ସୁଙ୍ଗେର ଖଣି ଅଞ୍ଚଳରେ ପ୍ରଫୁଲ୍ଳ ସାମନ୍ତରା କିଏ -କାଶୀପୁର ବିଜେଡି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକ ସୁଙ୍ଗେର ଗ୍ରାମ ପଂଚାୟତ ଅନ୍ତର୍ଗତ ସିଜିମାଳି, କୁଟ୍ରୁମାଳି ଖଣି ଖନନକୁ ନେଇ ଗତ କିଛି ମାସ ହେଲା ଅଂଚଳରେ ଉତେଜନା ପ୍ରକାଶ ପାଇ ଆସୁଛି। ଅଂଚଳରେ ଉତେଜନା ସୃଷ୍ଟି କରାଇବା ପାଇଁ ସମାଜସେବୀ ପ୍ରଫୁଲ୍ଳ ସାମନ୍ତରା ଅନେକ ମାତ୍ରାରେ ଦାୟୀ ବୋଲି କହି ଆଜି ବର୍ଷିଛନ୍ତି କାଶିପୁର ବ୍ଳକ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜେଡିର ରାଜ୍ୟ ସଂପାଦକ ଜଗଦୀଶ ପାତ୍ର। କମ୍ପାନୀ ସ୍ଥାପନା ହେଲେ ତଥା ଖଣି ଖନନ ହେଲେ ଆପେ ଆପେ ଅଂଚଳର ବିକାଶ ସହ ରାଜ୍ୟର ବିକାଶ ହେବ। ହେଲେ କମ୍ପାନୀ ତଥା ସରକାରଙ୍କ ବିରୁଦ୍ଧରେ ଅଂଚଳବାସୀଙ୍କୁ ମିଥ୍ୟା କଥା କହି ସେମାନଙ୍କୁ ବ୍ୟବହାର କରିବା ଯୋଜନାକୁ ଆମେ ବରଦାସ୍ତ କରିବୁ ନାହିଁ। ଆମ କାଶିପୁର ଅଂଚଳର ବିକାଶ ପାଇଁ ଯେ କୈାଣସି ନିଷ୍ପତି କେବଳ ଆମ ଦ୍ୱାରା ନିଆଯିବ। ଏଥିପାଇଁ ପ୍ରଫୁଲ୍ଳ ସାମନ୍ତରା କିମ୍ବା ଅନ୍ୟ କୈାଣସି ବହାର ଲୋକଙ୍କ ନୁହେଁ। ଆମ ପାଇଁ ଭଲ କଣ ଖରାପ କଣ ଆମେ ଜାଣୁ। ଆମକୁ ବାହାର ଲୋକଙ୍କ ସାହାର୍ଯ୍ୟ ଦରକାର ନାହିଁ ବୋଲି କହିଛନ୍ତି ଶ୍ରୀ ପାତ୍ର।

ପ୍ରଫୁଲ୍ଳ ସାମନ୍ତରା କିଏ? ଆମ କାଶିପୁର ଅଂଚଳରେ ତାଙ୍କର ଭୂମିକା କଣ? କାହିଁକି ପ୍ରଫୁଲ୍ଳ ସାମନ୍ତରା ଆମ କାଶୀପୁର ଅଂଚଳର ନିରୀହ ଲୋକଙ୍କୁ ତାଙ୍କ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି? କାଶିପୁର ଅଂଚଳରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଥିବା ବେଳେ ପ୍ରଫୁଲ୍ଳ ସାମନ୍ତରା ଏବଂ ଅନ୍ୟ ବାହାର ଲୋକ ଆମ ଅଂଚଳରେ ଆସି କାହିଁକି ଉତେଜନା ସୃଷ୍ଟି କରୁଛନ୍ତି। କାଶିପୁର ଭଳି ପଛୁଆ ବ୍ଳକର ଉନ୍ନତୀ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦଶନ୍ଧି ଦଶନ୍ଧି ଧରି ବିଭିନ୍ନ ଶିଳ୍ପାନୁଷ୍ଠାନର ସ୍ଥାପନା ତଥା ଖଣି ଖାଦନର ଖନନ ପାଇଁ କରି ଏଠାକାର ପ୍ରଭାବିତ ଗ୍ରାମବାସୀଙ୍କ ଆର୍ଥିକବସ୍ଥାରେ ବିକାଶ ଏବଂ ଗ୍ରାମାଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କିଛି ପଦକ୍ଷେପ ନେଉଛନ୍ତି ସେହି ସମୟରେ ହିଁ କାହିଁକି ପ୍ରଫୁଲ୍ଳ ସାମନ୍ତରା ଭଳି ଲୋକ ଆସି କାଶିପୁରର ବିକାଶର ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କୁ ମିଥ୍ୟା କଥା କହି ସେମାନଙ୍କୁ ଉକୁସାଇ ଭୁଲ ରାସ୍ତାରେ ନେଇ ନାନା ପ୍ରକାର ଅସୁବିଧାରେ ପକାଉଛନ୍ତି ବୋଲି କାଶିପୁର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜେଡିର ରାଜ୍ୟ ସଂପାଦକ ଜଗଦୀଶ ପାତ୍ର ବର୍ଷିଛନ୍ତି। ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ କାଶିପୁରର ସ୍ଥାନୀୟ ଚେତକ କ୍ଳବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବହୁ କାର୍ଯ୍ୟକର୍ତା ଏବଂ ଅଂଚଳବାସୀ ଉପସ୍ଥିତ ରହି କାଶିପୁର ବ୍ଳକରେ ପ୍ରଫୁଲ୍ଳ ସାମନ୍ତରାଙ୍କ ଭଳି ଅନ୍ୟ ବାହାର ଲୋକଙ୍କୁ ନିରୀହ ଲୋକଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଭଳି ଯୋଜନାକୁ ସଫଳ କରାଇବାକୁ ଦେବୁନି ଏବଂ ଅଂଚଳରେ ସେମାନଙ୍କୁ ପ୍ରବେଶ କରାଇ ଦେବୁନୁ ବୋଲି ପ୍ରକାଶ କରିଛନ୍ତି । କାଶିପୁର ବ୍ଳକ ସୁଙ୍ଗେର ଗ୍ରାମ ପଂଚାୟତ ଅନ୍ତର୍ଗତ ସିଜିମାଳି, କୁଟ୍ରୁମାଳିର ବକ୍ସାଇଟ୍ ଖଣି ଖନନ ପାଇଁ ରାଜ୍ୟ ସରକାରଙ୍କ ଓଏମସି ତରଫରୁ ବେଦାନ୍ତ କମ୍ପାନୀକୁ ସ୍ୱୀକୃତି ଦେଇଛନ୍ତି ବୋଲି କୁହାଯାଇଛି। କମ୍ପାନୀ ତରଫରୁ ସେଠାରେ ଆଗାମୀ ଦିନରେ ଖଣି ଖନନ କାର୍ଯ୍ୟ ଆରମ୍ଭ କଲେ ଅଂଚଳର ବିକାଶ ହେବ। ଦାଦନ ଖଟିବାକୁ ଯାଉଥିବା ଲୋକେ କାମ ପାଇବେ ଏବଂ ବେକାର ଶିକ୍ଷିତ ଯୁବକଯୁବତୀ ମଧ୍ୟ ନିଯୁକ୍ତ ହେବେ।

ତେବେ ପ୍ରଫୁଲ୍ଳ ସାମନ୍ତରା ଭଳି ଲୋକେ ନିଜର ସ୍ୱାର୍ଥ ପାଇଁ ଅଂଚଳରେ ନିରୀହ ଲୋକଙ୍କୁ ପ୍ରବର୍ତାଇବା ହେତୁ ଆଜି ୨୦ରୁ ଉର୍ଦ୍ଧ ଗ୍ରାମବାସୀ ଜେଲରେ ରହିଛନ୍ତି। ତେଣୁ କାଶିପୁର ଅଂଚଳରେ ବାହାର ଲୋକ ଯଦି କିଏ ଆସି ନିରୀହ ଲୋକଙ୍କୁ ବ୍ୟବହାର କରିବାକୁ ଚାହିଁବେ ତେବେ ଏହାର ଦୃଢ ପ୍ରତିବାଦ କରାଯିବ ଏବଂ ସେମାନଙ୍କୁ ଅଂଚଳରେ ପଶିବାକୁ ଦେବୁନାହିୁଁ ଏଥିପାଇଁ ଜିଲ୍ଳା ପ୍ରଶାସନ ଦାୟୀ ରହିବେ ବୋଲି କାଶିପୁର ପଂଚାୟତ ସମିତି ଅଧ୍ୟକ୍ଷ କଣ୍ଠ ମାଝି, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟା ରତ୍ନ୍‌ମାଳା ପରିଚ୍ଛା, ରତିକାନ୍ତ ନାୟକ ପ୍ରମୁଖ ପ୍ରକାଶ କରିଥିବା ବେଳେ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ଗଉଡ, ନବ ପ୍ରସାଦ ମିଶ୍ର, ବିଜେଡି ରାୟଗଡା ଜିଲ୍ଳା ସଂପାଦକ ଭାସ୍କର ପାଟ୍ଟଯୋଶୀ, ପୂର୍ବତନ ସରଂପଚ ମଦନ ମାଝି, ସମିତି ସଭ୍ୟା ସୁମିତ୍ରା ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ତେବେ ପ୍ରଫୁଲ ସାମନ୍ତରାୟ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାଶୀପୁରରେ ବାଫିଲି ମାଳିରେ ଖଣି ଖନନ ପରିବେଶ, ଜଳ ସ୍ରୋତ ଓ ନାଳ ଗୁଡ଼ିକୁ ପ୍ରଦୂଷିତ କରିସାରିଲାଣି। ଜନସାଧାରଣ ବିଷାକ୍ତ ପରିବେଶରେ ରହୁଛନ୍ତି। ସିଜିମାଳି, କୁଟ୍ରୁମାଳିରେ ଖଣି ଖନନ ମରୁଭୂମି ସୃଷ୍ଟି କରିବ।ରାଜ୍ୟରେ ଖଣି ଲୁଟକୁ ବିରୋଧ କରିବାକୁ ମୋ ପରି ଅନେକ ଆନ୍ଦୋଳନ ନେତା ଅଛନ୍ତି। ଆଦିବାସୀଙ୍କ ସୁରକ୍ଷା ଓ ଅଧିକାର ପାଇଁ ଲଢ଼ିବା ଏକ ନୈତିକ କର୍ତ୍ତବ୍ୟ। ଯେଉଁମାନେ ମୋତେ ଧମକ ଦେଇଛନ୍ତି ସେମାନଙ୍କୁ ମୋର ସାଧୁବାଦ। ପ୍ରଥମେ ଦଳର ମୁଖ୍ୟଙ୍କୁ ପଚାର ଏପରି ଧମକକୁ ସେ ସ୍ଵୀକୃତି ଦେଇଛନ୍ତି କି ବୋଲି ସମାଜସେବୀ ପ୍ରଫୁଲ ସାମନ୍ତରାୟ ପ୍ରଶ୍ନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.