ଦୋଷୀଙ୍କୁ ବହିଷ୍କାର କରିବା ବଦଳରେ ଘଣ୍ଟ ଘୋଡାଇବା ଉଦ୍ୟମ କରୁଛି ବ୍ଲକ ପ୍ରଶାସନ -ଦଳିତ ଅଧିକାର ମଞ୍ଚ
ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ବହୁ ଚର୍ଚ୍ଚିତ ଝାରବନ୍ଧ ପଞ୍ଚାୟତ ପିଡିଏସ ଚାଉଳ ଘୋଟାଲା ମାମଲାରେ ସେହି ପଞ୍ଚାୟତର ପିଇଓ ଡିଙ୍ଗର ଜଗତ ଓ ଯୋଗାଣ ସହାୟକଙ୍କୁ ସିନାପାଲି ବିଡିଓ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୋଟିସ ଜାରି କରିଥିବା କହିଛନ୍ତି ସିନାପାଲି ବିଡିଓ। କାହିଁକି ଝାରବନ୍ଧରେ ଏପରି ପରିସ୍ଥିତି ଉପୁଜିଲା ସେ ସଂପର୍କରେ ତଥ୍ଯ ଗତ ପ୍ରମାଣ ସହିତ ୧୫ଦିନ ମଧ୍ଯରେ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି ହୋଇଥିବା ବିଡ଼ିଓ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁଇଟ୍ କରି ଜିଲ୍ଲାପାଳଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ଯ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ତଦନ୍ତ ହୋଇନଥିବା ଜଣାପଡିଛି। ଏହି ଘଟଣାକୁ ନେଇ ସିନାପାଲି ଅଞ୍ଚଳରେ ଲଗାତାର ପ୍ରାୟ ୨୫ଦିନ ହେବ ଅଶାନ୍ତକର ବାତାବରଣ ରହି ଆସୁଛି। ଏକାଧିକ ଥର ବିଭିନ୍ନ ସଂଗଠନ ଦ୍ବାରା ବ୍ଲକ ଘେରାଉ, ଧାରଣା, ଆନ୍ଦୋଳନ ହୋଇ ହିତାଧିକାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରାଯାଇଛି। ସ୍ଥାନୀୟ ପ୍ରଶାସନ ମଧ୍ଯ ତଦନ୍ତ କରି ସାରିଛି। କିନ୍ତୁ ଏହି ତଦନ୍ତ ରିପୋର୍ଟ ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପୁନର୍ବାର କାରଣ ଦର୍ଶାଅ ନୋଟିସ ପାଇଁ ୧୫ଦିନ ସମୟ ଦେବା ପ୍ରଶାସନ ଉଦ୍ଦେଶ୍ଯ କ’ଣ ତାହା ଆଉ କାହାକୁ ଅଛପା ନାହିଁ ବୋଲି ବାରମ୍ବାର ଆନ୍ଦୋଳନ କରୁଥିବା ଦଲିତ ଅଧିକାର ମଞ୍ଚ ରାଜ୍ଯ ସଭାପତି କମଲ ଚରଣ ତାଣ୍ତି ପ୍ରକାଶ କରିବାସହ ପ୍ରଶାସନର ସ୍ୱଛତା ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏହାସହ ଦୁର୍ନିତୀକୁ ଘଣ୍ଟ ଘୋଡାଇବା ପାଇଁ ପ୍ରଶାସନ ଜାଣିଶୁଣି ସମୟ ଗଡାଇ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ସିନାପାଲି ଯୁବା ମଞ୍ଚ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରିୟ ରଂଜନ ମେହେର ମଧ୍ଯ ଅନୁରୁପ ଭାବରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପ୍ରଶାସନ ଭୃକ୍ଷେପ କରୁନଥିବା ଦୁର୍ଭାଗ୍ଯର ବିଷୟ ବୋଲି କହିଛନ୍ତି।




