ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): କରୋନା କଟକଣା ଯୋଗୁଁ ଦୀର୍ଘ ତିନି ବର୍ଷ ହେବ ଅନୁଷ୍ଠିତ ହୋଇ ନଥିବା ଚନ୍ଦାହାଣ୍ଡି ତଥା ପାନାବେଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ୱରୀଙ୍କ ମଣ୍ଡେଇ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି । ମଣ୍ଢେଇ ଯାତ୍ରାର ପ୍ରଥମ ଦିନରେ ଦେବୀଙ୍କ ଆସ୍ଥାନ ନିକଟରେ ଶହ ଶହ ମାନସିକଧାରୀ କୁକୁଡ଼ା ଆଦି ବଳି ଦେଇଥିବାରୁ ମାଁଙ୍କ ପୀଠ ରକ୍ତ ରଞ୍ଜିତ ହୋଇଥିଲା । ତେବେ ଆଜି ମଣ୍ଡେଇ ଯାତ୍ରା ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଏହି ଅଞ୍ଚଳ ତଥା ପଡ଼ୋଶୀ ଜିଲ୍ଲା କଳାହାଣ୍ଡି, ନୂଆପଡ଼ା ଓ ଛତିଶଗଡ଼ ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଆଗମନ କରିଥିଲେ । ସୂଚନା ଥାଉକି, ପାନାବେଡ଼ା ଅଞ୍ଚଳ ପୂର୍ବରୁ ଖଡ଼ିଆଳ ରାଜାଙ୍କ ଶାସନାଧୀନ ରହିଥିଲା । କାଳ କ୍ରମେ ଜୟପୁର ରାଜାଙ୍କ ସହ ଖଡ଼ିଆଳ ରାଜାଙ୍କ ବନ୍ଧୁତା ହେବାରୁ ଏହି ଅଞ୍ଚଳକୁ ଜୟପୁର ରାଜାଙ୍କୁ ପାନ ବିଡ଼ି ଖର୍ଚ୍ଚ ନିମନ୍ତେ ଭେଟି ଦିଆ ହୋଇଥିଲା । ତେବେ ଭାଷାର ଅପଭ୍ରଂଶ ହୋଇ ଏହାକୁ ପାନାବେଡ଼ା ବୋଲି ଅଭିହିତ କରାଗଲା ।କିମ୍ବଦନ୍ତୀ ଅଛି ଖଡ଼ିଆଳର ସାମନ୍ତ ରାଜା ଆର୍ତ୍ତତ୍ରାଣ ସିଂଦେଓଙ୍କ ବଂଶଧର ଅଞ୍ଚଳକୁ ଗସ୍ତ କରିଥିଲେ । ଯାହାର ପ୍ରମାଣ ପଲସାପଡ଼ାର ରାଜାପଡ଼ା ବୋଲି କୁହାଯାଏ । ତେବେ ଏହି ଅଞ୍ଚଳର ମୁଖ୍ୟ ଦେବାଦେବୀଙ୍କ ମଧ୍ୟରେ ମୋତିଗାଁର ଖମ୍ବେଶ୍ୱରୀ, ମଣ୍ଡଳ ଭୀମା, ଖଲିଗଡେନ୍, ପାହାଡ଼ ଦି, ପାଟରାଣୀ ପ୍ରମୁଖ ଦେବାଦେବୀ କେଉଁ ଏକ ଅଜଣା କାଳରୁ ପୂଜା ପାଇ ଆସୁଛନ୍ତି । ମଣ୍ଡଳ ଭୀମାଙ୍କୁ ଚଇତା ଗାଉଟିଆଙ୍କ ବଂଶଧର ପୂଜା କରୁଥିବା ବେଳେ ଖମ୍ବେଶ୍ୱରୀଙ୍କୁ ଫଡକୁ ନେଙ୍ଗି ବଂଶଧର, ପାହାଡ଼ ଦିଙ୍କୁ ଉଦ୍ଧମ ପାତରଙ୍କ ବଂଶଧର, ପାଟରାଣୀଙ୍କୁ ଖୁଟି କନିଆର୍ ଓ ବୁଟି କନିଆରଙ୍କ ବଂଶଧର ସେବା କରି ଆସୁଛନ୍ତି । ତେବେ ମାଁ ଖମ୍ବେଶ୍ୱରୀଙ୍କ ଉତ୍ପତି