ମିଳୁନି ଘର ପଟ୍ଟା; ଜିଲ୍ଳାପାଳଙ୍କୁ ଭେଟି ପଟ୍ଟା ପ୍ରଦାନ ପାଇଁ ଦାବି କଲେ ୨୫୦ ପରିବାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଦେଶ ପାଳୁଛି ଆଜାଦି କା ମହୋତ୍ସବ । ହେଲେ ଆଜି ବି ଘର ପଟ୍ଟା ଖଣ୍ଡିକ ନ ପାଇ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି । ଘର ପଟ୍ଟା ପ୍ରଦାନ ନିମନ୍ତେ ଦୀର୍ଘ ୭୦ବର୍ଷରୁ ଦାବି କରି ଆସୁଥିଲେ ମଧ୍ୟ ଆଜି ଯାଏଁ ପଟ୍ଟା ଖଣ୍ଣିଏ ପ୍ରଦାନ କରାଯାଉ ନ ଥିବାରୁ ସରକାର ତଥା ସ୍ଥାନୀୟ ଜିଲ୍ଳା ପ୍ରଶାସନ ଉପରେ ଅସନ୍ତୋଷ ହେଲେଣି ଗ୍ରାମବାସୀ । ଏଭଳି ଅଭିଯୋଗ ନେଇ ଜିଲ୍ଳାପାଳଙ୍କୁ ଭେଟି ଘର ପଟ୍ଟା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ୨୫୦ପରିବାର । ତେବେ ସରକାରଙ୍କ ନିୟମ ପ୍ରକାରେ ଯୋଗ୍ୟ ହିତାଧିକାରୀଙ୍କୁ ଆବେଦନ କଲେ ତାଙ୍କୁ ନିଶ୍ଚିତ ପଟ୍ଟା ଯୋଗାଇ ଦିଆଯିବ ବୋଲି ଜିଲ୍ଳାପାଳ ପ୍ରକାଶ କରିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଚଳିତ ମାସର ପ୍ରଥମ ସୋମବାରରେ ଆଜି ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଆଜି ହାଟ ଶେଷଖାଲ ଗ୍ରାମ ପଂଚାୟତର ଲୁମ୍ବେସୁ, କେରେଣ୍ଡି, ଝୁଂଜାମଣି ଓ ହାଟଶେଷଖାଲ ଭଳି ୪ଟି ଗ୍ରାମର ଗ୍ରାମବାସୀମାନେ ଭେଟି ଘର ପଟ୍ଟା ପ୍ରଦାନ କରିବା ପାଇଁ ଦୀର୍ଘ ଦିନର ଦାବିକୁ ଉପସ୍ଥାପନା କରିଥିଲେ । ଘର ପଟ୍ଟା ନ ଥିବାରୁ ପୂର୍ବରୁ ଇନ୍ଦିରା ଆବାସ ମିଳୁ ନ ଥିବା ବେଳେ ଏବେ ବିଜୁ ପକ୍କାଘର, ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ନୂଆ ଯୋଜନା ମୋ ଘରରେ ମଧ୍ୟ ଉକ୍ତ ଗାଁଗୁଡିକର ୨୫୦ ପରିବାର ଲୋକେ ସାମିଲ ହୋଇ ପାରୁନାହାନ୍ତି । ଅନେକ ସମୟରେ ପିଲାଙ୍କ ପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ସାର୍ଟିଫିକେଟ୍ ମଧ୍ୟ ମିଳି ପାରୁ ନ ଥିବାରୁ ପିଲାମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ହାଟ ଶେଷଖାଲ ସରପଂଚ ଜେଟି କିଲକା, ପୂର୍ବତନ ସରପଂଚ ଜିଆନା କିଲାକା ପ୍ରମୁଖ ପ୍ରକାଶ କରିଥିବା ବେଳେ ଜିଲ୍ଳାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ ବେଳେ କୁନିଗା କଲକା, ସାମ୍ବାରୁ କଲକା, ମୋହନ କଲକା, ରାଜାରାଓ ପୁଆଲା, ଅନିତା ହୁଇକା, ସରିତା ପୁଆଲାଙ୍କ ସହ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ରହିଥିବା ବେଳେ ରାୟଗଡା ଲ୍ୟାମ୍ପସ ସଭାପତି ଚକ୍ରଧର ବିଡିକା ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.