ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ନାମିବିୟା ମଧ୍ୟରେ MoU ସ୍ବାକ୍ଷରିତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତ ସରକାର ଏବଂ ନାମିବିୟା ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଆଜି ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜ୍‌ରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ବିକାଶକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପାରସ୍ପରିକ ସହଯୋଗ ବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରିବ । ଉଭୟ ରାଷ୍ଟ୍ର ପାରସ୍ପରିକ ବିଧିବିଧାନ, ସାର୍ବଭୌମତ୍ୱ, ସମାନତା ତଥା ଭାରତ ଏବଂ ନାମିବିୟାର ସର୍ବଶ୍ରେଷ୍ଠ ସ୍ୱାର୍ଥ ପ୍ରତି ସମ୍ମାନ ପ୍ରଦର୍ଶନ ଆଧାରରେ କାର୍ଯ୍ୟ କରିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୁଝାମଣାପତ୍ରରେ ଥିବା ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା:

Udyog Nursery
Udyogi Nursery

ଉଭୟ ରାଷ୍ଟ୍ରର ଯେଉଁସବୁ ଅଞ୍ଚଳରେ ପୂର୍ବରୁ ଚିତାବାଘ ବସବାସ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ସେଠାରୁ ଲୋପ ପାଇଯାଇଛନ୍ତି ସେହିସବୁ ସ୍ଥାନମାନଙ୍କରେ ସେମାନଙ୍କର ପୁନଃସଂସ୍ଥାପନ ଏବଂ ସଂରକ୍ଷଣ ଉପରେ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ୱ ଆରୋପ ପୂର୍ବକ ଜୈବବିବିଧତାର ସୁରକ୍ଷା ଦିଗରେ ଭାରତ ଏବଂ ନାମିବିୟା କାର୍ଯ୍ୟ କରିବେ ।

ଦୁଇ ଦେଶରେ ଚିତାବାଘଙ୍କ ବିକାଶ ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ଉଭୟ ରାଷ୍ଟ୍ର ନିଜ ନିଜର ବିଶେଷ ଜ୍ଞାନ ଏବଂ କ୍ଷମତା ପରସ୍ପର ମଧ୍ୟରେ ବାଣ୍ଟିବେ ।

ଉତ୍ତମ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦୁଇ ଦେଶ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଭାଗୀ ହେବେ ।

ଜୈବବିବିଧତାର ସଂରକ୍ଷଣ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସ୍ଥାନୀୟ ଗୋଷ୍ଠୀର ଲୋକମାନେ ଯେଉଁମାନେ କି ବନ୍ୟପ୍ରାଣୀମାନଙ୍କ ଆବାସସ୍ଥଳୀ କ୍ଷେତ୍ରରେ ବସବାସ କରିଆସୁଛନ୍ତି ସେମାନଙ୍କ ନିମନ୍ତେ ଜୀବନଜୀବିକା ବ୍ୟବସ୍ଥା ସୃଷ୍ଟି କରିବା ।

ଜଳବାୟୁ ପରିବର୍ତ୍ତନ, ପର୍ଯ୍ୟାବରଣ ଜନିତ ସୁଶାସନ, ପର୍ଯ୍ୟାବରଣ ଜନିତ ପ୍ରଭାବର ଆକଳନ, ପ୍ରଦୂଷଣ ଓ ବର୍ଜ୍ୟ ପରିଚାଳନା ତଥା ଅନ୍ୟାନ୍ୟ ପାରସ୍ପରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ମିଳିତ ସହଯୋଗ ଆଧାରରେ କାର୍ଯ୍ୟ କରିବା ।

ପ୍ରଯୁକ୍ତିଗତ ବିଶେଷ ଜ୍ଞାନ ସମେତ ଯେଉଁଠାରେ ଆବଶ୍ୟକ ବନ୍ୟପ୍ରାଣୀ ପରିଚାଳନା ତାଲିମ ଏବଂ ଶିକ୍ଷାଦାନ ନିମନ୍ତେ ଉଭୟ ଦେଶ ମଧ୍ୟରେ ଅଧିକାରୀ ଓ କର୍ମଚାରୀମାନଙ୍କ ଆଦାନପ୍ରଦାନ ।

