ଜନ୍ମାଷ୍ଟମୀ : କର୍ମଯୋଗୀ ହେବାକୁ ଶପଥ ନେବାର ଦିନ

ଦ୍ବାପର ଯୁଗରେ ଦୁଷ୍ଟ ଦଳନ ଓ ସନ୍ଥ ପାଳନ କରିବାପାଇଁ ଭଗବାନ ଶ୍ରୀକୃଷ୍ଣ ପରମ ପବିତ୍ର ଯଦୁବଂଶରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀକୃଷ୍ଣ ପରମ ଯୋଗୀ। ତାଙ୍କ ଲୀଳାଖେଳାର ଚରିତ ଅପୂର୍ବ। ସେ ସର୍ବଶକ୍ତିମାନ ପରମବ୍ରହ୍ମ। ସେ ସାକାର ପୁଣି ନିରାକାର। ତାଙ୍କର ଆଦି ଅନ୍ତ ଭାବ ବୁଝିବାକୁ ବ୍ରହ୍ମା ଶଙ୍କର ମଧ୍ୟ ଅସମର୍ଥ। ସନାତନ ସଂସ୍କୃତିରେ ଜନ୍ମାଷ୍ଟମୀର ଯଥେଷ୍ଟ ଗୁରୁତ୍ବ ରହିଥିବାବେଳେ ବୈଷ୍ଣବ ଓ ଗୋପାଳ ସଂପ୍ରଦାୟରେ ଏହାକୁ ଆଡ଼ମ୍ବର ସହକାରେ ପାଳନ କରାଯାଏ।
ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। ଭୋଜବଂଶୀ କଂସ ଥିଲେ ଶ୍ରୀକୃଷ୍ଣଙ୍କ ମାମୁଁ। ଅସୁର ସ୍ବଭାବଯୁକ୍ତ କଂସଙ୍କ ଅତ୍ୟାଚାରରେ ତ୍ରିଭୁବନ ତ୍ରାହି ତ୍ରାହି ଡାକ ଦେଉଥିଲେ। କଂସଙ୍କ କବଳରୁ ସମସ୍ତଙ୍କୁ ମୁକ୍ତ କରିବାକୁ ଅବତାର ଗ୍ରହଣ କଲେ ପରମପୁରୁଷ ପରମବ୍ରହ୍ମ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗର ଶେଷ ଭାଗରେ ଏହି ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ।
ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣଙ୍କର ଜନ୍ମ ହେଇଥିଲା। ଦେବକୀଙ୍କ ବିବାହ ପରେ କଂସ ନିଜେ ସାରଥୀ ରୂପରେ ଭଗ୍ନୀ ଓ ଜାମତାଙ୍କୁ ନେଇ ଯାଉଥିବା ସମୟରେ ଶୂନ୍ୟବାଣୀ ହେଲା- ରେ ରେ କଂସାସୁର, ଏହି ଦେବକୀର ଅଷ୍ଟମ ଗର୍ଭ କୁମର ତୋତେ ବଧ କରିବ।
ଏହି ବାଣୀ ଶୁଣି କଂସ ନିଜ ଭଗିନୀ ଦେବକୀ ଓ ତାଙ୍କ ସ୍ବାମୀ ବସୁଦେବଙ୍କୁ ନେଇ ବନ୍ଦୀ କରି କାରାଗାରରେ ରଖିଲେ। ବର୍ଷକୁ ବର୍ଷ ଦେବକୀଙ୍କ ଛ’ ପୁତ୍ରକୁ କଂସ ବିନାଶ କଲେ। ସପ୍ତମ ଗର୍ଭର ସନ୍ତାନକୁ ଅମ୍ବିକା ଯୋଗ ବଳରେ ହରଣ କରି ରୋହିଣୀ ଗର୍ଭରେ ସ୍ଥାପନ କଲେ। ରୋହିଣୀ ବସୁଦେବଙ୍କ ପ୍ରଥମ ପତ୍ନୀ।
