ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ପିତାମ୍ବର ମହାପାତ୍ରଙ୍କ ନେତୃତ୍ୱରେ ବହୁ ୱେବ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ୱେବ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସଂପର୍କରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଜିଲ୍ଲାରେ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡିକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାର ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରିଛନ୍ତି। ଫଳସ୍ବରୁପ ସ୍ବଳ୍ପ ଆନୁଷ୍ଠାନିକ ଭତ୍ତା ବା ଦରମା ଓ ସୀମିତ ଆୟରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଏହି ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଇ ପାରୁଛନ୍ତି।ତେବେ ଜିଲ୍ଲାରେ ଗଣମାଧ୍ୟମର ମୁଖ୍ୟ ସ୍ରୋତରେ କାର୍ଯ୍ୟରତ ସାମ୍ବାଦିକମାନେ ଏହି ସୁବିଧା ସୁଯୋଗ ପାଉଥିବା ବେଳେ ଅନେକ ୱେବ (ୟୁଟ୍ୟୁବ) ଗଣମାଧ୍ୟମରେ କାର୍ଯ୍ୟରତ ଶତାଧିକ ସାମ୍ବାଦିକମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ପାରିନାହିଁ। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଗଣମାଧ୍ୟମ ସଂସ୍ଥା ତାଲିକା ଅନ୍ତର୍ଭୁକ୍ତ କିଛି ୱେବ (ୟୁଟ୍ୟୁବ) ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଏହି ଯୋଜନାର ଲାଭ ପାଉଛନ୍ତି। ହେଲେ ଅନେକ ୱେବ (ୟୁଟ୍ୟୁବ) ସମ୍ବାଦ ସରୋବରାହ ସଂସ୍ଥାଗୁଡିକରେ କାର୍ଯ୍ୟରତ ଅନେକ ସାମ୍ବାଦିକ ଏହି ଯୋଜନାର ଲାଭ ପାଇ ପାରୁଛନ୍ତି। ଅନେକ ସାମ୍ବାଦିକ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତିଆରି କରିଥିବା ସମ୍ବାଦ ସରୋବରାହ ସଂସ୍ଥା ତାଲିକାରେ ଅନ୍ତର୍ଭୁକ ହୋଇ ନ ଥିବାରୁ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ତେବେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ ସମ୍ବାଦିକଙ୍କ ପରିବାର ବର୍ଗଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ସେହିପରି ଦୁଇ ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟ କରିଥିବା ତଥା ସ୍ବେଛାକୃତ ଅବସର ନେଇଥିବା ବରିଷ୍ଠ ସାମ୍ବାଦିକ ଓ ତାଙ୍କ ପରିବାର ବର୍ଗଙ୍କୁ ବି ଗୋପବଂଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରିବା ପାଇଁ ଦାବି ରଖିଛନ୍ତି। ଆହୁରି ବି ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଦୁଇ ବର୍ଷ ପୂର୍ବରୁ ଘୋଷଣା କରିଥିବା ସୁବିଧା ସୁଯୋଗ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଦାବି ପୂରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ପିତାମ୍ବର ମହାପାତ୍ର, ସମ୍ପାଦକ ସହଦେବ ମେହେର, କୋଷାଧ୍ୟକ୍ଷ ସଞ୍ଜୟ ସାହୁ, ଉପଦେଷ୍ଟା ତୀର୍ଥବାସୀ ପଣ୍ଡା, ପ୍ରକାଶ ବବର୍ତ୍ତା, ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ଶରତ ମହାପାତ୍ର, ଅବକାଶ ବିଦ୍ୟାଧର, ସୁବାସ ମିଶ୍ର, ଗୁରୁଦେବ ମେହେର, ସର୍ଜନ ପାଣ୍ଡେ, ସୁଶାନ୍ତ ସାହୁ, ରାମଭକ୍ତ ଷଡ଼ଙ୍ଗୀ, ରାମଶଙ୍କର ସାମନ୍ତରାୟ, ଲେଖରାଜ ସାଗର, ପ୍ରହଲ୍ଲାଦ ଦାସ ବିଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।