ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଂଘ କଟକ-୧ ନର୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ଶାଖାର ନିର୍ବାଚନୀ ପ୍ରକ୍ରିୟା ଅପରାହ୍ନ ୩ ଟା ସମୟରେ ଅନୁଷ୍ଠିତ ହୋଇ ସନ୍ଧ୍ୟା ୫.୩୦ ସମୟରେ ସମାପନ ହୋଇଥିଲା । ଏଥିରେ ନର୍ଲା ବ୍ଲକ ଶିକ୍ଷକ ସଂଘର ୨୬୬ ଜଣ ସଦସ୍ୟ ଯୋଗଦାନ କରି ନିର୍ବାଚନରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ସଂଘ ତରଫରୁ ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଶୀ, ଜିଲ୍ଲା ଉପ ସଭାପତି ବୀରେନ୍ଦ୍ର ବାଗ, ଉପ ସଭାପତି ଅର୍ଚନା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପଧାନ, ଜିଲ୍ଲା କୋଷାଧ୍ୟକ୍ଷ ଶିବ ପ୍ରସାଦ ଦାସଙ୍କ ସମେତ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ତପନ କୁମାର ଭୋଇ ଓ ସମସ୍ତ ବ୍ଲକ ପ୍ରତିନିଧି ଉପସ୍ଥିତ ଥିଲେ ।
ପ୍ରଥମ ପର୍ଯ୍ୟାୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ଡକ୍ଟର ନୃପରାଜ ସାହୁ ଯୋଗଦାନ କରି ସମାଜରେ ଶିକ୍ଷକ ମାନଙ୍କ ଭୂମିକା ଓ କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୂଖ୍ୟ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ସଭା ପରିଚାଳନା କରିଥିଲେ । ସଭାପତି ଓ ସାଧାରଣ ସମ୍ପାଦକ ପଦବୀ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା । ସଭାପତି ପଦବୀ ପାଇଁ ଦୁଇ ଜଣ ପ୍ରାର୍ଥୀ ମୀନକେତନ ସାହୁ ଓ ତ୍ରୀନାଥ ହରପାଲ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ସାଧାରଣ ସମ୍ପାଦକ ପଦବୀ ପାଇଁ ନର୍ଲାର ପ୍ରବୋଧ ନାୟକ ଓ ରୁପ୍ରାରୋଡ଼ର ଅମୀତ ଶର୍ମା ପ୍ରତି ଦ୍ୱନ୍ଦିତା କରିଥିଲେ ।
ଏଥିରେ ସଭାପତି ଭାବରେ ୧୬୭ ଖଣ୍ଡ ଭୋଟ ପାଇଁ ଭାନପୁର ସିଆରସିସି ମୀନ କେତନ ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବରେ ଅମୀତ କୁମାର ଶର୍ମା ୧୯୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଏହାବାଦ ସର୍ବ ସମ୍ମତି କ୍ରମେ ଉପସଭାପତି ଭାବରେ ହରପ୍ରସାଦ ସାହୁ, ପୁଷ୍ପାଳତା କୁମାର, କୋଷାଧ୍ୟକ୍ଷ ଭାବରେ ମନୋଜ କୁମାର ସାହୁ, ଯୁଗ୍ମ ସମ୍ପାଦକ ପଙ୍କଜ ସାହୁ, ହେମନ୍ତ ସାହୁ, ଦୁର୍ଗା କୁମାର, ସଂଯୋକକ ଭାବରେ ଡମ୍ବରୁଧର ବେହେରା ନିର୍ବାଚିତ ହୋଇଥିଲେ । ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ପଦାଧିକାରୀ ମାନେ ପୁଷ୍ପଗୁଛ ଦେଇ ସ୍ୱଗାତ କରିଥିଲେ । ପୂର୍ବତନ ବ୍ଲକ ସଭାପତି ଦୀପାଞ୍ଜଳୀ ପାଢ଼ୀ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।