ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମଣିପୁରର କୁକି ସଂପ୍ରଦାୟର ଆଦିବାସୀ ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବା ଦାବିରେ ଏବଂ ଏଭଳି ଘୃଣ୍ୟ ଓ ଜଘନ୍ୟ ଅପରାଧ ଘଟାଇଥିବା ସମସ୍ତ ଅପରାଧୀଙ୍କୁ ତୁରନ୍ତ ଚିହ୍ନଟ କରି ତାଙ୍କୁ ମୃତ୍ୟ ଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ଆଜି ରାୟଗଡା ଜିଲ୍ଳା ବାମସେଫ ଫେଡେରେସନ୍ ଏବଂ ଆଦିବାସୀ ସେବକ ସଂଘ ରାୟଗଡା ମିଳିତ ଆନୁକୂଲ୍ୟରେ ନୂଆ ବସଷ୍ଟାଣ୍ଡ ଛକ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା ସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଳାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାୟଗଡା ଜିଲ୍ଳା ବାମସେଫ୍ ଫେଡେରେସନ୍ ଜିଲ୍ଳା ସଭାପତି ଜନାର୍ଦ୍ଦନ ଗରଡା ଏବଂ ଆଦିବାସୀ ସେବକ ସଂଘ ଜିଲ୍ଳା ସଭାପତି ବସନ୍ତ କୁମାର ପେଦେଂଟିଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ, ଦଳିତ, ପଛୁଆବର୍ଗ ସଂପ୍ରଦାୟର ଶତାଧିକ ଲୋକେ ସ୍ଥାନୀୟ ବସଷ୍ଟାଣ୍ଡ ଛକ ଠାରେ ଥିବା ଭାରତରତ୍ନ ବାବାସାହେବ ଭୀମାରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମସ୍ତେ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ । ମଣିପୁରରେ ଏଭଳି ଘୃଣ୍ୟ ଓ ଜଘନ୍ୟ ଅପରାଧ ପାଇଁ ଭାରତ ସାରା ବିଶ୍ୱରେ ନିନ୍ଦିତ ହୋଇଛି । ଯାହା ପାଇଁ ଏବେ ଦେଶର ସମସ୍ତ ନାରୀ ସମାଜ ନିଜକୁ ଭୟ କରୁଛନ୍ତି ତେଣୁ ଦେଶରେ ନାରୀ ସମାଜକୁ ସଂପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ଏଭଳି ପ୍ରତିବାଦ କରିଛୁ ବୋଲି ବାମସେଫ୍ ଫେଡେରେସନ୍ ଜିଲ୍ଳା ସଭାପତି ଶ୍ରୀ ଗରଡା ପ୍ରକାଶ କରିଛନ୍ତି । ସେହିପରି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟ ଠାରୁ ଆରମ୍ଭ କରି ଆଦିବାସୀ, ଦଳିତ ବର୍ଗଙ୍କ ଉପରେ ବିଭିନ୍ନ ସମୟରେ ଜାତିଗତ ଆକ୍ଷେପକୁ ନେଇ ଅନେକ ହିଂସାକାଣ୍ଡ କେବଳ ବିଜେପି ସରକାରରେ ହିଁ ଦେଖିବାକୁ ମିଳିଛି । ଯାହା ପାଇଁ କେନ୍ଦ୍ରର ବିଜେପି ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦାୟୀ ବୋଲି ଆଦିବାସୀ ଯୁବ ନେତା ତଥା ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରକାଶ କରିଥିବା ବେଳେ ଆଦିବାସୀ, ଦଳିତ ବର୍ଗଙ୍କୁ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ନ୍ୟାୟ ପ୍ରଦାନ କରାଯାଉନାହିଁ ସେତେ ପର୍ଯ୍ୟନ୍ତ ଏଭଳି ପ୍ରତିବାଦର ସ୍ୱର ଉତୋଳନ ହୋଇ ଆସୁଥିବା ବୋଲି ଆଦିବାସୀ ନେତ୍ରୀ ତଥା ଜିଲ୍ଳା ପରିଷଦ ସଭ୍ୟା ସଂଧ୍ୟାରାଣୀ ପୁଲାକା ପ୍ରକାଶ କରିଛନ୍ତି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ଯୁବ ନେତା ତଥା ରାୟଗଡା ବ୍ଳକ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ତପନ ପେଦେଂଟି, ଯୋଗେଶ ପେଦେଂଟି, ବସନ୍ତ ପୁଲାକା, ମିନାରାଓ ଉଲାକା, ସୁରଜ ବିିଡିକା, ଉର୍ମିଳା ବିଡିକା, ଅର୍ଚ୍ଚନା ବିଡିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।