ଜାତୀୟ ସଂରଣକ୍ଷ ନୀତି ତଥା ଭାବଧାରାରେ ଚିତାବାଘମାନଙ୍କ ସଂରକ୍ଷଣ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ । ଭାରତରେ ଚିତାବାଘମାନଙ୍କୁ ପୁଣି ଫେରାଇ ଆଣିବା ମଧ୍ୟ ସଂରକ୍ଷଣ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ । ଚିତାବାଘଙ୍କ ପୁନଃବିକାଶ ମୂଳ ଚିତାବାଘଙ୍କ ଆବାସସ୍ଥଳୀ ସଂରକ୍ଷଣର ଏକ ପ୍ରୋଟୋଟାଇପ୍‌ର ଅଂଶବିଶେଷ ହେବ ଏବଂ ଏହା ସେମାନଙ୍କ ଜୈବବିବିଧତାର ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିବ । ଏହା ଦେଶରୁ ଦ୍ରୁତ ହ୍ରାସ ପାଉଥିବା ଜୈବବିବିଧତାର ସଂରକ୍ଷଣ ପାଇଁ ମଧ୍ୟ ସହାୟକ ହେବ ।

ବର୍ତ୍ତମାନ ବଡ଼ ବଡ଼ ମାଂସାସୀ ବନ୍ୟପ୍ରାଣୀମାନେ ମାନବୀୟ ସ୍ୱାର୍ଥ ସହିତ ଯେଉଁଭଳି ଭାବେ ସଂଘର୍ଷରତ ସେମାନଙ୍କ ତାଲିକାର ସର୍ବନିମ୍ନରେ ଚିତାବାଘ ରହିଛି କାରଣ ସେମାନେ ଜନମାନବଙ୍କ ପାଇଁ କୌଣସି ଦୃଷ୍ଟିରୁ ବିପଦ ସୃଷ୍ଟି କରିନଥାନ୍ତି କିମ୍ବା ସେମାନେ ବଡ଼ ବଡ଼ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଆକ୍ରମଣ କରିନଥାନ୍ତି । ଏଭଳି ଏକ ବନ୍ୟପ୍ରାଣୀର ପୁନଃବିକାଶ ଘଟାଇବା ଐତିହାସିକ ବିବର୍ତ୍ତନ ସନ୍ତୁଳନ ଦିଗରେ ସହାୟକ ହେବ ଏବଂ ଯାହାକି ପରିବେଶର ବିଭିନ୍ନ ସ୍ତରରେ ମଧ୍ୟ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇବ । ଏହା ବନ୍ୟପ୍ରାଣୀ ବିଚରଣ କ୍ଷେତ୍ର (ତୃଣଭୂମି, ଚାରଣଭୂମି ଏବଂ ମୁକ୍ତ ଜଙ୍ଗଲ ବାତାବରଣ)ର ସୁପରିଚାଳନା ଏବଂ ପୁନଃସଂସ୍ଥାପନ ପାଇଁ ମଧ୍ୟ ସହାୟକ ହୋଇପାରିବ ଏବଂ ଚିତାବାଘମାନଙ୍କ ଶିକାରର ସଂରକ୍ଷଣ ଏବଂ ଅନ୍ୟନ୍ୟ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ସଂରକ୍ଷଣର ସୁରକ୍ଷା ତଥା ବଡ଼ ବଡ଼ ହିଂସ୍ରପ୍ରାଣୀମାନଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଉପରୁ ତଳ ସ୍ତର ଆଧାରରେ ପରିଚାଳନା କରିବା ଏବଂ ପାରିବେଶିକ ଦୃଷ୍ଟିରୁ ତଳ ସ୍ତରରେ ଏହାର ବିବିଧତା ବଜାୟ ରଖିବା ଦିଗରେ ମଧ୍ୟ ଉପକାରସିଦ୍ଧ ବୋଲି ବିବେଚନା କରାଯିବ ।

ଭାରତରେ ଚିତାବାଘ ପୁନଃସଂରକ୍ଷଣ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶରେ ଚିତାବାଘ ସଂଖ୍ୟାର ଉଲ୍ଲେଖନୀୟ ବୃଦ୍ଧି ଘଟାଇବା ଯଦ୍ୱାରା ଚିତାବାଘମାନେ ଏକ ପ୍ରମୁଖ ବନ୍ୟପ୍ରାଣୀ ଭାବେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରିପାରିବେ । ଏହା ଫଳରେ ପୂର୍ବରୁ ଯେଉଁସବୁ ବନ୍ୟକ୍ଷେତ୍ରରେ ସେମାନେ ବସବାସ କରୁଥିଲେ ସେଠାରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଏହା ଏକ ମୁଖ୍ୟ କାର୍ଯ୍ୟ ହେବ ।

