ଓଡ଼ିଆ ବାର୍ତ୍ତା/ ସୁନ୍ଦରଗଡ଼: ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ପାମରା ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଦିନ ‘ନୁଆଁଖାଇ ଭେଟଘାଟ’ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଅନୁଷ୍ଠାନର ସମ୍ପାଦକ ଟୋନିସ ରୋହିଦାସଙ୍କର ନେତୃତ୍ୱରେ ଆୟୋଜିତ ଉକ୍ତ ବୈଠକରେ ନୁଆଁଖାଇ କାର୍ଯ୍ୟକ୍ରମ ପାଇଁ ଆଲୋଚନା ହୋଇଥିଲା। ବୈଠକରେ ବିଭୁତି ମହାକୁଳ ମୁଖ୍ୟ ଭୂମିକା ତୁଳାଇ ଥିଲେ। ଏଥିରେ ଦେବାଶିଷ ବାରିକ, ଖାଣ୍ଡବ ଚମାର, ମୌସମ ରାଉତ, ସୁବ୍ରତ ଦାନୀ, ରବି କମାର, ବିକାଶ ଖିଲାରି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଶ୍ଚିମ ଓଡିଶାର ସମ୍ବଲପୁରୀ ଭାଷା ସାହିତ୍ୟ, କଳା, ସଂସ୍କୃତି ପରମ୍ପରାକୁ କେମିତି ବଞ୍ଚାଇ ରଖିପାରିବା। ଗାଁ ଗୁଡିକରେ ରହୁଥିବା କଳାକାର ମାନଙ୍କ କଳା କିପରି ଲୋକଲୋଚନକୁ ଆସିପାରିବ। ସେମାନଙ୍କୁ କିପରି ମଞ୍ଚ ମିଳିବ। ଆଗାମୀ ଦିନରେ ସେମାନେ ନିଜର ପରିଚୟ ପାଇବେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, ଦୀର୍ଘ ତିନି ବର୍ଷ ହେଲା ଏହି ଅନୁଷ୍ଠାନ ପଶ୍ଚିମାଞ୍ଚଲର ସମ୍ବଲପୁରୀ ଭାଷା ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଅଛି। ଚଳିତ ବର୍ଷ ପାମରା ଗାଁରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସମ୍ବଲପୁରି କଳା ସଂସ୍କୃତି ଅନୁଷ୍ଠାନ ତରଫରୁ ଆୟୋଜନ ଚାଲିଛି ବୋଲି ସଂପାଦକ ଟୋନିସ ରୋହିଦାସ ସୂଚନା ଦେଇଛନ୍ତି।