ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ଅଣ ଜଳସେଚିତ ଗୋତମୁଣ୍ଡା ପଞ୍ଚାୟତରେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଶ୍ରାବଣରେ ମଧ୍ୟ ଚାଷକାର୍ଯ୍ୟ ଠିକ୍ ଭାବରେ ଆଗେଇ ପାରିନାହିଁ। ଯେଉଁ କେତେକ ଚାଷୀ ରୁଆ ବେଉଷଣ କରିଛନ୍ତି ତାହା ବି ପାଣି ଅଭାବରୁ ଜମି ଫାଟି ଆଁ କଲାଣି। ଏମିତିରେ ଚାଷୀକୁଳ ନିରାଶ ହୋଇଥିବା ବେଳେ ଅଞ୍ଚଳରେ ସାମ୍ଭାବ୍ୟ ମରୁଡ଼ି ସ୍ଥିତି ଦେଖାଦେଇଛି। ଯାହାକୁ ନେଇ ବୁଧବାର ଗୋତମୁଣ୍ଡା ଅଞ୍ଚଳବାସୀ ପଞ୍ଚାୟତ କୁ ସମ୍ପୂର୍ଣ ମରୁଡ଼ି ଘୋଷଣା କରିବା ସହ ଇନପୁଟ ସବସିଡି ଓ ସହାୟତା ରାଶି ପ୍ରଦାନ କରିବା ନେଇ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋତମୁଣ୍ଡା ପଞ୍ଚାୟତର ପିପଲଝାପର ଓ ଗୋତମୁଣ୍ଡା ମୌଜାର ପ୍ରାୟ ୯୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ହେଲେ ଚାଷ ନିମନ୍ତେ କୌଣସି ଜଳ ସେଚନର ବ୍ୟବସ୍ଥା ନାହିଁ। ଯାହା ଫଳରେ ଚାଷୀମାନେ ବର୍ଷା ପାଣିରେ ଉପରେ ଭରସା କରନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏହି ଗ୍ରାମର ଚାଷୀ ଧାନ ବୁଣା ବୁଣି କରିଥିଲେ, ସେମାନଙ୍କର ବର୍ତ୍ତମାନ ସୁଦ୍ଧା ବେଉଷଣ ହୋଇ ପାରିନାହିଁ। ଯେଉଁ କେତେକ ଚାଷୀ ତଲି ପକାଇ ଥିଲେ ସେମାନଙ୍କର ତଲିସବୁ ତିନି ମାସରୁ ଉର୍ଦ୍ଧ୍ଵ ହୋଇଥିବା ବେଳେ ରୁଆ କାର୍ଯ୍ୟ ମଧ୍ୟ ହୋଇ ପାରିନାହିଁ। ତଲି ସବୁ ପୋଡ଼ିବା ଆରମ୍ଭ ହେଲାଣି। ଆଗକୁ ବର୍ଷା ହେଲେ ମଧ୍ୟ ଚାଷ ହେଲାପରି ସମ୍ଭାବନା ଦେଖାଯାଉଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ୯୦ ପ୍ରତିଶତ ଚାଷୀ ସେମାନଙ୍କର ଚାଷକାର୍ଯ୍ୟ କରି ପାରି ନାହାଁନ୍ତି। ଏବଂ ଆଗକୁ ମଧ୍ୟ ଚାଷ ହେବାବୋଲି ସମ୍ଭାବନା ଦେଖା ଯାଉନାହିଁ ତେଣୁ ଋଣଭାର ଓ ପରିବାର ପ୍ରତିପୋଷଣ କିଭଲି ହେବ ସେନେଇ ଚିନ୍ତାରେ ରହିଛନ୍ତି ଚାଷୀ। ତେଣୁ ଗୋତମୁଣ୍ଡା ପଞ୍ଚାୟତକୁ ସମ୍ପୂର୍ଣ ମରୁଡ଼ି ଘୋଷଣା କରିବା ସହ ଇନପୁଟ ସବସିଡି ଓ ସହାୟତା ରାଶି ପ୍ରଦାନ କରିବା ନେଇ ବୁଧବାର ଗୋତମୁଣ୍ଡା ଅଞ୍ଚଳର ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପାର୍ଥବ ମାଝୀଙ୍କ ନେତୃତ୍ୱରେ କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଶଙ୍କର ମାଝୀ, ହୃଷିକେଶ ମାଝୀ, ଦୋଲ ଗୋବିନ୍ଦ ବାଗ, ବିଭୁତି ପୋଟା, ରୁକଧର କାଣ୍ଡ, କ୍ଷୀର ସିନ୍ଧୁ ନାଏକ, ମଧୁସୂଦନ ସୌରୀ, ମୁକୁନ୍ଦ ନାଗେଶ, ଭରତ ନାଗେଶ, ଉପେନ୍ଦ୍ର ଗୋପାଳ, କ୍ଷୀରସିନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।