ରାଜନୌତିକ ଦଳଙ୍କୁ ନେଇ ଭୋଟରଲିଷ୍ଟ ଓ ବୁଥ ପରିବର୍ତ୍ତନ ନେଇ ବ୍ଲକ ପ୍ରଶାସନର ସମୀକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସମ୍ମିଳନୀ କକ୍ଷରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ନର୍ଲାର ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, କଂଗ୍ରେସ ପାର୍ଟି, କମ୍ୟୁନିଷ୍ଟ ପାର୍ଟି, ଆମ ଆଦମୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ନେତୃବର୍ଗଙ୍କୁ ନେଇ ଭୋଟର ତାଲିକା ସଂଶୋଧନ, ନୂତନ ବୁଥ ଗଠନ ଆଦି ଉପରେ ସମୀକ୍ଷା କରାଯାଇଥିଲା । ଏଥିରେ ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ସାଧାରଣ ସମ୍ପାଦକ ଭ୍ରମର ନାଗ, ବିଜେପି ଦଳ ତରଫରୁ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ,ଆମ ଆଦମୀ ପାର୍ଟି ତରଫରୁ ତୀର୍ଥ ବୁଦ୍ଧିଆ, କମ୍ୟୁନିଷ୍ଟ ପାର୍ଟି ତରଫରୁ ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନ, ବହୁଜନ ସମାଜପାର୍ଟି ତରଫରୁ କାର୍ଯ୍ୟନିର୍ବାହୀ ସମ୍ପାଦକ ନୀଳମଣି ବିନାୟକ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିବା ସହିତ ଏଡିସନାଲ ଭୋଟର ଲିଷ୍ଟ ପ୍ରସ୍ତୁତି, ଭୋଟର ଲିଷ୍ଟ ସଂଶୋଧନ, ନୂତନ ବୁଥ ଗଠନ ବିଷୟରେ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ । ପ୍ରଥମେ ବିଡିଓ ଶ୍ରୀମତୀ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ ଏଡିସନାଲ ଭୋଟର ତାଲିକା ପ୍ରସ୍ତୁତିର ଗାଇଡ ଲାଇନ, ନୂତନ ବୁଥ ଗଠନ ପାଇଁ ରହିଥିବା ନିର୍ବାଚନ କମିଶନରଙ୍କ ଗାଇଡଲାଇନ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ଆଉ ମାତ୍ର କେଇମାସ ପରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ନୂତନ ଭୋଟର୍ସଙ୍କୁ ଭୋଟଦାନ ପ୍ରକ୍ରୀୟାରେ ସାମିଲ କରିବା ପାଇଁ ଏଡିସନାଲ ଭୋଟର ତାଲିକା ପ୍ରକାଶ କରାଯାଉଛି । ଏହି କ୍ରମରେ ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ ଅନୁଯାଇ ବିଏଲଓ ମାନେ ନୂତନ ଭୋଟର ତାଲିକା, ସଂଶୋଧନ ଭୋଟର ତାଲିକା ପ୍ରତି ଚାରିମାସରେ ଥରେ କରୁଛନ୍ତି । ଜାନୁୟାରୀ, ଅପ୍ରେଲ, ଜୁଲାଇ ଓ ଅକ୍ଟୋବର ମାସ ପହିଲା ତାରିଖରୁ ଏହା ଆରମ୍ଭ ହୋଇଥାଏ । ଯେଉଁ ଯୁବକ ମାନଙ୍କୁ ସେହି ମାସରେ ୧୮ ବର୍ଷ ପୂର୍ତ୍ତି ହୋଇଥାଏ ଇଲେକ୍ଟୋରାଲ ସିଷ୍ଟମରେ ସେମାନଙ୍କ ନାମ ଏଡିସନାଲ ଭୋଟର ତାଲିକାରେ ସଂଯୁକ୍ତ ହୋଇଥାଏ ବୋଲି ଏବିଡିଓ କହିଥିଲେ । ନର୍ଲା ବ୍ଲକରେ ମୋଟ ୧୨୦ ଗୋଟି ବୁଥ ରହିଛି । ସହରାଞ୍ଚଳରେ ଗୋଟିଏ ବୁଥରେ ୧୨୦୦ ରୁ ଉର୍ଦ୍ଧ୍ୱ ଭୋଟର ଓ ଗ୍ରାମାଞ୍ଚଳରେ ୧୪୦୦ ରୁ ଉର୍ଦ୍ଧ୍ୱ ଭୋଟର୍ସ ହେଲେ ଏଡିସନାଲ ବୁଥ କରାଯାଇଥାଏ । ନର୍ଲା ବ୍ଲକର ବଲବସପୁରର ୧ ନମ୍ବର ବୁଥରେ ୧୩୧୭ ଓ ନର୍ଲା ସହରର ୧ ନମ୍ବର ବୁଥରେ ସର୍ବାଧିକ ୧୩୦୩ ଜଣ ଭୋଟର୍ସ ରହିଛନ୍ତି । ଏଣୁ ଗାଇଡ ଲାଇନ ବାହାରେ ନୂତନ ବୁଥ ଗଠନ କରିବା ସମ୍ଭବ ନୁହେଁ ବୋଲି ଏବିଡିଓ କହିଥିଲେ । ହେଲେ ଟକର୍ଲା ଗ୍ରାମ ପଞ୍ଚାୟତର ରୋଜାବାହାଲି ଗ୍ରାମର ଲୋକେ ୫ କିମି ପଲମ ଯାଇଥାନ୍ତି ଭୋଟଦାନ ପାଇଁ ଏଣୁ ସେମାନଙ୍କୁ ଆଲିମ କିମ୍ବା ରାଏଦୁହୁନି ବୁଥରେ ସଂଯୁକ୍ତ କରାଗଲେ ଗ୍ରାମରୁ ବୁଥ ନିକଟ ହୋଇପାରନ୍ତା ବୋଲି ବିଜେଡି ସଭାପତି ଶ୍ରୀ ପଧାନ ପ୍ରସ୍ତାବ ଦେଇଥିଲେ । ସେହିଭଳି କୁର୍ମେଲ ଗ୍ରାମପର ଡୁଡାଲୁ ଗ୍ରାମର ଲୋକେ ୫ କିମି ତେର୍ଲୋ ଗ୍ରାମକୁ ଯାଇଥାନ୍ତି ଭୋଟଦାନ ପାଇଁ । ସେମାନଙ୍କୁ ପାଙ୍ଗା ବୁଥରେ ସଂଯୁକ୍ତ କରାଗଲେ ନିକଟ ହୁଅନ୍ତା ବୋଲି ପ୍ରସ୍ତାବ ଦେଇଥିଲେ ରାଜନୈତିକ ପାର୍ଟିର ନେତାମାନେ । ନର୍ଲା ବ୍ଲକର ୧୨୦ ବୁଥରୁ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦହଲ ସ୍କୁଲ ଏବୋଲିସ ହୋଇଯିବାପରେ ଏହି ବୁଥକୁ ନିକଟସ୍ଥ ଦୋରାପଦର ସ୍କୁଲକୁ ନିଆଯାଇଥିବା ବେଳେ ଗିଗିନା ଗ୍ରାମ ପଞ୍ଚାୟତର ଗିଧାମାଲ ସ୍କୁଲ ଉଠିଯିବା ପରେ ଏଠାକାର ବୁଥକୁ ନିକଟସ୍ଥ ମାଲପଡା ବୁଥରେ ସଂଯୁକ୍ତ କରାଇଯାଇଛି । ଏଣୁ ଏହି ଦୁଇଗୋଟି ବୁଥକୁ ବାଦ ଦେଲେ ନର୍ଲା ବ୍ଲକର ଆଉ କୌଣସୀ ବୁଥକୁ ପରିବର୍ତ୍ତନ କରାଯାଇନାହିଁ ବୋଲି ଏବିଡିଓ ଶ୍ରୀ ସାମଲ କହିଥିଲେ । ଜିଲ୍ଲା ନିର୍ବାଚନ କମିଶନର ଜିଲ୍ଲାପାଳ ମହୋଦୟାଙ୍କ ନିକଟକୁ ଆପଣ ମାନଙ୍କ ବୁଥ ସଂଯୋଗିକରଣ ପ୍ରସ୍ତାବ ପ୍ରେରଣ କରାଯିବ । ସେମାନେ ଯାହା ବିଚାର କରିବେ ଓ ପଦକ୍ଷେପ ନେବେ ବୋଲି ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀ କହିଥିଲେ । ଏହି ସମୀକ୍ଷା ବୈଠକରେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡିକ ବିଷୟରେ ମଧ୍ୟ ରାଜନୈତିକ ଦଳ ଗୁଡିକ ସହ ଆଲୋଚନା କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ କେମିତି ସୁରୁଖୁରୁରେ ପରିଚାଳିତ ହୋଇପାରିବ ସେଥିପାଇଁ ଆପଣ ସମସ୍ତ ରାଜନୈତିକ ଦଳ ଗୁଡିକର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.