ଭାନପୁର ସୁବର୍ଣ୍ଣ ଜୟନ୍ତୀ ଦୁର୍ଗାପୁଜା ପାଇଁ ଭବ୍ୟ କଳସ ଯାତ୍ରା: ସାମିଲ ହେଲେ ୨୦୦୦ ରୁ ଉର୍ଦ୍ଧ୍ବ ମହିଳା ଭକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର(ବାଲିପଡା) ଦୁର୍ଗାପୂଜା ୫୦ ବର୍ଷରେ ପଦାର୍ପଣ କରିଛି । ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଅଞ୍ଚଳବାସୀ ସମସ୍ତେ ଲାଗି ପଡିଥିବା ବେଳେ ଆଜି ମହାଳୟା ଅମାବାସ୍ୟା ତିଥିରେ ଅନୁଷ୍ଠିତ ହୋଇଛି ନବରାତ୍ରୀ ଦୁର୍ଗା ପୂଜା ପାଇଁ ଭବ୍ୟ କଳସ ଯାତ୍ରା । କଳସ ଯାତ୍ରାରେ ୨୦୦୦ ରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇଥିବା ବେଳେ ଅଞ୍ଚଳବାସୀ ଆବାଳ ବୃଦ୍ଧ ବନିତା ଓ ଯୁବ ସମାଜ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଜୟଦୁର୍ଗା ପୂଜା କମିଟି ର ପ୍ରତ୍ୟକ୍ଷ ତତ୍ୱବାଧାନରେ ନବରାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେଉଛି । ଆଜି ଏନେଇ ଭାନପୁର ପୁଷ୍କରିଣୀରେ ପୂଜାପାଠ କଲାପରେ କଳସୀରେ ଜଳ ନେଇ ଭକ୍ତ ମଣ୍ଡଳୀ ଭବ୍ୟ ଶୋଭାଯାତ୍ରାରେ ଆସିଥିଲେ ବାଲିପଡା ସ୍ଥିତ ପୂଜା ମଣ୍ଡପକୁ। ପୂଜା କର୍ତ୍ତା ସବିତା ସାହୁ ଓ ଲୋଚନ ସାହୁ ଦମ୍ପତି ମୁଖ୍ୟ କଳସ ମୁଣ୍ଡେଇ କଳସ ଯାତ୍ରାର ସର୍ବାଗ୍ରେ ରହିଥିଲେ । କଳସ ଯାତ୍ରା ସମୟରେ ସଂକୀର୍ତ୍ତନ, ଡିଜେ, ଘୁମୁରା, ସିଂ ବଜାର ବାଦ୍ୟନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଭାନପୁର ଅଂଚଳ । ମୁଖ୍ୟ ପୂଜକ ଘନଶ୍ୟାମ ତ୍ରିପାଠୀ ମନ୍ତ୍ର ଉଚ୍ଚାରଣ କରି କଳସ ଯାତ୍ରାର ସର୍ବାଗ୍ରେ ଚାଲିଥିଲେ । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ନବରାତ୍ରୀ ପୂଜା ପାଇଁ ଭବ୍ୟ କାର୍ଯ୍ୟକ୍ରମ ସବୁ ଆୟୋଜନ କରିଛି ଜୟଦୁର୍ଗା ପୂଜା କମିଟି। ପୂଜା ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ ଓ ବିଲ୍ଵ ବରଣ ନୀତି ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିବର୍ଷ ଭାନପୁର(ବାଲିପଡା) ଦୁର୍ଗାପୂଜା ମାତ୍ର ତିନିଦିନ ପାଳିତ ହେଉଥିଲା । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ନବରାତ୍ରୀ ପୂଜା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ମା ଜଗଜ୍ଜନନୀ ଦୁର୍ଗାଙ୍କ ମୂର୍ତ୍ତି ସହିତ ପାର୍ଶ୍ଵ ଦେବତା ଭାବରେ ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ନିର୍ମିତ ହେଉଥିଲା । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଇଁ ଦୁର୍ଗା ମୂର୍ତ୍ତିଙ୍କ ସମେତ ୨୨ ଗୋଟି ପାର୍ଶ୍ଵ ଦେବାଦେବୀ ମୂର୍ତ୍ତି ନିର୍ମିତ ହୋଇଥିବା ଜଣାପଡିଛି । