ଓଡ଼ିଆ ବାର୍ତ୍ତା/ କଲମ୍ବୋ: ଏସିଆ କପ୍ ୨୦୨୩ର ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଦଳ ପକ୍ଷରୁ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ପରେ କୁଲଦୀପ ଯାଦବ ପାଞ୍ଚ ୱିକେଟ୍ ନେଇ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ କୁଲଦୀପ ଯାଦବ ପ୍ରଥମେ ଶାଦବ ଖାନ (୬) ଏବଂ ପରେ ଇଫତିଖର ଅହମ୍ମଦ (୨୩)କୁ ଆଉଟ କରିଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର ମ୍ୟାଚ୍ ରିଜର୍ଭ ଦିନରେ ଶେଷ ହୋଇଛି। ରବିବାର ବର୍ଷା ଯୋଗୁଁ ଏହି ମ୍ୟାଚ୍ ବ୍ୟାହତ ହୋଇଥିଲା। ତା’ପରେ ସୋମବାର ରିଜର୍ଭ ଦିନରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ବୋର୍ଡରେ ୨ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା। ୧୨୨ ରନ୍ କରି ବିରାଟ କୋହଲି ଅପରାଜିତ ରହିଥିବା ବେଳେ କେ.ଏଲ୍ ରାହୁଲ ୧୧୧ ରନ୍ କରି ଅପରାଜିତ ରହିଥିଲେ। ଏହି ମ୍ୟାଚରେ ପାକିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବୋଲି ପାଇଁ ନିଷ୍ପତ୍ତି ନେଇଥିଲା। ୩୫୭ ରନ୍ର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ୧୨୮ ରନରେ ୮ ଟି ୱିକେଟ୍ ହରାଇ ଥିଲା। ହେଲେ ଆହତ ହରିସ୍ ରାଉଫ ଏବଂ ନାସିମ ଶାହା ବ୍ୟାଟିଂ କରିବାକୁ ଆସିନଥିଲେ। ଏହାପରେ ଭାରତ ୨୨୮ ରନରେ ମ୍ୟାଚ୍ ଜିତିଛି। କୁଲଦୀପ ଯାଦବ ଭାରତ ପାଇଁ ୫ ୱିକେଟ୍ ନେଇଥିଲେ।