ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁତ୍ର ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ ସେ ଜନ୍ମଗ୍ରହଣ କରିଥିଲେ। ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ଯ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ।
ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।
ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ଭଗବାନ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି।