ଦୀର୍ଘ ୬ ବର୍ଷ ପରେ ନାଗଝରୀ ବିଦ୍ୟାଳୟରେ ଯୋଗଦେଲେ ୫ଜଣ ନୂତନ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର ନାଗଝରୀ (ଧୁର୍କୁଟି) ଗ୍ରାମରେ ରହିଥିବା ଅପଗ୍ରେଡେଡ ବିଦ୍ୟାଳୟରେ ୫ ଜଣ ନୂଆ ଶିକ୍ଷକ ଆସି ଯୋଗଦାନ କରିଛନ୍ତି । ପ୍ରଧାନ ଶିକ୍ଷକ ଭାବରେ ଗଙ୍ଗାଧର ମହାପାତ୍ର ଆଗରୁ ରହିଆସିଛନ୍ତି । ନୂଆ ଶିକ୍ଷକ ବରୁଣ ଗଡତିଆ, ସିବିଜେଡ ଶିକ୍ଷକ ପ୍ରିତମ ଚାନ୍ଦ୍, ପିସିଏମ୍ କୃଷ୍ଣଚନ୍ଦ୍ର ପାତ୍ର, ଟିଜିଟି ଆର୍ଟସ ରାଜେଶ କୁମାର ଲାବଲ, ଟିଜିଟି ଆର୍ଟସ ହେମନ୍ତ କୁମାର ପଧାନ ପ୍ରମୁଖ ନୂଆ ଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅକ୍ଷୟ ଦୋରା, ସମ୍ପାଦକ ଶରତ ଦୋରା, ଚଣ୍ଡିଦାସ ସାହୁ, ସୁଦର୍ଶନ ଦୋରା ପ୍ରମୁଖଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ଅଭିଭାବକ ବୃନ୍ଦ, ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୂଆ ଶିକ୍ଷକ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ନୂଆ ଶିକ୍ଷକ ମାନେ ବିଦ୍ୟାଳରେ ଶିକ୍ଷାଦାନ ଆରମ୍ଭ କରିଥିବା ଜଣାପଡିଛି । ଦୀର୍ଘ ୬ ବର୍ଷ ଧରି ଏହି ଉନ୍ନୀତ ହାଇସ୍କୁଲରେ ଶିକ୍ଷକ ସମସ୍ୟା ଲାଗି ରହିଥିଲା । ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୀର୍ଘ ୩ କି.ମି. ଦୂର ରାତୁଲ ହାଇସ୍କୁଲକୁ ପାଠ ପଢିବା ପାଇଁ ଯାଉଥିଲେ । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଦୁଃଖ ଲାଘବ ହୋଇଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ନାଗଝରୀ ପିୟୁପିଏସ୍ ସ୍କୁଲ ୨୦୧୬ ମସିହାରେ ଅପଗ୍ରେଡେଡ ସ୍କୁଲ ହୋଇଥିଲା । ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଯାଏଁ ଶ୍ରେଣୀ ରହିଥିବା ବେଳେ ଶିକ୍ଷକ ଥିଲେ ମାତ୍ର ୫ ଜଣ । ଏହି ବିଦ୍ୟାଳୟଟି ଉପରେ ଧୁର୍କୁଟି, ନାକଝରୀ ଓ ତେନ୍ତୁଳିପଦରର ଛାତ୍ରଛାତ୍ରୀମାନେ ନିର୍ଭର କରିଥାନ୍ତି ହାଇସ୍କୁଲରେ ପାଠ ପଢିବା ପାଇଁ । ସବୁ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ରହିଥିବା ବେଳେ ଅଷ୍ଟମରୁ ୧୦ମ ଯାଏଁ ଶ୍ରେଣୀ ପାଇଁ କୌଣସି ଶିକ୍ଷକ ନଥିଲେ । ୨୦୧୬ରେ ଅପଗ୍ରେଡେଡ ହେବାପରେ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା ସମିତି ଶିକ୍ଷା ବିଭାଗ ଅଧିକାରୀ ମାନଙ୍କୁ ବାରମ୍ବାର ଲେଖିକି ଜଣାଇଲେ ମଧ୍ୟ ହାଇସ୍କୁଲ ପାଇଁ ଶିକ୍ଷକ ସମସ୍ୟା ଦୂର ହୋଇପାରି ନଥିଲା । ଗତ ୨୦୧୯ ମସିହା ଜୁଲାଇ ୨୯ ତାରିଖରୁ ସ୍କୁଲ ପରିଚାଳନା କମିଟି, ଅଭିଭାବକ ବୃନ୍ଦ ଓ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଦ୍ୟାଳୟରେ ତାଲା ମାରି ଶିକ୍ଷକ ନିଯୁକ୍ତି ଦାବୀ ନେଇ ଅଡି ବସି ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ବସିଥିଲେ । ତଥାପି ଶିକ୍ଷକ ନିଯୁକ୍ତି ନଦେବାରୁ ନାଗଝରୀ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ରାତୁଲ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିଲେ । ନର୍ଲା ବ୍ଲକର ଏଭଳି ଅନେକ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଫଳାଫଳ ସେଥିପାଇଁ ନିରାଶ ଜନକ ରହୁଛି । ନର୍ଲା ବ୍ଲକରେ ସମୁଦାୟ ସ୍କୁଲ ୨୦୬ ଗୋଟି ରହିଥିବା ବେଳେ ୩୦ ଗୋଟି ହାଇସ୍କୁଲ ରହିଛି । ସେଥି ମଧ୍ୟରୁ ପ୍ରାଥମିକ ବିଦ୍ୟାଳୟ ୧୨୭, ୟୁପି ସ୍କୁଲ ୫୪, ଅପଗ୍ରେଡେଡ ହାଇସ୍କୁଲ ୮ ଗୋଟି, ସରକାରୀ ହାଇସ୍କୁଲ ୬ ଗୋଟି, ନ୍ୟୁ ଏଡେଡ ସ୍କୁଲ ୧୫ ଗୋଟି ଓ ଆଦର୍ଶ ବିଦ୍ୟାଳୟ ଗୋଟିଏ ରହିଛି । ସମସ୍ତ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଲାଗି ରହିଥିବା ବେଳେ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ହାଇସ୍କୁଲ ଗୁଡିକ ପାଇଁ ଶିକ୍ଷକ ନିଯୁକ୍ତି କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଶିକ୍ଷକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । କଳାହାଣ୍ଡିର ସମସ୍ତ ହାଇସ୍କୁଲ ଗୁଡିକରେ ସମୁଦାୟ ୫୧୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ନାଗଝରୀ ହାଇସ୍କୁଲରେ ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.