ରାୟଗଡାରେ ଗର୍ଜିଲା ବିଜେଡି: ଜିଲ୍ଳାପାଳ, ପଂଚାୟତ ସମିତି ଓ ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାରକୁ ମୁଣ୍ଡପିଚ୍ଛା ୫କେଜି ଚାଉଳ ଯୋଗାଣରୁ ବଂଚିତ କରାଯାଇଥିବାରୁ କେନ୍ଦ୍ରର ଏଭଳି ନିଷ୍ପତି ବିରୁଦ୍ଧରେ ରାଜ୍ୟ ବିଜୁ ଜନତା ଦଳ ଆହ୍ୱାନରେ ସମଗ୍ର ରାଜ୍ୟରେ ୨ଦିନ ଧରି ଗଣଧାରଣା, ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି କ୍ରମରେ ଆଜି ରାୟଗଡା ଜିଲ୍ଳା ବିଜୁ ଜନତା ଦଳ ତରଫରୁ ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ,ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟ ଓ ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ରାୟଗଡା ଜିଲ୍ଳା ବିଜୁ ଜନତା ଦଳ ସଭାପତି ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଡିଆରଡିଏ ଛକ ଠାରେ ଶତାଧିକ ବିଜେଡି କାର୍ଯ୍ୟକର୍ତା, ପଦାଧିକାରୀ ଓ କର୍ମୀଙ୍କ ଗହଣରେ କେନ୍ଦ୍ରର ଏହି ନିଷ୍ପତି ବିରୁଦ୍ଧରେ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କୁ ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାର ଗରୀବ ମାରଣନୀତି ବନ୍ଦ ନ କଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ଏବଂ ବିଶେଷ କରି ଓଡିଶାକୁ ଯେ କୈାଣସି ଅନୁଦାନ ପ୍ରଦାନ କ୍ଷେତ୍ରରେ ହେଉ କିମ୍ବା ଗୃହ ବଂଟନ କ୍ଷେତ୍ରରେ ସବୁବେଳେ କେନ୍ଦ୍ର ଅବହେଳା କରି ଆସୁଛି । ଯାହାକୁ ପ୍ରତିବାଦ କରି ଆଜି ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଳାଇଛି । ତେଣୁ ଗରୀବ ମାରଣ ନୀତି ବନ୍ଦ କରି ଗରୀବ ପରିବାରକୁ ମୁଣ୍ଡପିଚ୍ଛା ୫କେଜି ଚାଉଳ ଯୋଗାଣରୁ ବଂଚିତ କରିଥିବା ନିଷ୍ପତି ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରକୁ ଚେତାବନୀ ଦେଇ ସମଗ୍ର ଜିଲ୍ଳାରେ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ଜିଲ୍ଳା ବିଜେଡି ସଭାପତି ଶ୍ରୀ ଦାଶ ।

ସେହିପରି ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଳା ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡଙ୍ଗା, ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ), କାଶି ନାଇଡୁ, ରାୟଗଡା ନଗର ସଭାପତି ସତ୍ୟସୁନ୍ଦର ପାଢୀ ପ୍ରମୁଖ ଯୋଗ ଦେଇ କେନ୍ଦ୍ରର ବୈମାତୃକ ମନୋଭାବ ଓ ଗରୀବ ପରିବାରକୁ ମିଳୁଥିବା ୫କେଜି ଚାଉଳ ଯୋଗାଣ ବନ୍ଦ ନିଷ୍ପତିକୁ ଦୃଢ ନିନ୍ଦା କରି ଯଥାଶୀଘ୍ର ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସେହିପରି ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକାଙ୍କ ସମେତ ସରଂପଚ, ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ଗଣଧାରଣା ଦେଇ କେନ୍ଦ୍ରର ଅବହେଳା ନୀତିକୁ ବିରୋଧ କରିଥିଲେ । ରାୟଗଡା ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ସମେତ ବିଜେଡି କାଉନସିଲର ଏବଂ ସ୍ଥାନୀୟ ଜନସାଧାରଣ ପକ୍ଷରୁ ଗଣଧାରଣା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଗରୀବଙ୍କୁ ମିଳୁଥିବା ୫କେଜି ଚାଉଳ ଯୋଗାଣକୁ ପୁନଃ ପ୍ରଦାନ କରିବା ପାଇଁ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ନିର୍ବାହୀ ଅଧିକାରୀ ୟାଶିର ବିଲାଲ୍ ଅହମ୍ମଦଙ୍କୁ ପ୍ରଦାନ କରାଯାଇଥିବା ନେଇ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.