• ରାୟଗଡା ଥାନା ପୋଲିସକୁ ସଫଳତା
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ଥାନା ପୋଲିସକୁ ମିଳିଛି ସଫଳତା । ସହରସ୍ଥିତ ବ୍ୟାଙ୍କ କଲୋନୀ ପ୍ରଥମ ସାହିରେ ଗତ ଜାନୁଆରୀ ମାସରେ ହୋଇଥିବା ଚୋରି ଘଟଣାରେ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା,ମୋଟର ସାଇକେଲ,୪ଟି ମୋବାଇଲ ଫୋନ୍ ଓ ଚୋରି ପାଇଁ ବ୍ୟବହୃତ କରିଥିବା ସ୍କ୍ରୁ ଡ୍ରାଇଭର,ଲୁହାରଡ୍ ଆଦି ଜବତ କରାଯାଇଥିବା ନେଇ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି । ତେବେ ଚୋରି ହୋଇଥିବା ସମଗ୍ର ସାମଗ୍ରୀ ମଧ୍ୟରୁ ବଳକା ଜିନିଷ ଜବତ ହୋଇ ପାରି ନ ଥିବା ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଏହି ଚୋରି ଘଟଣାରେ ଜଣେ ନାବାଳକ ଅଭିଯୁକ୍ତଙ୍କ ମଧ୍ୟ ସଂପୃକ୍ତି ଥିବା ବେଳେ ରାୟଗଡା ସହରର ରାମକୃଷ୍ଣ ନଗର ଏମପି କଲୋନୀର ରବିଶଙ୍କର ମହାନନ୍ଦିଆ (୩୧) ଓ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ଶ୍ରୀନିବାସ ନଗରର ପରମି ଶ୍ରୀକାନ୍ତ (୨୨) ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରାୟଗଡା ପିଟିଲା ସାହିରେ ରହୁଥିବା କେ.ଅନିଲ କୁମାର (୩୪),ମା ମଙ୍ଗଳା ମନ୍ଦିର ନିକଟର କେ.ପ୍ରସାଦ (୫୦) ଓ ଉଦୟ ପ୍ଳାଜା ନିକଟସ୍ଥ ଶ୍ରୀ ରେସିଡେନ୍ସି ଆପାର୍ଟମେଂଟର ପ୍ଳାଂଟ ନମ୍ବର ୧୦୪ରେ ରହୁଥିବା କେ.ସୁନୀଲ କୁମାର (୪୦) ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କ ଠାରୁ ସୁନା ଗହଣା କିଣିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପ୍ରକାଶ ଥାଉ କି,ରାୟଗଡା ସହରର ବ୍ୟାଙ୍କ କଲୋନୀ ପ୍ରଥମ ସାହିରେ ରହୁଥିବା କେ.ସାଇ ଶ୍ରୀନିବାସୀ ରାଓ ଏବଂ ତାଙ୍କ ପରିବାର ସଦସ୍ୟ ସମସ୍ତେ ଘରେ ତାଲା ପକାଇ ଗତ ଜାନୁଆରୀ ମାସ ୧୭ ତାରିଖରେ ପାର୍ବତୀପୁରମ୍ ଯାଇ ୧୯ ତାରିଖରେ ଘରକୁ ଫେରିଥିଲେ । ଘର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ତାଙ୍କ ଘରେ ଥିବା ଆଲମାରୀ ତାଡି ଦୁର୍ବୁତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଥିବା ନେଇ ରାୟଗଡା ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଆଧାର କରି ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ତଥା ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଏକ ଟିମ୍ ଗଠନ କରି ବିଶେଷ ସୂତ୍ରରୁ ସୂଚନା ପାଇବା ସହ ଗୁଇଦା ଏବଂ ଟେକ୍ନିକଲ ତଥ୍ୟ ସଂଗ୍ରହ କରି ଘଟଣାରେ ସଂପୃକ୍ତ ୨ଜଣ ମୁଖ୍ୟ ଅଭିଯୁକ୍ତ ରବି ଓ ଶ୍ରୀକାନ୍ତଙ୍କ ସମେତ ଚୋରି ହୋଇଥିବା ସୁନା ଗହଣା ସାମଗ୍ରୀ କିଣିଥିବା ଅନିଲ,ପ୍ରସାଦ ଏବଂ ସୁନୀଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ଷ୍ଟୋନ୍ ଗଳାହାର,୧୨୦ଗ୍ରାମ ଓଜନର ୬ଟି ସୁନା ଚୁଡି ସହ ଅନ୍ୟ ୨ଟି ପଥରଚଢା ସୁନା ଚୁଡି, ଗୋଟିଏ ପେନଡେଂଟ, କାନର ଗୋଟିଏ ହଳ ସୁନା ଝୁମ୍ପ୍ି,ପଥରଚଢ ସୁନା ମୁଦି,୫ଟି ସୁନା କାନଫୁଲ, ଗୋଟିଏ ହଳ ଖଡୁ, ୨ଟି ସୁନା ମଙ୍ଗଳସୂତ୍ର ସମେତ ଅନ୍ୟ ସୁନା ଗହଣା ଜବତ କରାଯାଇଥିବା ବେଳେ ୭୫ଗ୍ରାମର ସୁନାର ଚେନ୍, ବ୍ରାସଲେଟ, ଆର୍ମଲେଟ, ଗଳାହାରକୁ ତରଳାଇ ଥିବା ସୁନା ଜବତ କରାଯାଇଛି ।
ସେହିପରି ଗୋଟିଏ ବଜାଜ୍ ଡିସ୍କୋଭର ମୋଟର ସାଇକେଲ (ଏପି ୩୧ସିଜି ୫୭୦୮) ସହ ୪ଟି ମୋବାଇଲ ଫୋନ୍ ଏବଂ ଚୋରିରେ ବ୍ୟବହୃତ ଜିିନିଷକୁ ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରବି ଶଙ୍କର ମହାନନ୍ଦିଆ ୨୦୧୦ମସିହାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ରହିଥିବା ବେଳେ ଅସମାଜିକ କାର୍ଯ୍ୟକଳାପ ଯୋଗୁୁଁ ତାଙ୍କୁ ୨୦୧୪ ମସିହାରେ ଚାକିିରିରୁ ବହିଷ୍କୃତ କରାଯାଇଥିବା ବେଳେ ରାୟଗଡା ଓ ଗୁଣପୁର ଥାନାରେ ରବି ନାମରେ ଏକାଧିକ ଅପରାଧିକ ମାମଲା ରୁଜୁ ହୋଇଛି । ସେହିପରି ଅନ୍ୟ ଅଭିଯୁକ୍ତ ପରମି ଶ୍ରୀକାନ୍ତ ନାମରେ ମଧ୍ୟ ରାୟଗଡା,ଗୁଣପୁର ଓ ପାର୍ବତୀପୁରମ ଥାନାରେ ଅନେକ ମାମଲା ରୁଜୁ ହୋଇଥିବା ନେଇ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଷମକଟକ ଏସଡିପିଓ ଆକାଶ ସାହୁ, ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ସମେତ ଚୋରିର ଶୀକାର ହୋଇଥିବା ଘର ମାଲିକ କେ.ସାଇ ଶ୍ରୀନିବାସ ରାଓ ଏବଂ ତାଙ୍କ ପତ୍ନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।