ବିଇଓଙ୍କ ଦ୍ବାରସ୍ଥ ହେଲେ ଶିକ୍ଷାର୍ଥୀ ଓ ଅବିଭାବକ, ଶିଘ୍ର ଅର୍ଥ ପ୍ରଦାନ କରିବାକୁ ଦାବୀ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା କସ୍ତୁରବା ସର୍ବ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ୭ ଜଣ ଛାତ୍ରୀ କୋଭିଡ ସହାୟତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। କୋଭିଡ କଟକଣା ଯୋଗୁଁ ପାଖାପାଖି ୨ ବର୍ଷ ସ୍କୁଲ ବନ୍ଦ ରହିଥିବା ବେଳେ ସେହି ସମୟର ଖାଦ୍ୟପେୟ ଓ ମୋବାଇଲ ବାବଦକୁ ପ୍ରଯୁଜ୍ୟ ସହାୟତା ରାଶି ଏହି ଛାତ୍ରୀ ମାନଙ୍କୁ ମିଳିନାହିଁ। ଏ ନେଇ ୭ ଜଣ ଛାତ୍ରୀ ଗୀତାଞ୍ଜଳି ମାଝୀ, ଜ୍ୟୋତ୍ସ୍ନା ନାଏକ, ଖଜୁରି ମାଝୀ, ମଣିବାଳା ରାଉତ, ସୁନିତା ବାଗ, ଛବିଲା ମାଝୀ, ହେମପୁଷ୍ପା କାଣ୍ଡ ଓ ତାଙ୍କ ଅଭିଭାବକ ମାନେ ଚିଲିଗୁଡା କସ୍ତୁରବା ବିଦ୍ୟାଳୟରେ ପହଞ୍ଚି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତରୁଲତା ନାଏକଙ୍କୁ ଅଭିଯୋଗ କରିବା ସହ କାହିଁକି ଏ ଯାଏଁ ସହାୟତା ବାବଦର ଟଙ୍କା ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ତେବେ ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ଛାତ୍ରୀ ମାନେ ବ୍ୟାଙ୍କ ଜମାଖାତା ଦେବାରେ ଡେରି କରିବା ଫଳରେ ତାଙ୍କ ଖାତାରେ ସହାୟତା ଟଙ୍କା ଆସିନାହିଁ ଓ ଏବେ ଆମ ହାତରେ କିଛି ନାହିଁ, ଡିପିସି ଅଫିସ କିମ୍ବା କୋକସରା ବିଇଓ ସହ ଯୋଗାଯୋଗ କରିବାକୁ ଛାତ୍ରୀ ଓ ଅଭିଭାବକଙ୍କୁ କହିଥିବା ଜଣାପଡ଼ିଛି। ତେବେ ଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବ୍ୟାଙ୍କ ଜମାଖାତା ସହ ଆବଶ୍ୟକ କାଗଜପତ୍ର ଦେଇଥିବା ନେଇ ଓଲଟା ଅଭିଯୋଗ କରିଛନ୍ତି ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏନେଇ କୋକସରା ବିଇଓ ରମାକାନ୍ତ ଦାସଙ୍କ ନିକଟରେ ପହଞ୍ଚି ଛାତ୍ରୀ ଓ ଅଭିଭାବକ ସମାନ ଅଭିଯୋଗ କରିବା ପରେ ସେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କ’ଣ ହୋଇଛି ବୋଲି ପଚାରିବା ସହ ଛାତ୍ରୀଙ୍କ ଅଭିଯୋଗ ଉପରେ ଡିପିସି ଅଫିସ ଅଧିକାରୀଙ୍କ ସହ କଥା ହେବାକୁ କହିଥିଲେ। ଏନେଇ ଜିଲ୍ଲା ଡିପିସି କାର୍ଯ୍ୟାଳୟର ଅଧିକାରୀଙ୍କୁ ଫୋନରେ ପ୍ରତିକ୍ରିୟା ନେବାରୁ ଜିଲ୍ଲାର ୧୩ ଟି କସ୍ତୁରବା ବିଦ୍ୟାଳୟରେ କୋଭିଡ ସହାୟତା ରାଶି ପାଇଁ ଛାତ୍ରୀଙ୍କ ଠାରୁ ବ୍ୟାଙ୍କ ପାସବୁକ ମଗାଯାଇଥିଲା ଯେଉଁମାନେ ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ ପାସବୁକ ଦେଇଥିଲେ ସେହି ଛାତ୍ରୀ ମାନଙ୍କ ପାସବୁକରେ ଟଙ୍କା ଜମା ହୋଇଛି। ଯଦି କିଛି ଛାତ୍ରୀ ପାଇନାହାନ୍ତି ତାହେଲ ତାଙ୍କ ପାସବୁକ ଠିକ ସମୟରେ ଦେଇ ନ ଥିବେ ତଦନ୍ତ କରାଯିବ ବୋଲି କହିଛନ୍ତି। ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଗରିବ ଶ୍ରେଣୀର ଏହି ଛାତ୍ରୀଙ୍କୁ ସହାୟତା ଟଙ୍କା ମିଳିବା ନେଇ ଏବେ ଦ୍ଵନ୍ଦ ଦେଖାଦେଇଛି। ଜିଲ୍ଲା ଡିପିସି କାର୍ଯ୍ୟାଳୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ସହାୟତା ଟଙ୍କା ପ୍ରଦାନ କରିବାକୁ ଛାତ୍ରୀ ସମେତ ଅଭିଭାବକମାନେ ଦାବି କରିଛନ୍ତି।