ବର୍ଷା ଧୋଇନେଲା ଅସ୍ଥାୟୀ ପୋଲ: ଲାଞ୍ଜିଗଡ-ବନ୍ଧପାରି ଯୋଗାଯୋଗ ବିଚ୍ଛିନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଲାଞ୍ଜିଗଡ ବ୍ଳକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବ୍ଳକର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଲାଞ୍ଜିଗଡ-ବନ୍ଧପାରି ସଂଯୋଗ କରୁଥିବା ରାସ୍ତାର ଲେପଟାଗୁଡା ଗାଁ ଛକ ନିକଟରେ ଥିବା ଅସ୍ଥାୟୀ ପୋଲଟି ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି। ଫଳରେ ଲାଞ୍ଜିଗଡ-ବନ୍ଧପାରି ଯୋଗାଯୋଗ ବିଛିନ୍ନ ହୋଇଛି। ଲାଞ୍ଜିଗଡ ବ୍ଳକ ସର୍ବାଧିକ ୧୭୧.୬ ମିଲିଲିଟର ବର୍ଷା ପାଣିପାଗ ବିଭାଗ ଦ୍ଵାରା ରେକର୍ଡ କରାଯାଇଥିବା ବେଳେ ବ୍ଳକର ବଂଶୀଧାରା, ରେତ ଆଦି ନଦୀରେ ଜଳଶ୍ରୋତ ବୃଦ୍ଧି ପାଇଛି। ଏହିପରି ଅଞ୍ଚଳରେ ୧୫ରୁ ଅଧିକ ସ୍ଥାନରେ ଛୋଟ ଛୋଟ ନାଳରେ ଜଳ ସ୍ରୋତ ବୃଦ୍ଧି ପାଉଛି। ଯାହା ଫଳରେ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଲାଞ୍ଜିଗଡ-ବନ୍ଧପାରି ରାସ୍ତାରେ ଥିବା ଏହି ପୋଲ ନିର୍ମାଣ କରିବା ପାଇଁ ଠିକାଦାର ବହୁଦିନରୁ ପୁରୁଣା ପୋଲକୁ ଭାଙ୍ଗି ଲୋକଙ୍କ ଯାତାୟତ ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ। ତେବେ ଏହି ବର୍ଷାରେ ସେହି ଆସ୍ଥାୟୀ ପୋଲଟି ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଛି। ଯାହା ଫଳରେ ଲୋକଙ୍କୁ ଲାଞ୍ଜିଗଡ-ବନ୍ଧପାରିକୁ ୧୦ କିଲୋମିଟର ଯିବା ବଦଳରେ ୩୦ କିଲୋମିଟର ଯିବାକୁ ପଡୁଛି। ଠିକାଦାରଙ୍କ ଅବହେଳା ଯୋଗୁଁ ପୋଲ ନିର୍ମାଣ ବହୁ ବିଳମ୍ବ ଯୋଗୁଁ ଆଜି ଅସ୍ଥାୟୀ ପୋଲଟି ଧୋଇନେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଲାଞ୍ଜିଗଡ ବ୍ଳକ ଦାଇତ୍ୱରେ ଥିବା ଯନ୍ତ୍ରୀ ବସନ୍ତ ବେହେରାଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ କଲ ଟିକୁ ଗ୍ରହଣ କରିନଥିଲେ। ଏଣୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବାକୁ ଅଞ୍ଚବାସୀ ଦାବି କରିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.