ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନୀ ଗ୍ରାମର ଚାଷୀ ପୃଥିରାଜ ବେହେରା ଚକଡ଼ା ପୋକ ଆତଙ୍କ ଯୋଗୁଁ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଇଥିବା ଘଟଣା ଦେଖିବାକୁ ମିଳିଛି । ପୃଥିରାଜ ନିଜର ୩ ଏକର ଜମିରେ ଚାଷ କରିଥିଲେ । ହେଲେ ପ୍ରାୟ ୧ ଏକର ଜମିରେ ଚକଡ଼ା ଯୋଗୁଁ ଚାଷ ନଷ୍ଟ ହୋଇଛି । ତେବେ ଚକଡା ରୋଗ ଯୋଗୁଁ ଚିନ୍ତାରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଚାଷୀ ଜଣକ କୃଷି କର୍ମଚାରୀଙ୍କ ପରାମର୍ଶ କ୍ରମେ ଯାହା ବି ଔଷଧ ସିଞ୍ଚନ କଲେ କିଛି ସୁଫଳ ମିଳିଲା ନାହିଁ । ଶେଷରେ ନିଆଁ ଲଗେଇ ଥିବା ଚାଷୀ କହିଛନ୍ତି । ନିଆଁ ଲଗାଇଥିବା ଘଟଣା ପଞ୍ଚାୟତ କୃଷି କର୍ମଚାରୀ ଅବଗତ ହେବା ପରେ ଘଟଣା ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ଜେ.ସୂର୍ଯ୍ୟ ରାଓଙ୍କୁ ଜଣାଇଥିଲେ ।
ପରେ ଘଟଣାସ୍ଥଳକୁ ଜିଲ୍ଲା କୃଷି ଅଧିକାରୀ ସମେତ କୋକସରା କୃଷି ଅଧିକାରୀ ହେମାନନ୍ଦ ମାଝୀ, ଅତିରିକ୍ତ ତହସିଲଦାର ମୋହନ ଜେନା, ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ପହଞ୍ଚିଥିଲେ ଏବଂ ନିଆଁ ଲାଗିଥିବା ଚାଷଜମି ଅନୁଧ୍ୟାନ କରିବା ସହ ଚାଷିଙ୍କୁ ଭେଟି ଘଟଣା ଉପରେ ଆଲୋଚନା କରିଥିଲେ । ତେବେ ବିଭାଗ ତରଫରୁ ଚାଷୀଙ୍କୁ ବୁଝା ସୁଝା କରି ସରକାରୀ ନିୟମ ଅନୁସାରେ ଯାହା କ୍ଷତିପୂରଣ ରହିଛି ତାହା ଯୋଗାଇ ଦିଆଯିବା ନେଇ ଜିଲ୍ଲା କୃଷି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।