ନର୍ଲା ବଜାରରେ ପରିବା ଦର ଆକାଶ ଛୁଆଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ନର୍ଲାରେ ସପ୍ତାହକୁ ଦୁଇଥର ରବିବାର ଓ ଗୁରୁବାର ବଜାର ବସେ । ନର୍ଲା ସାପ୍ତାହିକ ବଜାର ଉପରେ ନର୍ଲା ତଥା ଲାଞ୍ଜିଗଡ ବ୍ଲକର ୧୦ ଗୋଟି ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ଏହି ବଜାରରେ ସବୁ ସମୟରେ ପରିବା ଦର ଅନ୍ୟ ସ୍ଥାନ ଗୁଡିକ ଅପେକ୍ଷା ବହୁତ ବେଶୀ ରହିଥାଏ । ନର୍ଲା ଓ ଲାଞ୍ଜିଗଡ ଅଞ୍ଚଳରେ ଖାଉଟିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଏଠାରେ ପରିବା ଚାଷୀ ଅଳ୍ପ କେଇଜଣ ଅଛନ୍ତି ଯାହା ନାହିଁ କହିଲେ ଚଳେ । ଏଠାକାର ପରିବା ବ୍ୟବସାୟୀ ସ୍ଥାନୀୟ ଚାଷୀଙ୍କ ଠାରୁ ୨୦ ପ୍ରତିଶତ ପରିବା ସଂଗ୍ରହ କରୁଥିବା ବେଳେ ରାୟପୁର ଓ ବିଜୟନଗରମରୁ ୮୦ ପ୍ରତିଶତ ପରିବା ଆଣି ଅଞ୍ଚଳରେ ବିକ୍ରୟ କରିଥାନ୍ତି । ଆଉ ମାଛ, ଅଣ୍ଡା ତଥା ବ୍ରଏଲର କୁକୁଡା ପାଇଁ ସଂପୂର୍ଣ୍ଣ ଭାବରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ପାର୍ବତୀପୁରମ ଉପରେ ନିର୍ଭର କରିଥାନ୍ତି । ନର୍ଲା ଅଞ୍ଚଳର ପରିବା ଚାଷ ଅଞ୍ଚଳ ଗୁଡିକ ମଧ୍ୟରେ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡ, ଘଣ୍ଟମାଳ ଗ୍ରାମ ପଞ୍ଚାୟତର ଆଡରିଂ, ଇନ୍ଦ୍ରମାଳ, ତିଳେଇମାଳ, ବୁରାଟ, କେଶପଲା, ଘୋଡାବନ୍ଧ ଗ୍ରାମ ପଞ୍ଚାୟତର ଲମସିଙ୍ଗା, ଭାନପୁର ଗ୍ରାମ ପଞ୍ଚାୟତର ରାକ୍ସୀ ଓ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର କେଇଗୋଟି ଗ୍ରାମ, ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସର୍ଗିଗୁଡା, ବାଙ୍କେଲର ସାହୁପଡା ବାସ୍ ଏସବୁ ଗ୍ରାମର ଅଳ୍ପ କେଇଜଣ ଚାଷୀ ପରିବା ଚାଷ କରିଥାନ୍ତି । ନର୍ଲା ଗ୍ରାମ ଶେଷମୁଣ୍ଡ ନର୍ଲା ସୀମାରେଖାକୁ ଲାଗି ରହିଥିବା ଲାଞ୍ଜିଗଡ ବ୍ଲକର କମର୍ଦ୍ଧା ଗ୍ରାମ ପଞ୍ଚାୟତର କମର୍ଦ୍ଧା ଗ୍ରାମ, ଉଲିଗୁଞ୍ଜି, ଗନ୍ଧର୍ବାରୁ ଏଭଳି ମାତ୍ର ଗୋଟିଏ ଦୁଇଟି ଗ୍ରାମର ଅଳ୍ପ କେଇଜଣ ଚାଷୀ ପରିବା ଚାଷ କରିଥାନ୍ତି ଯାହା ନର୍ଲା ଖାଉଟିଙ୍କ ପାଇଁ ଯଥେଷ୍ଟ ନୁହଁ । ଏଣୁ ନର୍ଲା ଅଞ୍ଚଳର ପରିବା ଚାଷୀ ମାନେ ଅଧିକାଂଶରେ ରାୟପୁର, ପାର୍ବତୀପୁରମ ଓ ବିଜୟନଗରମରୁ ପରିବା ଆଣି ନର୍ଲାରେ ବିକ୍ରୟ କରିଥାନ୍ତି । ଶୀତଳ ଭଣ୍ଡାର ଗୁଡିକରୁ ପ୍ରାୟତଃ ପରିବା ଆସୁଥିବାରୁ ପରିବା ନର୍ଲା ଖାଉଟିଙ୍କ ପାଖରେ ପହଞ୍ଚିଲା ବେଳକୁ ଦର ଆକାଶଛୁଆଁ ହୋଇଯାଇଥାଏ । ଏବେ ନର୍ଲା ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ତାତି । ପାଣିର ସୁବିଧା ନାହିଁ । ମଣିଷ ପିଇବା ପାଇଁ ପାଣି ନାହିଁ । ପରିବା ଚାଷ ବା କିଏ ଭାବିବ । ରବିବାର ଓ ଗୁରୁବାର ନର୍ଲା, ସୋମବାର ବାଲିପଡା ଓ ସରିଆଁ, ମଙ୍ଗଳବାର ରୁପ୍ରା, ବୁଧବାର ରୁପ୍ରାରୋଡ, ଶୁକ୍ରବାର ଲାଖପଦର ଏବଂ ଶନିବାର ଦିନ ଶାନ୍ତପୁର ଓ ବୁଢିପଦର ଠାରେ ସାପ୍ତାହିକ ବଜାର ବସିଥାଏ । ଉପରୋକ୍ତ ବଜାର ଗୁଡିକ ଉପରେ ନର୍ଲା ଅଞ୍ଚଳବାସୀ ନିର୍ଭର କରୁଥିବା ବେଳେ ପରିବା ଦର ହୁ ହୁ ହୋଇ ବଢୁଛି । ବଜାର ଗୁଡିକରେ କିଲୋ ପ୍ରତି ବାଇଗଣ ୪୦ ଟଙ୍କା, ଟମାଟୋ ୮୦ ଟଙ୍କା, ଭେଣ୍ଡି ୪୦ ଟଙ୍କା, କାଙ୍କଡ ୧୨୦ ଟଙ୍କା, ସଜନା ଛୁଇଁ ୧୨୦ ଟଙ୍କା, ତୋରଡା ୪୦ ଟଙ୍କା, ପୋଟଳ ୮୦ ଟଙ୍କା ଆଉ ଫୁଲକୋବି ଦର ନକହିବା ଭଲ । ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ଖାଉଟି ପରିବା ରେ ହାତ ମାରି ପାରୁନଥିବା ବେଳେ ଆଳୁ ହିଁ ଏସବୁର ମୁଖ୍ୟ ବିକଳ୍ପ ସାଜିଛି । ନର୍ଲାରେ ଆଳୁ ଦର ଏବେ ୨୫ ରୁ ୩୦ ଟଙ୍କା ରହିଛି । ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ବର୍ଷା ଜଳକୁ ସମ୍ପୂର୍ଣ୍ଣ ଭରଷା କରି ଚାଷ କରିଥାନ୍ତି । ଏଠି ପ୍ରାୟତଃ କ୍ଷୁଦ୍ର ଓ ମଧ୍ୟବିତ୍ତ ଶ୍ରେଣୀର ଚାଷୀ ରହୁଥିବା ବେଳେ ପ୍ରତିବର୍ଷ ମରୁଡିର ତାଡନାରେ ଧାର କରଜରେ ଚାଷୀ ବୁଡି ରହିଛନ୍ତି । ଏଣୁ ପରିବା ଚାଷ ପାଇଁ ଉଠାଜଳ ସେଚନ କିମ୍ବା ପାଣିର ସୁ ବ୍ୟବସ୍ଥା ହୋଇପାରିଲେ ଏଠାକାର ଅଧିକାଂଶ ଚାଷୀଙ୍କ ମଧ୍ୟ ପନିପରିବା ଚାଷ କରି ସେମାନଙ୍କ ଆର୍ଥିକସ୍ଥିତି ସୁଦୃଢ ହୋଇପାରନ୍ତା । ହେଲେ ଚାଷୀଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରଣୟନ ହେଉଥିବା ବେଳେ ତାହା ନର୍ଲା ଚାଷୀଙ୍କ ପାଖରେ ପହଞ୍ଚି ପାରୁନି । ଆଉ ନର୍ଲାରେ ଉଦ୍ୟାନ ବିଭାଗ ନାହିଁ କହିଲେ ଚଳେ । ଉଦ୍ୟାନ ବିଭାଗ ତରଫରୁ ପରିବା ଚଷୀଙ୍କୁ ଉତ୍ସାହିତ କରିବେ କଣ ? ଓଲଟା ଚାଷୀଙ୍କ ଠାରୁ ଦୂରେଇ ରହୁଛନ୍ତି ଅଧିକାରୀ ଓ କର୍ମଚାରୀ । ଏଣୁ ନର୍ଲା ଅଞ୍ଚଳରେ ଧିରେ ଧିରେ ପରିବା ଚାଷୀଙ୍କ ସଂଖ୍ୟା କମି କମି ଆସୁଛି । ଏବଂ ଦିନକୁ ଦିନ ନର୍ଲା ଅଞ୍ଚଳର ଖାଉଟି ରାୟପୁର ଓ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ ଓ ବିଜୟନଗରମ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.