଲି ଦେଇଛନ୍ତି । ଅନେକ ସମୟରେ ବେନାମୀ କମ୍ପାନୀର ଭେଜାଲ ସାମଗ୍ରୀ ଖରିଦ୍ କରି ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଠାରେ ଥିବା ପରୀ ଏଗ୍ରୋ ସେଲ୍ସ ଉପରେ ବ୍ଲକ କୃଷି ବିଭାଗ ତରଫରୁ ଚଢ଼ାଉ କରାଯାଇଛି । ବେନିୟମ ଭାବେ କିଛି କୃଷି ଉପଯୋଗୀ କୀଟ ନାଶକ ବିକ୍ରୟ କରୁଥିବା ନେଇ ଅଭିଯୋଗ ହେଇଥିଲା ।
ଏହି ଅଭିଯୋଗକୁ ଭିତ୍ତି କରି କଲମପୁର ବ୍ଲକ ସହକାରୀ କୃଷି ଅଧିକାରୀ ସୁଶ୍ରୀ ସୁଜାତା ଛତ୍ରିଆଙ୍କ ନେତୃତ୍ବରେ ଏକ ଟିମ୍ ଏହି ଚଢାଉରେ ସାମିଲ ହୋଇଥିଲେ । ଚଢ଼ାଉ ସମୟରେ ସିଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ କମ୍ପାନୀର କିଛି କୀଟ ନାଶକ ଉପଲବ୍ଧ ଥିଲା । ଏହି କମ୍ପାନୀର ସାମଗ୍ରୀ ବିକ୍ରୀ କରୁଥିବା ନେଇ କୈାଣସି କାଗଜାତ ଦେଖାଇ ପାରିନଥିଲେ । ଯାହା ବେନିୟମ ଅଟେ । ଏହି ସମସ୍ତ ସାମଗ୍ରୀ ସେ ଜୟପାଟଣା ସ୍ଥିତ ଆର୍.କେ. ଏଗ୍ରୋରୁ ଆଣି ବିକ୍ରୀ କରୁଥିବା ସୂଚନା ଦେଇଥିଲେ । କିନ୍ତୁ ଉଭୟ ଆର୍.କେ. ଏଗ୍ରୋ ଅଥବା ପରୀ ଏଗ୍ରୋ ସେଲ୍ସ ସିଞ୍ଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ କମ୍ପାନୀର ଅଧିକୃତ ବିକ୍ରେତା ନୁହନ୍ତି ଓ ବେନିୟମ ଭାବେ ଏ ସମସ୍ତ ସାମଗ୍ରୀ ବିକ୍ରୀ କରୁଛନ୍ତି ବୋଲି ସିଞ୍ଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ ର କ୍ଷେତ୍ର ଅଧିକାରୀ ରବୀନ୍ଦ୍ର ରାଉତ ସୁଚନା ଦେଇଛନ୍ତି । ଏହି ଚଢାଉ ସମୟରେ କୃଷି ବିଭାଗ କର୍ମଚାରୀ ଓ ସିଞ୍ଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।