ଜିଲ୍ଲା ସ୍ତରୀୟ ଏସ୍ଆଇଓଏସ୍ ମେଗା କ୍ୟାମ୍ପରେ ଗୋଟିଏ ଦିନରେ ନାମ ଲେଖାଇଲେ ୫୦୧ ଛାତ୍ରଛାତ୍ରୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଧାରୁ ପାଠ ଛାଡ଼ିଥିବା କିମ୍ବା ଦଶମରେ ଫେଲ୍ ଅବା ଅନୁପସ୍ଥିତ ଥିବା ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏସ୍ଆଇଓଏସ୍)ରେ ଏକାଥରକେ ନାମ ଲେଖାଇବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଜିଲ୍ଲା ସ୍ତରୀୟ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପରେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରୁ ବହୁସଂଖ୍ୟକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ସିଆରସିସି, ଏସ୍ଆଇଓଏସ୍ ସଂଯୋଜକ, ବିଇଓ, ଏବିଇଓମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଏସ୍ଆଇଓଏସରେ ଥିବା ସୁବିଧା ସୁଯୋଗ ଉପରେ ଅଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ କଳାହାଣ୍ଡି ଜିଲ୍ଲାର ସ୍ୱାଭିମାନ କହି ଉତ୍ସାହିତ କରିଥିଲେ। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଡ୍ରପ୍ଆଉଟ ପିଲାଙ୍କୁ ଏସ୍ଆଇଓଏସରେ ନାମ ଲେଖାଇ ପୁଣିଥରେ ମୁଖ୍ୟସ୍ରୋତକୁ ଆଣିବା ପାଇଁ ତା’ର ନିଆରା ପ୍ରୟାସ ଜାରି ରଖିଛି। ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟକୁ ଏହିପରି ୧୦ ରୁ ୧୫ ଛାତ୍ରଛାତ୍ରୀଙ୍କର ଦାୟିତ୍ୱ ପ୍ରଦାନ କରିବା ସହିତ ଜଣେ ଜଣେ ପଏଣ୍ଟ ପର୍ସନ ନିଯୁକ୍ତି କରାଯାଇଛି। ଏଥିରେ ବିଦ୍ୟାଳୟମାନଙ୍କର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଘରକୁ ଘର ଯାଇ ପିଲାଙ୍କୁ କାଉନସେଲିଂ କରୁଛନ୍ତି। କିଛି ପିଲା ରାଜ୍ୟ ବାହାରେ ଥିଲେ ମଧ୍ୟ ତାଙ୍କ ଫୋନ୍ ନମ୍ବର୍ ସଂଗ୍ରହ କରି ସେମାନଙ୍କୁ ଫୋନରେ ବୁଝାଉଛନ୍ତି। ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଲିଫଲେଟ ବାଣ୍ଟିବା ସହିତ ଅଟୋ ରିକ୍ସାରେ ବୁଲି ମାଇକ ଯୋଗେ ଘୋଷଣା କରୁଛନ୍ତି। ଡିଇଓ, ଏଡିଇଓ, ବିଇଓ ତଥା ଏସ୍ଆଇଓଏସ୍ ସଂଯୋଜକମାନେ ବାରମ୍ବାର ଏହାକୁ ତଦାରଖ କରି ଏହାର ପ୍ରଗତିର ସମୀକ୍ଷା କରୁଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ଏଥିରେ ଏମିତି ଲାଗିପଡ଼ିଛି ଯେ, କଳାହାଣ୍ଡିରେ ଏହା ଏକ ଆନ୍ଦୋଳନର ରୂପ ନେଇ ସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର କ୍ୟାମ୍ପରେ ଗୋଟିଏ ଦିନରେ ମୋଟ ୫୦୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଥିଲାବେଳେ ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ୮୪୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଛନ୍ତି। ଆଗାମୀ ୩୧ ତାରିଖ ମଧ୍ୟରେ ଏହିପରି ୧୦୦% ଛାତ୍ରଛାତ୍ରୀଙ୍କର ନାମ ଲେଖା ସାରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି ବୋଲି ଜିଲ୍ଲା ବିଜ୍ଞାନ ପାର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ସୂଚନା ପ୍ରଦାନ କରିଥିବା ବେଳେ ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା ଧନ୍ୟବାଦ ଅର୍ପଣ କରିଥଲେ।