ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ “ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ” ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ ଥିଲା। ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ସମବେତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ନୀତି ନିବାରଣ ସଚେତନତାର ଶପଥ ପାଠ କରାଇଥିଲେ। ମହାବିଦ୍ୟାଳୟଠାରୁ ଗୋଲାମୁଣ୍ଡା ବ୍ଲକ ପର୍ଯ୍ୟନ୍ତ ଆୟୋଜିତ ସଚେତନତା ଶୋଭାଯାତ୍ରାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, କଳାହାଣ୍ଡି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ନିରୀକ୍ଷକ ଆଲୋକ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ୍ ହୋଇ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ପ୍ରାଧ୍ୟାପକ ସରୋଜ କାନ୍ତ ରଥ, ପ୍ରବୀର କୁମାର ରାୟ, ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ, ସନ୍ଦୀପ କାନୁନଗୋ, ତ୍ରିନାଥ ପଟ୍ଟନାୟକ, ଦିଲ୍ଲୀପ କୁମାର ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସାମିଲ୍ ଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଓ ଭାରତ ସ୍କାଉଟ୍ ଗାଇଡ ରୋଭର ଲିଡର ସନ୍ତୋଷ କୁମାର ବାରିକ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୁବ ରେଡକ୍ରସ୍ ଓ ଭାରତ ସ୍କାଉଟ୍ ଗାଇଡ ରୋଭର୍ ରେଞ୍ଜର ସ୍ବେଛାସେବୀଙ୍କ ସମେତ ପ୍ରାୟ ୨୫୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରତିଯୋଗୀତା ରେ ବିଜୟୀ ହୋଇ ଥିବା ଛାତ୍ର-ଛାତ୍ରୀ ମାନଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ପୁରସ୍କୃତ କରା ଯାଇଥିଲା।