ଓ ପୂଜାବିଧି ଅତି ନିଆରା ଅଟେ । ମାଁ ଖମ୍ବେଶ୍ୱରୀଙ୍କ ପୀଠସ୍ଥଳକୁ ପାନାବେଡ଼ା ବୋଲି କୁହାଯାଉଥିବା ବେଳେ ମାଁଙ୍କ ପୀଠସ୍ଥଳୀ ଅନୁସାରେ ଏହି ଅଞ୍ଚଳ ନାମିତ ରହିଥିବା ମଧ୍ୟ କିମ୍ବଦନ୍ତୀ ରହିଛି । କଥିତ ଅଛି ପୂର୍ବରୁ ମୋତିଗାଁ ଅଞ୍ଚଳରେ ଗଣ୍ଡ ଜାତିର ନେଙ୍ଗୀ ସଂଜ୍ଞାଧାରୀ ଯଦୁବଂଶୀ ଓ ଭୁଞ୍ଜିଆ ଜାତିର ଉଦ୍ଧମ ପାତରଙ୍କ ବଂଶଧରମାନେ ରହି ଆସୁଥିଲେ । ଦିନେ ଏହି ଦୁଇ ଆଦିବାସୀ ସମ୍ପ୍ରଦାୟର କିଛି ଲୋକ ପାଖ ଜମିକୁ କନ୍ଦମୂଳ ଖୋଳିବାକୁ ଯାଇଥିଲେ । କନ୍ଧମୂଳ ଖୋଳିବା ସମୟରେ ଶାବଳ ଏକ ଲିଙ୍ଗ ସଦୃଶ୍ୟ ଖମ୍ବ ଉପରେ ପ୍ରହାର ହୋଇଥିଲା । ଏଥିସହ ଉକ୍ତ ଲିଙ୍ଗରୁ ରକ୍ତ ପ୍ରବାହ ଛୁଟିବାରେ ଲାଗିଲା । ଘଟଣା ସମ୍ପର୍କରେ କହିବାରୁ ଦୁଇ ଆଦିବାସୀ ଜାତି ଗୁଣ୍ଡ ଓ ଭୂଜିଆ ଏହାର କାରଣ ଜାଣିବାକୁ ଦିସାରିଙ୍କୁ ଡାକି ଦେବୀଙ୍କୁ ଆହ୍ବାନ କରିବା ପରେ ଦେବୀ ପ୍ରସନ୍ନ ହୋଇ ସେ ଖମ୍ବେଶ୍ୱରୀ ଦେବୀ ଓ ତାଙ୍କ ଖମ୍ବ ଉପରେ ଆଘାତ ହୋଇଥିବାରୁ ରକ୍ତ ପ୍ରବାହ ହେଉଛି ବୋଲି କହିଥିଲେ । ଯଦି ତାଙ୍କ ପୂଜାବିଧି କରାଯାଏ ତେବେ ଶାନ୍ତ ହେବେ ବୋଲି ଦିସାରୀ ଓ ଶୀରା ପ୍ରକାଶ କରିଥିଲେ । ଦେବୀଙ୍କୁ ପୂଜା କରିବାକୁ ହେଲେ ଶ୍ରାବଣ ପୂର୍ଣ୍ଣିମା ଦିନ ବୋହଲେନ୍ ଯାତ୍ରାରେ ଓ ବୈଶାଖ ପୂର୍ଣ୍ଣିମାରେ ମଣ୍ଢେଇ ଯାତ୍ରାରେ ବାର ପୁଟି ଚାଉଳ ଓ ଷୋହଳଟି ବୋଦା ବଳି ଦେଇ ପର୍ବ ପାଳନ କରିବାକୁ ଦେବୀ ନିର୍ଦ୍ଦେଶ ଦେଇଥିଲେ । ପରମ୍ପରା ଅନୁସାରେ ବର୍ତ୍ତମାନ ମଧ୍ୟ ବାର ପୁଟି ଚାଉଳ ଅର୍ଥାତ୍ ବାରଟି ଦୋନାରେ ଚାଉଳ ଓ ଷୋହଳଟି ବୋଦା ବଳି ଦେଇ ନାଁ ଖମ୍ବେଶ୍ୱରୀଙ୍କ ପୂଜା କରାଯାଇଥାଏ । ପରମ୍ପରା ଅନୁଯାୟୀ ଗଣ୍ଡ ନେଙ୍ଗ ବଂଶାବଳୀ ଓ ଭୂଞ୍ଜିଆ ପାତର ବଂଶାବଳୀ ଜଣେ ପତ୍ର ରଖିଲେ ଆଉ ଜଣେ ଚାଉଳ ପୁଞ୍ଜି କରି ତାପରେ ଦୀପ ଦେଇ ପୂଜା କରିବାର ବିଧି ରହିଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ପ୍ରତାପ ପୂଜାରୀଙ୍କ ଅନ୍ତେ ଚେନ୍ ସିଂ ପୂଜାରୀ ଗାଁ ଖମ୍ବେଶ୍ୱରୀଙ୍କ ପୂଜା କାର୍ଯ୍ୟ କରି ଆସୁଛନ୍ତି ।