ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଲାଗିରହିଛି ଲଗାଣ ବର୍ଷା। ଅନେକ ସ୍ଥାନରେ ଲୋକଙ୍କ ଘରସବୁ ଭୁଶୁଡ଼ି ପଡୁଥିବା ବେଳେ କେତେକ ସ୍ଥାନରେ ରାସ୍ତା କଡ଼ର ଗଛ ଉପୁଡ଼ ପଡୁଥିବା ଦେଖାଯାଇଛି। ବେହାଲ ହୋଇ ଉଠିଛି ଜନଜୀବନ। ଏହାରି ଭିତରେ ମ.ରାମପୁର-ରିଷିଡା ପୂର୍ତ୍ତ ବିଭାଗ ରାସ୍ତା ପାଜିବାହାଲି ଠାରେ ଏକ ବିରାଟକାୟ ତେନ୍ତୁଳି ଗଛ ତଳେ ଜଣେ ବାଇକ୍ ଆରୋହୀ ଚାପି ହେଇ ରହି ଯାଇଥିବା ଜଣାପଡିଥିଲା। ଅନ୍ୟ ପଥଚାରୀମାନେ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆ ଯିବା ସହ ଲୋକେ ତାଙ୍କୁ ଗଛ ତଳୁ ସୁରକ୍ଷିତ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ। ଯୁବକ ଜଣକଙ୍କ ନାମ କେଶବ ସାହୁ ଏବଂ ଘର କର୍ଲାମୁଣ୍ଡା ବ୍ଲକ୍ ଗଜବାହାଲ ଗ୍ରାମର ଏବଂ ସେ ମ.ରାମପୁର ବ୍ଲକ୍ ଗୋଛା ଡେଙ୍ଗେନ ପଞ୍ଚାୟତ କୁମେରପଟା ବିଦ୍ୟାଳୟର ଶିକ୍ଷକ ବୋଲି ଜଣା ପଡ଼ିଛି। ତାଙ୍କର ଚିକିତ୍ସା ପାଇଁ ତୁରନ୍ତ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ କି, ସେ ଏକ ଲାଲ୍ ରଙ୍ଗ ପ୍ୟାସନ ପ୍ରୋ ଗାଡ଼ିରେ କୌଣସି କାମ ନେ଼ଇ ଯାଉଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ରାସ୍ତାରେ ଅନେକ ପୁରାତନ ତଥା ବିପଦ ପୂର୍ଣ୍ଣ ଅବସ୍ଥାରେ ଗଛ ସବୁ ରହିଛି, ଏହାକୁ ଯଥା ଶୀଘ୍ର ଚିହ୍ନଟ କରି କାଟିଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।