୪୭ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି ପାହାଡପଦର ପିଇଓ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ତେବେ ଅନେକ ସମୟରେ ସରକାରୀ କର୍ମଚାରୀମାନେ ଏହାର ଅସଦ ବିନିଯୋଗ ଏବଂ ହଡ଼ପ କରୁଥିବା ଦେଖାଯାଇଛି। ଏମିତି ଅସାଧୁ କର୍ମୀଚାରୀମାନଙ୍କ ଯୋଗୁଁ ହିତାଧିକାରୀମାନେ ସରକାରୀ ଯୋଜନାର ସୁଫଳ ପାଇପାରୁନଥିବା ବେଳେ ଅନେକ ଯୋଜନା ବାଟବଣା ହେଉଛି। ଏମିତି ଏକ ଚିତ୍ର ଆସି ପହଞ୍ଚିଛି ଲାଞ୍ଜିଗଡ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତରୁ। ପାହାଡପଦରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଭାବେ କାର୍ଯ୍ୟରତ ଦେବାନନ୍ଦ ସାଗର ବ୍ୟାପକ ପରିମାଣର ସରକାରୀ ଅନୁଦାନ ରାଶି ହଡପ କରିଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ପାହାଡପଦର ପିଇଓ ଶ୍ରୀ ସାଗର ପଞ୍ଚାୟତକୁ ଆସିଥିବା ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନର ୨୪ ଲକ୍ଷ ୭୦ ହଜାର ୭୧୩ ଟଙ୍କା ଚେକ୍ ଜରିଆରେ ଉଠାଣ କରି ବ୍ୟକ୍ତିଗତ ଭାବେ ହଡପ କରିଛନ୍ତି। ସେହିପରି ପଞ୍ଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ପାଣ୍ଠି ୧୭ ଲକ୍ଷ ୧୫ ହଜାର ୨୦୬ ଟଙ୍କା ମଧ୍ୟ ସେ ବେଆଇନ ଭାବେ ଉଠାଣ କରି ନେଇଥିବା ଅଭିଯୋଗ ହୋଇଛି। ଏପରିକି ପାହାଡପଦର ଭଳି ଦୁର୍ଗମ ଅଞ୍ଚଳର ବୃଦ୍ଧବୃଦ୍ଧା ମାନେ ମାସିକ ଭତ୍ତା ଭାବେ ପାଇବାକୁ ଥିବା ୫ ଲକ୍ଷ ୩୨ ହଜାର ଟଙ୍କା ମଧ୍ୟ ସେ ଚେକ୍ ଜରିଆରେ ଉଠାଇ ନେବା ସହିତ ଆତ୍ମସାତ କରି ଫେରାର ହୋଇଯାଇଛନ୍ତି। ତେବେ ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ସେ ଆତ୍ମସାତ କରିଥିବାବେଳେ କେବଳ ପାହାଡପଦର ନୁହେଁ ସମଗ୍ର ଜିଲ୍ଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳା କାରନାମାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏ ସଂପର୍କରେ ସରପଞ୍ଚ ଲକ୍ଷ୍ମଣ ମାଝୀ, ସମିତିସଭ୍ୟ ଜଗଦୀଶ ବେନିଆଁ ପ୍ରମୁଖ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଡିଓ ଶ୍ରୀ ମିଶ୍ର ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବା ସହିତ ବିଶ୍ୱନାଥପୁର ଏସ୍‌ବିଆଇ ଶାଖାରେ ଥିବା ପଞ୍ଚାୟତ ଏକାଉଣ୍ଟକୁ ହୋଲ୍ଡ କରିବାକୁ ଚିଠି ଲେଖିଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ସହିତ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସୁପାରିଶ କରାଯାଇଛି। ଅପରପକ୍ଷରେ ପାହାଡପଦର ସରପଞ୍ଚ ଲକ୍ଷ୍ମଣ ମାଝୀ ଦେବାନନ୍ଦଙ୍କ ବିରୁଦ୍ଧରେ ବିଜେପୁର ଥାନାରେ ଏତଲା ଦାୟର କରିଥିବାବେଳେ ଦସ୍ତଖତ ଜାଲିଆତି ଓ ମୋଟା ଅଙ୍କର ସରକାରୀ ଅର୍ଥ ହେରଫେର ମାମଲାକୁ କଳାହାଣ୍ଡି ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯିବ ବୋଲି ଜଣାପଡିଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.