✍🏾ବିଶ୍ବବିଜୟୀ ଦାଶ
କୀର୍ତ୍ତିମନ୍ତ ଜୀଇଁ ରହେ ଅନନ୍ତ କାଳର କଳାର କାଳିମାକୁ ଭେଦକରି କାଳଜୟୀ ଭାବରେ ସେମିତି ଜୀଇଁଛନ୍ତି କୀର୍ତ୍ତିସ୍ମାନ ରଘୁନାଥ ମହାପାତ୍ର। ରଘୁନାଥ ମହାପାତ୍ର ଜଣେ ଲବ୍ଧ ପ୍ରତିଷ୍ଠିତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ,ସେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶାର ପୁରୀସ୍ଥିତ ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦାମୋଦର ମହାପାତ୍ର ଓ ମାତାଙ୍କ ନାମ ଶକୁନ୍ତଳା ମହାପାତ୍ର। ତୁଳସୀ ଦୁଇ ପତ୍ରରୁ ବାସେ ଉକ୍ତିଟି ପରି ସେ ଖୁବ୍ କମ୍ ବୟସରୁ ନିହାଣ ମୁନରେ ପଥରକୁ ରୂପ ଦେବାରେ ଲାଗିଲେ।ପଥରରେ ଜୀବନ ଫୁଙ୍କିବାରେ ପାଲଟିଥିଲେ ଓସ୍ତାଦ। ମାତ୍ର ୨୨ ବର୍ଷ ବୟସରେ ୧୯୬୪ ମସିହାରେ ତାଙ୍କୁ ରାଷ୍ଟ୍ରୀୟ ସ୍ଥାପତ୍ୟ କଳା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଆଉ ପଛକୁ ଫେରି ଚାହିଁବାକୁ ରଘୁନାଥଙ୍କୁ ଫୁରସତ ମିଳି ନଥିଲା।
ରଘୁନାଥ ମହାପାତ୍ର କେବଳ ପଥରର ଯାଦୁକର ନଥିଲେ, ମନ୍ଦିରମାନଙ୍କର ବାସ୍ତୁକଳାରେ ପାରମ୍ପରିକ ମୂର୍ତ୍ତି କଳାରେ ଥିଲା ତାଙ୍କର ଅଗାଧ ଜ୍ଞାନ ଓ ଅଭିଜ୍ଞତା ତାଙ୍କୁ ପଥର କାରୁକାର୍ଯ୍ୟ ଲାଗି ପ୍ରାଧିକୃତ କରିଥିଲା। ତାଙ୍କର ସର୍ବଶ୍ରେଷ୍ଠ କୃତି ମଧ୍ୟରେ ଦିଲ୍ଲୀ ସଂସଦ ଭବନ ସେଣ୍ଟ୍ରାଲ ହଲରେ ସ୍ଥାପିତ ୬ ଫୁଟ ଉଚ୍ଚତାର ସ୍ୟାଣ୍ଡ ଷ୍ଟୋନରେ ନିର୍ମିତ ସୂର୍ଯ୍ୟଙ୍କ ମୂର୍ତ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଢୋଲପୁରୀ ପଥରରେ ନିର୍ମିତ ଦୀପ, କୋଲକାତା ପାର୍କ ଷ୍ଟ୍ରିଟ୍ ସାଜ ସଜ୍ଜାରେ କେନ୍ଦ୍ରୀୟ ସର୍କଲ ଓ ସ୍ତମ୍ବ, ହରିୟାଣା ସୂରଜ କୁଣ୍ଡରେ ଲାଲ ବଲୁଆ ପଥରରେ ନିର୍ମିତ ୧୫ ଫୁଟ ଉଚ୍ଚର ମୁକ୍ତେଶ୍ୱର ଦ୍ୱାର, ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ୧୮ଫୁଟ ଲମ୍ବା ଓ ୧୫ଫୁଟ ଉଚ୍ଚତାର କୋଣାର୍କ ଘୋଡ଼ା, କଟକ ବାରବାଟୀ ଷ୍ଟାଡିଅମରେ ୧୨ଫୁଟର କୋଣାର୍କ ଘୋଡ଼ା, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର, ଟିଟିଲାଗଡ଼ରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର,
ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିରର ନିର୍ମାଣ, ରାଜୀବ ଗାନ୍ଧୀଙ୍କ ସମାଧି ପୀଠ, ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର, ଧଉଳିରେ ୨ଟି ବୌଦ୍ଧ ମୂର୍ତ୍ତି, ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୌଦ୍ଧ ମୂର୍ତ୍ତି, ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି, ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ, ବାଲେଶ୍ୱରର ଇମାମି ଜଗନ୍ନାଥ ମନ୍ଦିରର ନିର୍ମାଣ।
ଅନନ୍ୟ କଳା ପ୍ରତିଭା ଲାଗି ୧୯୭୬ ମସିହାରେ ତାଙ୍କୁ ଭାରତ ସରକାର ପ୍ରଥମ ଥର ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ବର୍ଦ୍ଧିତ କରିଥିଲେ। ୨୦୦୧ ମସିହାରେ ତାଙ୍କୁ ପଦ୍ମ ଭୂଷଣ ଓ ୨୦୧୩ ମସିହାରେ ପଦ୍ମପୁରସ୍କାରର ଶୀର୍ଷ ସମ୍ମାନ ପଦ୍ମ ବିଭୂଷଣରେ ରାଷ୍ଟ୍ରପତି ରଘୁନାଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଦ୍ମସମ୍ମାନର ୩ଟି ଜାକ ପୁରସ୍କାରରେ ସମ୍ବର୍ଦ୍ଧିତ ହେବାରେ ରଘୁନାଥ ମହାପାତ୍ର ଥିଲେ ସୀତାକାନ୍ତ ମହାପାତ୍ର ଓ ଗୁରୁ କେଳୁଚରଣ ମହାପାତ୍ରଙ୍କ ପରେ ତୃତୀୟ ଓଡ଼ିଆ। ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୧୮ ମସିହାରେ ରାଜ୍ୟସଭାକୁ ନାମିତ ୪ ଜଣବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନ୍ୟତମ ଥିଲେ ରଘୁନାଥ। ସେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ମଧ୍ୟ ଥିଲେ। ଜଣେ ଲବ୍ଧ ପ୍ରତିଷ୍ଠିତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ରଘୁନାଥ ମହାପାତ୍ର ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିଲେ।
“ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା,ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା, ସାମାଜିକ ପରିଚ଼ିତ, ଭାସ୍କର୍ଯ୍ୟ ଶିଳ୍ପୀ, ଓଡିଆ କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ପ୍ରୟାସ ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଆମ ଅଞ୍ଚଳର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଆମ ଅଞ୍ଚଳର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ ଏଥିରେ ଦ୍ବିମତ ନାହିଁ।
ଦିନ ଯାଏ, ଚ଼ିହ୍ନ ରହେ। ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ କିମ୍ବଦନ୍ତୀ, ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ। ସେହି ଖ୍ୟାତି ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର ୨୦୨୧ ମସିହା ମେ ୯ ତାରିଖ ରେ ଦୁନିଆ ଛାଡ଼ି ଚ଼ାଲିଗଲେ। ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।





