କେସିଙ୍ଗା ବ୍ଲକ୍ ଉପାଧ୍ୟକ୍ଷାଙ୍କୁ ପ୍ରକୋଷ୍ଠ ନ ଦେବାରେ କଣ ରହିଛି ଅଭିସନ୍ଧି!

ଜିଲ୍ଲାପାଳ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପ୍ରକୋଷ୍ଠ ଯୋଗାଇ ଦେଇନାହାନ୍ତି ବିଡିଓ

ବିଡିଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କଲେ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ବର୍ତ୍ତମାନ ସୁଦ୍ଧା ବ୍ଲକ ଉପାଧ୍ୟକ୍ଷା ପ୍ରକୋଷ୍ଠ ଯୋଗାଇ ଦିଆଯାଇ ନାହିଁ। ରାଜନୈତିକ ଅଭିସନ୍ଧି ରଖି ଜଣେ ମହିଳା ଉପାଧ୍ୟକ୍ଷାଙ୍କୁ ପ୍ରକୋଷ୍ଠ ଯୋଗାଇ ନଦେବା ଏବଂ ପାତର ଅନ୍ତର ନୀତି କେସିଙ୍ଗା ବ୍ଲକରେ ଚାଲି ଥିବାରୁ ଏହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ୧୫ ବର୍ଷ ହେଲା ଏହି ବ୍ଲକରେ ଉପାଧ୍ୟକ୍ଷଙ୍କ ପାଇଁ ପ୍ରକୋଷ୍ଠ ରହିଆସିଛି, କିନ୍ତୁ ଏଥର ରାଜଲକ୍ଷ୍ମୀ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ନିର୍ବାଚିତ ହେବା ପରେ ତାଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ବ୍ଲକ ପରିସରରେ ଦିଆଯାଇ ନାହିଁ। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ବ୍ଲକର ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବୀ ହୋଇଥିବା ବେଳେ ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ନମିଳିବା ପରିତାପର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ବ୍ଳକ ଅଧ୍ୟକ୍ଷ ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ନିମନ୍ତେ ବାରଣ କରିବା ଏହା ତାଙ୍କର ଅସହିଷ୍ଣୁତା ନା ଭୟ ବୋଲି ଚର୍ଚ୍ଚା ହେଉଛି। ଆଗରୁ ଉପାଧ୍ୟକ୍ଷାଙ୍କ ପାଇଁ ରହିଥିବା ପ୍ରକୋଷ୍ଠକୁ ନବ ନିର୍ବାଚିତ ଅଧ୍ୟକ୍ଷ ଜୋର ଜବରଦସ୍ତ ମାଡି ବସିଛନ୍ତି। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ପ୍ରକୋଷ୍ଠକୁ ବ୍ଲକ ଅଧ୍ୟକ୍ଷ ମାଡି ବସିଥିବା ବେଳେ ବିଡିଓ ଅନ୍ୟ ଏକ ପ୍ରକୋଷ୍ଠ ଦେବାକୁ ଚାହିଁଲେ ତାହାକୁ ମଧ୍ୟ ଅଧ୍ୟକ୍ଷ ବାରଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏପଟେ ପ୍ରକୋଷ୍ଠ ଯୋଗାଇ ଦେବାପାଇଁ ମାର୍ଚ୍ଚ ୨୩ରୁ ବିଡିଓଙ୍କୁ ଦାବି କରି ଆସୁଛନ୍ତି ନବ ନିର୍ବାଚିତା ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ। ଏହି ବିଷୟକୁ ନେଇ ଗତ ଅପ୍ରେଲ ୪ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସାକ୍ଷାତ କରି ଉପାଧ୍ୟକ୍ଷା