ଯେତେବେଳେ କଂସ ଦେବକୀ ଓ ବସୁଦେବକୁ ବନ୍ଦୀ କରି ଆଣିଲେ, ସେହି ସମୟରେ ରୋହିଣୀ ଗୋପପୁର ନନ୍ଦ ମହାରାଜଙ୍କ ଘରେ ଲୁଚି ରହିଲେ। ସେହି ରୋହିଣୀ ଗର୍ଭରେ ଜନ୍ମ ନେଇଥିଲେ ଶଙ୍କର୍ଷଣ, ଯାହାଙ୍କୁ ନନ୍ଦରାଜା ବଳରାମ ନାମ ଦେଲେ। ଏହା ପୂର୍ବରୁ ଭଗବାନ ଦେବତାମାନଙ୍କୁ ଗୋପ ଓ ମଥୁରାର ଯଦୁବଂଶରେ ଜନ୍ମ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପରମପୁରୁଷ ଦେବକୀଙ୍କ ଅଷ୍ଟମ ଗର୍ଭରେ ପ୍ରବେଶ କଲେ। ସଂସାରର ପାଳନକର୍ତ୍ତାଙ୍କୁ ଉଦରରେ ଧରି ଦେବକୀଙ୍କ ତେଜ ବଢ଼ିବାରେ ଲାଗିଲା।
କଂସ ମହାଭୟ ପାଇ ବନ୍ଦୀଶାଳାର ସୁରକ୍ଷା ବଢ଼ାଇଦେଲେ। ପରିଶେଷରେ ଦେବକୀଙ୍କ ଗର୍ଭରୁ ଅର୍ଦ୍ଧରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଗ୍ରହଣ କଲେ। ସ୍ବର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରି ତାଙ୍କର ଜୟଗାନ କଲେ। ଶ୍ରୀକୃଷ୍ଣଙ୍କ ଅପୂର୍ବ ରୂପ ଦେଖି ଦେବକୀ-ବସୁଦେବ ପ୍ରମାଦ ଗଣିଲେ। ଆଉ କିଛି କ୍ଷଣ ପରେ କଂସ ଆସି ଏହି ଶିଶୁକୁ ନେଇ ନିଧନ କରିବେ।
ବସୁଦେବ କହୁଛନ୍ତି- ହେ ଅପୂର୍ବ ତେଜୋବନ୍ତ ଶିଶୁ, ତୁମେ ହିଁ ନିଜକୁ ରକ୍ଷାକର। ମୁଁ ଉପାୟଶୂନ୍ୟ, କିଛି କରିପାରିବି ନାହିଁ। ମାତାପିତାଙ୍କ ବ୍ୟାକୁଳତା ଦେଖି ବାଳକ ଶ୍ରୀକୃଷ୍ଣ ସେମାନଙ୍କୁ ନିଜ ଜନ୍ମର ଉଦ୍ଦେଶ୍ୟ ବିଷୟରେ ବୁଝାଉଛନ୍ତି। ସଂସାରର ପାପଭାରାକୁ ଉଶ୍ୱାସ କରିବା ଓ ଧର୍ମ ପ୍ରତିଷ୍ଠା କରିବା ନିମନ୍ତେ ସେ ମାନବ ରୂପ ଧାରଣ କରିଛନ୍ତି। ତାଙ୍କର ଏହି ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ତେଣୁ ଭୟ କରିବାର କୌଣସି କାରଣ ନାହିଁ।
ଏହାପରେ କୃଷ୍ଣଙ୍କ ନିର୍ଦ୍ଦେଶ ପ୍ରକାରେ ପିତା ବସୁଦେବ ତାଙ୍କୁ ବର୍ଷଣମୁଖର ରଜନୀରେ ଭରା ହୋଇଥିବା ଯମୁନା ନଈ ପାରିହୋଇ ନନ୍ଦ ମନ୍ଦିରରେ ପ୍ରବେଶ କଲେ। ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ କନ୍ୟା ଶିଶୁକୁ ବଦଳାଇ ଆଣିଲେ। ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି।
ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ଵର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ। ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ। 
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.