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପୂଜା କମିଟି ସହ ବାଲିପଡା ବଣିକ ସଂଘର ସହେଯାଗୀତାରେ ଅନୁଷ୍ଠିତ ହେଉଛି ସୁବର୍ଣ୍ଣ ଜୟନ୍ତୀ ସମାରୋହ । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପୂଜାର ଅଧ୍ୟକ୍ଷ ଭାବରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ଉପାଧ୍ୟକ୍ଷ ଭାବରେ ଭାନପୁରର ପୂର୍ବତନ ସମିତି ସଦସ୍ୟ ତପନ ପଧାନ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେହିଭଳି ଜୟଦୁର୍ଗା ପୂଜା କମିଟିର ସଭାପତି ଭାବରେ ଲୋଚନ ସାହୁ, ଉପସଭାପତି ଭାବରେ ରୋହିତ ସାହୁ, ସାଧାରଣ ସମ୍ପାଦକ ଭାବରେ କୁନ୍ତ ଭୋଇ, ସହସମ୍ପାଦକ ଭାବରେ ଜିତୁ ପଧାନ, ସୁରେନ୍ଦ୍ର ସାହୁ ଓ ସମରେନ୍ଦ୍ର ଭୋଇ(ବବ୍ଲୁ), ପୁଜା ସମ୍ପାଦକ ଭାବରେ ଅଶୋକ ବାରିକ, କୋଷାଧ୍ୟକ୍ଷ ଭାବରେ ଜୟସେନ ନାଏକ ପ୍ରମୁଖ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି । ପୁଜକ ପଣ୍ଡିତ ଭାବରେ ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ଓ ତାଙ୍କ ସହଯୋଗୀ ଶିବ ତ୍ରିପାଠୀ, ତରୁ ପାଢୀ ଓ ନିକୁଞ୍ଜ ପାଢୀ ଦାଇତ୍ୱରେ ରହିଛନ୍ତି । ପୂଜା ପରିଚାଳନା କମିଟି ଓ ବାଲିପଡା ବଣିକ ସଂଘର ସଦସ୍ୟ ବାଲାଜି, ଅମନ, ମାନସ, ବିଶ୍ୱ, ଆକାଶଙ୍କ ସମେତ ସମସ୍ତ ସଦସ୍ୟ ପୂଜାପାଇଁ ବ୍ୟବସ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ନବରାତ୍ରୀ ପୂଜା ପାଇଁ ଭୋଗ ପ୍ରସ୍ତୁତି ରେ ବିଜୟ ଖାଡଙ୍ଗା ଓ ନୀଳ ଖାଡଙ୍କା ରହିଥିବା ସୂଚନା ମିଳିଛି । ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏବର୍ଷ ଗୁଜୁରାଟର ପ୍ରସିଦ୍ଧ ସ୍ୱାମୀ ନାରାୟଣ ମନ୍ଦିର ( ଅକ୍ଷର ଧାମ) ସଦୃଶ ତୋରଣ ନିର୍ମାଣ କରାଯାଇଛି । ଖୁବ ଆକର୍ଷଣୀୟ ଲାଗୁଛି ତୋରଣ । ପୂଜା ଆରମ୍ଭ ଦିନରୁ ବିଜୟାଦଶମୀ ଯାଏଁ ୯ ଦିନ ବ୍ୟାପୀ ଭବ୍ୟ ମନୋରଞ୍ଜନର କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି ଜୟଦୁର୍ଗା ପୂଜା କମିଟି । ୧୬/୧୦ ସୋମବାର ଉଷାବତୀ ହରଣ ନାଟକ ରହିଥିବା ବେଳେ ୧୭/୧୦ ରିକି ବାଗଙ୍କ ଦଣ୍ଡନୃତ୍ୟ ରହିଛି । ସେହିଭଳି ୧୮/୧୦ ରେ ଶ୍ରୀକ୍ଷେତ୍ର ଭଜନ ସଂଧ୍ୟା , ୧୯/୧୦ ରେ ଚୁମକି ମେଲୋଡି, ୨୦/୧୦ ଶୁକ୍ରବାର ଚୁନି ବଗର୍ତ୍ତିଙ୍କ ଦଣ୍ଡନୃତ୍ୟ, ୨୧/୧୦ ଉମାକାନ୍ତ ବାରିକଙ୍କ ମେଲୋଡି, ୨୨/୧୦ କିଚକ ବଧ ନାଟକ ଓ ୨୩/୧୦ ସୋମବାର ରୁକୁସୁନା ମେଲୋଡି, ଓ ୨୪/୧୦ ମଙ୍ଗଳବାର ମିକ୍ସଚର ରାମଲୀଳା ଭଳି ଭବ୍ୟ ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.