ଏହି ପରିପ୍ରେକ୍ଷୀରେ ୨୦୧୦ ଠାରୁ ୨୦୧୨ ମସିହା ମଧ୍ୟରେ ୧୦ଟି ସ୍ଥାନରେ ସର୍ଭେ କାର୍ଯ୍ୟ ସଂପାଦନ କରାଯାଇଛି । ଭାରତରେ ଚିତାବାଘଙ୍କ ପୁନଃବିକାଶ ସ୍ଥାପନ ନିମନ୍ତେ ଏହିସବୁ ସମ୍ଭାବ୍ୟ ସ୍ଥାନମାନ ଆଇୟୁସିଏନ ଗାଇଡ଼ଲାଇନ ଅନୁସାରେ ନିର୍ଦ୍ଧାରଣ କରାଯାଇଛି । ସେହିସବୁ ସ୍ଥାନ ପୂର୍ବରୁ ଚିତାବାଘଙ୍କ ସଂଖ୍ୟା, ଆନୁବଂଶିକ ବିଜ୍ଞାନ ଏବଂ ସାମାଜିକ- ଆର୍ଥିକ ଦୃଷ୍ଟିରୁ ଅନ୍ୟାନ୍ୟ ପ୍ରାଣୀମାନଙ୍କ ସହିତ ସେମାନଙ୍କର ସଂଗ୍ରାମ ଆଦି ଆଧାରରେ ନିର୍ଦ୍ଧାରଣ କରାଯାଇଛି । ମଧ୍ୟ ପ୍ରଦେଶର କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନ ଚିତାବାଘଙ୍କୁ ସ୍ୱାଗତ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଛି । ଏଠାରେ ଚିତାବାଘମାନଙ୍କ ପୁନଃବିକାଶ ସକାଶେ ସର୍ବନିମ୍ନ ପରିଚାଳନାଗତ ଅର୍ଥ ବ୍ୟୟ କରିବାକୁ ପଡ଼ିବ; କାରଣ, ଏହି ସଂରକ୍ଷଣ କ୍ଷେତ୍ରରେ ଏସୀୟ ସିଂହଙ୍କ ପୁନଃବିକାଶ କାର୍ଯ୍ୟକ୍ରମ ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରାଯାଇସାରିଛି ।

କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ଚିତାବାଘଙ୍କୁ ଆଣି ପୁନଃବିକାଶ ଘଟାଇବା କାର୍ଯ୍ୟ ଆଇୟୁସିଏନ ନିୟମାବଳୀ ଆଧାରରେ ବିକାଶ ଘଟାଯାଇଛି ଏବଂ ସେଠାରେ ସ୍ଥାନ ଆକଳନ ଏବଂ ଅନ୍ୟାନ ଶିକାରୀ ପ୍ରାଣୀଙ୍କ ସାନ୍ଦ୍ରତା ଆଦି ବିଷୟ ଅଧ୍ୟୟନ କରାଯାଇଛି । ତେଣୁ କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନରେ ତଦନୁସାରେ କେତେ ସଂଖ୍ୟକ ଚିତାବାଘଙ୍କ ବିକାଶ ଘଟାଯିବ ତାହା ନିର୍ଦ୍ଧାରଣ କରାଯାଇଛି ।

ବର୍ତ୍ତମାନର ସ୍ଥିତାବସ୍ଥା ଦୃଷ୍ଟରୁ କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନରେ ସର୍ବାଧିକ ୨୧ଟି ଚିତାବାଘ ରଖାଯିବାକୁ ସ୍ଥିର କରାଯାଇଛି । ଯଦ୍ୟପି ଏହି ବିସ୍ତୀର୍ଣ୍ଣ ବନକ୍ଷେତ୍ରରେ ୩୬ଟି ଚିତା ସ୍ୱଚ୍ଛନ୍ଦରେ ବସବାସ କରିପାରିବେ । କୁନୋ ବନ୍ୟପ୍ରାଣୀ ଡିଭିଜନର ଅବଶିଷ୍ଟ ଅଂଶ (୧,୨୮୦ ବର୍ଗ କିଲୋମିଟର)କୁ ଏଥିରେ ସାମିଲ କରି ସେଠାରେ ଚିତାବାଘ ଆବାସ ସ୍ଥଳୀର ମାତ୍ରାକୁ ଶିକାର ପୁନଃସଂସ୍ଥାପନ ସହ ବୃଦ୍ଧି କରାଯାଇପାରିବ ।

ଭାରତରେ ଚିତାବାଘ ପୁନଃପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଆର୍ଥିକ ଓ ପ୍ରଶାସନିକ ସହାୟତା ଏନଟିସିଏ ମାଧ୍ୟମରେ କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ । ସରକାର ଏବଂ ବିଭିନ୍ନ କର୍ପୋରେଟ୍‌ ଏଜେନ୍ସିମାନେ ସେମାନଙ୍କୁ ସେମାନଙ୍କ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସଆର) ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ର ସ୍ତରରେ ଅତିରିକ୍ତ ପାଣ୍ଠି ପ୍ରଦାନ ନିମନ୍ତେ ପ୍ରୋତ୍ସାହିତ କରାଯିବ । ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ), ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାଂସାସୀ/ ଚିତାବାଘ ବିଶେଷଜ୍ଞ/ ଏଜେନ୍ସିମାନେ ଏହି କାର୍ଯ୍ୟକ୍ରମ ସକାଶେ ପ୍ରଯୁକ୍ତିଗତ ତଥା ଅନ୍ୟାନ୍ୟ ତଥ୍ୟସୂଚନା ଜ୍ଞାନ ଯୋଗାଇଦେବେ ।

କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏନଟିସିଏ, ଡବ୍ଲୁଆଇଆଇ, ରାଜ୍ୟ ଜଙ୍ଗଲ ବିଭାଗମାନଙ୍କୁ ଭାରତରେ ଚିତାବାଘ ପ୍ରକଳ୍ପର ପୁନଃପ୍ରବର୍ତ୍ତନକୁ ସଫଳ କରିବା ସଂପର୍କରେ ସଚେତନ କରାଯିବ । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଆଫ୍ରିକାରେ ଚିତାବାଘ ସଂରଣକ୍ଷ ରିଜର୍ଭ କାର୍ଯ୍ୟକ୍ରମର ସଫଳତା ଆଧାରେ ଦକ୍ଷତା ବୃଦ୍ଧି କରାଯିବ । ଏହା ବ୍ୟତୀତ, ଆଫ୍ରିକାର ଚିତା ପରିଚାଳକ ତଥା ପ୍ରାଣୀବିଜ୍ଞାନୀମାନେ ସେମାନଙ୍କର ଭାରତୀୟ ପ୍ରତିପକ୍ଷଙ୍କୁ ଆବଶ୍ୟକ ସକଳ ପ୍ରକାର ତାଲିମ ପ୍ରଦାନ କରିବେ ।

କୁନୋ ଜାତୀୟ ବନ୍ୟପ୍ରାଣୀ ଉଦ୍ଦ୍ୟାନ ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ବହନ କରିବ ଯାହାକି ଚିତାବାଘଙ୍କ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଏକାନ୍ତ ଜରୁରି । ଏହା ବ୍ୟତୀତ ଏକ ଚିତା ଗବେଷଣା ଗୋଷ୍ଠୀ ଗବେଷଣା କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ରହିବେ । ସେହିଭଳି ସ୍ଥାନୀୟ ଗ୍ରାମବାସୀମାନଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଆଉଟରିଚ୍‌ ଏବଂ ସଚେତନତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯିବ । ସରପଞ୍ଚ (ଗାଆଁ ମୁଖିଆ), ସ୍ଥାନୀୟ ନେତୃବୃନ୍ଦ, ଶିକ୍ଷକ, ସାମାଜିକ କର୍ମୀ, ଧର୍ମୀୟ ବ୍ୟକ୍ତିବିଶେଷ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଏହି ସଂରକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଓତଃପ୍ରୋତ ଭାବେ ସାମିଲ କରାଯିବ । ଅନ୍ୟ ପକ୍ଷରେ ସ୍ଥାନୀୟ ବିଦ୍ୟାଳୟ, କଲେଜ ଏବଂ ଗ୍ରାମମାନଙ୍କରେ ଲୋକମାନଙ୍କୁ ସଂରକ୍ଷଣ ଏବଂ ଉପଲବ୍ଧ ବିଭିନ୍ନ ଯୋଜନା ଆଦି ସଂପର୍କରେ ସଚେତନ କରିବା ନିମନ୍ତେ ଜଙ୍ଗଲ ବିଭାଗ ସହଯୋଗରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଏଥି ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ଏବେ ଜାରି ରହିଛି ଯଦ୍ୱାରା ସ୍ଥାନୀୟ ମାସ୍କଟ୍‌ ( ନାମ, ‘ଚିଣ୍ଟୁ ଚିତା’) ମାଧ୍ୟମରେ ସ୍ଥାନୀୟ ଗୋଷ୍ଠୀଙ୍କୁ ସଚେତନ କରାଯାଉଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ରାଜ୍ୟ ବିଧାନସଭାକୁ ନିର୍ବାଚିତ ସମସ୍ତ ଜନ ପ୍ରତିନିଧିମାନଙ୍କୁ ସେମାନଙ୍କର ନିଜ ନିଜ ନିର୍ବାଚନମଣ୍ଡଳୀ କ୍ଷେତ୍ରରେ କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନରେ ଚିତା-ମାନବ ସହାବସ୍ଥାନ ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

୨୦୨୦ ମସିହାରେ ଭାରତର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ, ଭାରତରେ ଚିତାବାଘର ପୁନଃପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ), କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପରିଚାଳନା କରୁଛନ୍ତି । ଭାରତର ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବସ୍ଥାପିତ ବିଶେଷଜ୍ଞ କମିଟି ଏହାକୁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନା ପ୍ରଦାନ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.