ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସ ତରଫରୁ ଅନଲାଇନ ମାଧ୍ୟମରେ ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସର ପ୍ରତିଷ୍ଠାତା ସାର୍ ଜିନ ହେନେରୀ ଡୁନାଣ୍ଟଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଶ୍ବ ରେଡକ୍ରସ ଦିବସର ଚଳିତ ବର୍ଷର ବାର୍ତ୍ତା ହେଉଛି “ମାନବ ପ୍ରତି ଦୟା ପ୍ରଦର୍ଶନ କରିବା” । କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ସଂଜୟ କୁମାର ଶତପଥୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ” ଭଲ କାମ କଲେ ନିନ୍ଦା ସହିବାକୁ ପଡ଼ିଥାଏ । ସତ୍ୟର ମୃତ୍ୟୁ ନାହିଁ କି ଆଲୋକର ମୃତ୍ୟୁ ନାହିଁ “। ସାରା ବିଶ୍ବରେ ଶାନ୍ତି, ମୈତ୍ରୀ ଓ ପ୍ରୀତିର ଭାବ ବଜାୟ ରଖିବା ସହ ଅନ୍ୟମାନଙ୍କ ପାଇଁ ପ୍ରତି ହୃଦୟରେ ଦୟା ଭାବ ଉଦ୍ରେକ କରିବା ଓ ନିଜର ସାମର୍ଥ୍ୟ ଅନୁଯାୟୀ ଶ୍ରଦ୍ଧାର ସହ ସେବା କରିବାକୁ କୁଳପତି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ରାଜ୍ୟ ଯୁବରେଡକ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ଓ ଗଂଜାମ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ଯୋଗଦେଇ ସେବା କେବେ ପୁରସ୍କାର ଆଶା କରେ ନାହିଁ ଓ ମାନବୀୟ ମୂଲ୍ୟବୋଧ ସୃଷ୍ଟି କରିଥାଏ, ତାହା ବର୍ଣ୍ଣନା କରିବା ସହ ଯୁବରେଡକ୍ରସ ସ୍ବେଚ୍ଛାସେବୀଙ୍କର ନିସ୍ବାର୍ଥପର ସେବା ସଂପର୍କରେ ଆଲୋକପାତ କରିଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମରେ ସୁଶ୍ରୀ ଲିପ୍ସା ମହାରଣା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ଜିଲ୍ଲା ଯୁବରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା ସ୍ବାଗତ ଅଭିଭାଷଣ ଓ ଲଖିରାମ ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ଧନ୍ୟବାଦ ଅର୍ପଣ କରିଥିଲେ । ଗୁଗୁଲ ମିଟ ଯୋଗେ ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସ ଆବାହକ ସଂପାଦକ ସଂଜୀବ କୁମାର ସାହୁ ସଂଚାଳନ କରିଥିଲେ । କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ପରାମର୍ଶଦାତା, ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଏହି ଆଭାସୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରଗତି ଡିଗ୍ରୀ ମହାବିଦ୍ୟାଳୟ, ଭବାନୀପାଟଣା ଯୁବ ରେଡକ୍ରସ ବିଭାଗ ତରଫରୁ ପ୍ରତିଷ୍ଠାତାଙ୍କର ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କେକ୍ କାଟି ପାଳନ କରିବା ସହ ଯୁଗସାହିପାଟଣା ଓ ନବ ଜୀବନ ଅନାଥ ଆଶ୍ରମ, ଗୋଲାମୁଣ୍ଡା ଠାରେ ହାଇଜେନିକ କିଟ, ମାସ୍କ ବଣ୍ଟନ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ଅଧିକାଂଶ ମହାବିଦ୍ୟାଳୟରେ ବିଶ୍ବ ରେଡକ୍ରସ ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଥିଲା ।