ଶୁଭ ଗଣେଶ ଚ଼ତୁର୍ଥୀ

ବକ୍ରତୁଣ୍ଡଂ ମହାକାୟ
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା।
ଖର୍ବ ସ୍ଥୂଳତନୁ ଗଜେନ୍ଦ୍ର ବଦନଂ ଲମ୍ବୋଦରମ୍ ସୁନ୍ଦରମ୍,
ପ୍ରଷ୍ୟନ୍ଦନ୍ ମଧୁଗନ୍ଧ ଲୁବଧ ମଧୁପ
ବ୍ୟାଲୋଳ ଗଣ୍ଡ ସ୍ଥଳମ,
ଦନ୍ତାଘାତ ବିଦାରିତାରି ରୁଧିରୈଃ
ସିନ୍ଦୁର ଶୋଭାକରଂ,
ବନ୍ଦେ ଶୈଳସୁତା ସୁତମ
ଗଣପତି ସିଦ୍ଧିପ୍ରଦମ୍ କାମଦମ୍।

ଓଡ଼ିଶା ହେଉଛି ଦେବଭୂମି। ଶ୍ରୀ ଜଗନ୍ନାଥଙ୍କ ପ୍ରଦେଶ। ପ୍ରତ୍ୟେକ ଓଡିଆ ଧର୍ମପ୍ରାଣ ବ୍ୟକ୍ତିମାନଙ୍କ ଦେହ ମନ ପ୍ରାଣରେ ପ୍ରଭୁ ଶ୍ରୀ ଜଗନ୍ନାଥ‌ ହିଁ ସର୍ବମୟକର୍ତ୍ତା। ତାଙ୍କରି ଠାରୁ ବାରମାସରେ ତେର ପର୍ବ ର ଆୟୋଜନ।ସାରା ଓଡ଼ିଶାରେ ଗ୍ରାମରୁ ନଗର ପର୍ଯ୍ୟନ୍ତ ପ୍ରତିଦିନ କିଛି ନା କିଛି ପର୍ବପର୍ବାଣୀ, ଯାନିଯାତ୍ରା ଜନଜୀବନକୁ ଉତ୍ସବମୁଖର କରିଥାଏ। ଦେବାଦେବୀଙ୍କର ଆରାଧନା ପଶ୍ଚାତରେ ଥାଏ ଜଗତମଙ୍ଗଳ କାମନା, ସୁଖଶାନ୍ତି ର ସହାବସ୍ଥାନ ଓ ଆଧ୍ୟାତ୍ମିକ ଚ଼େତନା ଭଳି ଦିବ୍ୟ ଆନନ୍ଦ।

ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜା କରାଯାଇଥାଏ। ଏହି ପୂଜା ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଗ୍ରାମ ମାନଙ୍କ ରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ଏହି ପୂଜା କୁ ଛାତ୍ରଛାତ୍ରୀ ମାନେ ମହାଆଡମ୍ବରରେ ଓ ହସଖୁସିରେ ପାଳନ କରିଥାନ୍ତି‌ ଏବଂ ପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା କରି ଆଶୀର୍ବାଦ ନିଅନ୍ତି।

ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ଗାଧୋଇବା ମସୟରେ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କରିଥିଲେ ଏବଂ ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରି ଦେହମଳିରୁ ଗଠିତ ମୂର୍ତ୍ତିକୁ ଜୀବନ ଦାନ ଦେଇଥିଲେ । ପାର୍ବତୀ ଗୁମ୍ଫା ଭିତରେ ତପସ୍ୟା କରିବା ସମୟରେ ମାନସ ପୁତ୍ର ଶ୍ରୀଗଣଶଙ୍କୁ ଦ୍ୱାର ଜଗିବା ସହିତ ଗୁମ୍ଫା ଭିତରକୁ କାହାକୁ ପ୍ରବେଶ ନକରେଇବା ପାଇଁ ଆଦେଶ ଦେଇଥିଲେ । ପାର୍ବତୀଙ୍କୁ ଖୋଜି ଖୋଜି ଶିବଗଣ ଗୁମ୍ଫା ଭିତରକୁ ପ୍ରବେଶ କରିବା ନିମନ୍ତେ ଉଦ୍ଯମ କରିବାରୁ ଗଣେଶଙ୍କ ପ୍ରହାରରେ ଛତ୍ରଭଙ୍ଗ ଦେଇ ଶିବଙ୍କୁ ସମସ୍ତ କଥା କହିବାରୁ ଶିବ ନିଜେ ଆସିଲେ ଏବଂ ଗୁମ୍ଫା ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧରେ ଜର୍ଜରିତ ହୋଇ ଯୁଦ୍ଧ କରି ଗଣେଶଙ୍କ ଶିର ଚ୍ଛେଦନ କଲେ ।

ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ଦେବଗଣଙ୍କୁ ମହାଦେବ ଆଦେଶ ଦେଲେ ଉତ୍ତର ଦିଗକୁ ମୁଣ୍ଡ କରିଶୋଇଥିବା ନବଜାତ ଶିଶୁର ମସ୍ତକ ଆଣି ବାପାଇଁ । ଦେବଗଣ ମାନେ ମୁଣ୍ଡ ଖୋଜିବା ସମୟରେ ଦେଖିଲେ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିଲା ଗୋଟିଏ ନବଜାତ ହାତୀ ଛୁଆ । କାଳବିଳମ୍ବ ନକରି ଦେବଗଣ ହାତୀ ଛୁଆର ମୁଣ୍ଡକୁ କାଟି ଆଣି ମହାଦେବଙ୍କୁ ଦେଲେ ଏବଂ ମହାଦେବ ସେ ମୁଣ୍ଡଟିକୁ ପୁତ୍ରର ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଶ୍ରୀଗଣେଶ ମହାଦେବଙ୍କ ପ୍ରମଥ ଗଣର ସେନାପତି।ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ।ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ।ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ଗଣେଶଙ୍କ ଅନ୍ୟ କେତେକ ନାମ ହେଲା : ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ୱର, ବିଘ୍ନେଶ୍ୱର ଓ ଶୂର୍ପକର୍ଣ ଇତ୍ୟାଦି।ଗଣେଶ ଆଦିଦେବ ଭାବରେ ପରିଚିତ । ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ । ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ । ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ । ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ । କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତ‌ ଜନସାଧାରଣ ଙ୍କୁ‌ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜ୍ଞାନର ଦେବତା, ବିଘ୍ନନାସନ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ।

ଲେଖକ- ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର
ବି.ଏସସି, ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.