ନର୍ଲାରେ ଛେଚୁଛି ବର୍ଷା

ରାସ୍ତା ଘାଟ ସୁନସାନ, ଚାଷୀ ଖୁସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଜୁନ ଓ ଜୁଲାଇ ଦୁଇମାସ ମଧ୍ୟରେ ତିନି ଗୋଟି ଲଘୁଚାପ ହୋଇଥିଲେ ମଧ୍ୟ ସେଭଳି ଆଖି ଦୃଶିଆ ବର୍ଷା ହୋଇନଥିଲା । ନଈ କିମ୍ବା ପୋଖରୀ ଗୁଡିକରେ ଆଦୌ ପାଣି ନଥିଲା । କଷ୍ଟେ ମଷ୍ଟେ ଚାଷକାର୍ୟ୍ଯ ଚାଲିଥିଲା । ହେଲେ ସୋମବାର ସକାଳୁ ଲଘୁଚାପ ଜନିତ ବର୍ଷା ଖୁବ ଜୋରରେ ଛେଚୁଛି । ଘରୁ ପଦାକୁ ବାହାରି ହେଉନି । ରାସ୍ତା ଘାଟ ସବୁ ଶୁନସାନ ହୋଇ ପଡିଛି । କଳାହାଣ୍ଡି ଜିଲ୍ଲା ନର୍ଲା ଏକ ଅଣ ଜଳ ସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଇନ୍ଦ୍ରଦେବଙ୍କୁ ଭରଷା କରି ଚାଷ କରିଥାନ୍ତି । ଏଠିକାର ମୁଖ୍ୟ ଫସଲ ଧାନ। ଆଉ ଧାନ ଚାଷ ପାଇଁ ପର୍ଯ୍ୟାପ୍ତ ଜଳ ଦରକାର । ହେଲେ ପ୍ରତିବର୍ଷ ହୀନ ବୃଷ୍ଟି ଯୋଗୁଁ ଚାଷୀ ବାରମ୍ବାର ମରୁଡ଼ିର କଷାଘାତ ସହୁଛନ୍ତି । ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିଲା । ହେଲେ ପୁଣି ଉଭାନ ହୋଇଗଲା । ଫଳରେ ପହିଲି ବର୍ଷାରେ ଚାଷୀ ଆରମ୍ଭ କରିଥିବା କପା, ଧାନ ପଲ୍ଲା ସବୁ ମରିଗଲା । ପୁଣିଥରେ ନୂଆରେ ମଞ୍ଜି ବୁଣି ଚାଷକାର୍ୟ୍ଯ ଆରମ୍ଭ କଲା ଚାଷୀ । ଜୁଲାଇ ୩୧ ଲଘୁଚାପ ଜନିତ ବର୍ଷା ଫଳରେ ନଈ, ନାଳ, ଗାଡ଼ିଆ, ପୋଖରୀ ସବୁ ଜଳମୟ ହୋଇଯାଇଛି । ଚାଷ ପାଇଁ ମଧ୍ୟ ପ୍ରଚୁର ପରିମାଣରେ ଜଳ ହୋଇଯାଇଛି ।ସୋମବାର ରାତିରୁ ଲଗାଣ ବର୍ଷା ଧରିଛି । ଅନବରତ ଭାବରେ ଛେଚୁଛି ବର୍ଷା । ବର୍ଷା ଯୋଗୁଁ ଚାରିଆଡେ ଆରମ୍ଭ ହୋଇଯାଇଛି ରୁଆ ବେଉସା । ଏବେ ଚାଷୀ ଭାଇ ଖୁସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.