ରାୟଗଡ ଜିଲ୍ଳାରେ କୋଭିଡ ମୁକାବିଲା ପାଇଁ ଜିଲ୍ଳାପାଳଙ୍କ ଜରୁରୀ ବୈଠକ

ସମସ୍ତ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳାରେ ଏହାର ମୁକାବିଲା କରିବା ପାଇଁ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ତତ୍ପରତା ପ୍ରକାଶ କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ଆଜି ଏକ ଜରୁରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଳାପାଳ ଶ୍ରୀ ମିଶ୍ର । ବିଶେଷ କରି ଜିଲ୍ଳା ବାହାରକୁ ଯାଇ ଫେରୁଥିବା ୧୧ଗୋଟି ବ୍ଳକର ଲୋକମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ସହିତ ପରୀକ୍ଷା କରାଯାଇ ପଜିଟିଭ୍ ଚିହ୍ନଟ ହେଲେ କୋଭିଡ୍ ଚିକିତ୍ସା ଯୋଗାଇବା ପାଇଁ ସଂପୃକ୍ତ ବ୍ଳକର ବିଡିଓମାନଙ୍କୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଳାର ବିଭିନ୍ନ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ବାହାର ରାଜ୍ୟ ତଥା ଜିଲ୍ଳାରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିିନିଂ କରି ଆବଶ୍ୟକ ପଡିଲେ ସେମାନଙ୍କୁ ସଙ୍ଗରୋଧରେ ରଖି ଚିହ୍ନଟ ରୋଗୀଙ୍କୁ କୋଭିଡ କେୟାର କେନ୍ଦ୍ରରେ ଚିକିତ୍ସା କରିବା ପାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ସେହିପରି ଜିଲ୍ଳାର ସମସ୍ତ ବସ ମାଲିକମାନଙ୍କୁ ବସ ଛାଡିବା ପୂର୍ବରୁ ସାନିଟାଇଜେର କରିବା ଓ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ । ରାୟଗଡ ଜିଲ୍ଳାକୁ ବିଭିନ୍ନ କାମ ପାଇଁ ଆସୁଥିବା ବାହାର ଲୋକଙ୍କୁ କାହା ସହିତ ମିଳାମିଶା ନ କରିବା ଓ କାମ ସରିଲେ ତୁରନ୍ତ ରହୁଥିବା ହୋଟେଲ ଛାଡି ଚାଲିଯିବାର ବ୍ୟବସ୍ଥା କରିବା ପାଇଁ ହୋଟେଲ ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ବୃଦ୍ଧବୃଦ୍ଧା, ରୋଗାକ୍ରାନ୍ତ ବ୍ୟକ୍ତି ଓ ଶିଶୁ ମାନଙ୍କୁ ଅଯଥାରେ ବାହାରେ ନ ବୁଲିବାକୁ ଓ ଆବଶ୍ୟକସ୍ଥଳେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜକ ଦୂରତା ବଜାୟ ରଖିବାକୁ ଜିଲ୍ଳାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଳାରେ କୋଭିଡ ମୁକାବିଲା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ଓ କର୍ମଚାରୀ ନିୟୋଜିତ ରଖିବାକୁ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ ।


ଏହାଛଡା ମାସ୍କ ବ୍ୟବହାର ଉପରେ କଡାକଡି ଯାଚଂ କରିବାକୁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ମହେଶ୍ୱରଚନ୍ଦ୍ର ନାୟକ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ, ପିଏ-ଆଇଟିଡିଏ ଟୁକୁ ବାରିକ, ତହସିଲଦାର ଉମାଶଙ୍କର ବେହେରା ଏବଂ ଡିପିଏମ ରାଜେଶ୍ୱର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.