ପ୍ରକୋଷ୍ଠ ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା। ଜିଲ୍ଲାପାଳ ଉପାଧ୍ୟକ୍ଷାଙ୍କୁ ପ୍ରକୋଷ୍ଠ ଯୋଗାଇ ଦେବାପାଇଁ କେସିଙ୍ଗା ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ବର୍ତ୍ତମାନ ସୁଦ୍ଧା ଉପାଧ୍ୟକ୍ଷା ପ୍ରକୋଷ୍ଠ ପାଇ ନାହାଁନ୍ତି। ଏହାପରେ ବ୍ଲକ ପରିସରରେ ପ୍ରକୋଷ୍ଠ ଯୋଗାଇ ଦେବାପାଇଁ ଉପାଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ମାନ୍ୟବର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟି ଅନୁରୋଧ କରିଥିଲେ। ମନ୍ତ୍ରୀ କ୍ୟାପଟେନ ମିଶ୍ର କେସିଙ୍ଗା ବିଡ଼ିଓଙ୍କୁ ତୁରନ୍ତ ଉପାଧ୍ୟକ୍ଷା ପ୍ରକୋଷ୍ଠ ଯୋଗାଇ ଦେବାପାଇଁ କହିଥିଲେ। ବିଡିଓ ଶ୍ରୀଯୁକ୍ତ ଓଡୁ ଉପାଧ୍ୟକ୍ଷାଙ୍କୁ ଫୋନ କରି ଆପଣଙ୍କୁ ପ୍ରକୋଷ୍ଠ ଦେଇଦେବି ବୋଲି କହିଥିବା ଉପାଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଏହାପରେ ଉପାଧ୍ୟକ୍ଷା ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖାକରି ପ୍ରକୋଷ୍ଠ କଥା କହିଲେ, କିନ୍ତୁ ବିଡ଼ିଓ ଆଜି ଦେବି କାଲି ଦେବି କହୁଥିବା ପ୍ରକାଶ କରିଛନ୍ତି ଉପାଧ୍ୟକ୍ଷା ରାଜଲକ୍ଷ୍ମୀ। କଳାହାଣ୍ଡି ଜିଲ୍ଲାପାଳ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଉପାଧ୍ୟକ୍ଷା ପ୍ରକୋଷ୍ଠ ଯୋଗାଇ ଦେବାପାଇଁ କେସିଙ୍ଗା ବିଡ଼ିଓଙ୍କୁ କହିଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା ପ୍ରକୋଷ୍ଠ ଯୋଗାଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ ଓ ବ୍ଲକର ଅନେକ ସମିତି ସଭ୍ୟ ସଭ୍ୟା। ଆଜି (୨୧ ଅପ୍ରେଲ) ଏସଂପର୍କରେ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ ନିଜର ସମର୍ଥକ ୧୫ ଜଣ ସମିତି ସଭ୍ୟଙ୍କୁ ନେଇ ପ୍ରକୋଷ୍ଠ ଯୋଗାଇ ଦେବାପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ ‘ଓଡିଆ ବାର୍ତ୍ତା’କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀକୁ ସମ୍ମାନ ଓ ନାରୀ ସୁରକ୍ଷା ପାଇଁ ଗୁରୁତ୍ୱ ଦେଉଥିବାବେଳେ ଆମ କେସିଙ୍ଗା ବ୍ଲକରେ ନାରୀ ପ୍ରତି ଅସମ୍ମାନ କରାଯାଉଛି। ଆଜି ଯଦି ମୁଁ ଜଣେ ନାରୀ (ବ୍ଲକ ଉପାଧ୍ୟକ୍ଷା) ହୋଇ ମୋର ପାଇଁ ଏଠାରେ ସ୍ଥାନ ନାହିଁ, ତାହେଲେ ସାଧାରଣ ମହିଳାଙ୍କର, ୨୬ଟି ପଞ୍ଚାୟତରୁ ଆସୁଥିବା ମା’ ଭଉଣୀଙ୍କର ସ୍ଥିତି କିପରି ଥିବ” ବୋଲି ସେ ପ୍ରଶ୍ନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.