ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଧରାବତରଣ କଲେ ଜଗତଜନନୀ। ଜଗତ ସୃଷ୍ଟିର ମୂଳକାରଣ ଶକ୍ତି : ପ୍ରକୃତି : ପ୍ରପଞ୍ଚ : ଜୀବ ଏବଂ ଜଡ଼ା ଶକ୍ତିର ବିନାଶ ନାହିଁ, ହ୍ରାସ ନାହିଁ କି ବୃଦ୍ଧି ନାହିଁ। ଏ ଜଗତ ଶକ୍ତିର ରୁପାନ୍ତର ମାତ୍ର। ଶକ୍ତିରୁ ସୃଷ୍ଟି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତଥା ଦେବ, ଦାନବ, ମାନବ ଇତ୍ୟାଦି ଜୀବ ଅଥବା ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ଜଳ ବା ମାଟି ଆଦି ଜଡ଼ ପରବର୍ତ୍ତି ସୃଷ୍ଟି। ଶକ୍ତି ଆଗ। ଶିବ ସହିତ ଶକ୍ତି ଯୁକ୍ତ ହେଲେ ସୃଷ୍ଟି ବା ଜୀବନ। ଶିବ ଶକ୍ତି ରହିତ ହେଲେ ଶବ ବା ଜଡ଼। ତେଣୁ ଏହି ତତ୍ତ୍ଵ ଆଧାରରେ ଆଦ୍ୟାଶକ୍ତି ରୂପେ ବୈଦିକ ଯୁଗରୁ ମା’ଙ୍କ ପୂଜା ହୋଇଆସୁଛି। ସୃଷ୍ଟି, ପାଳନ ଓ ବିନାଶ କାର୍ଯ୍ୟ ଏହି ଆଦ୍ୟାଶକ୍ତି ଦ୍ବାରା ହିଁ ସମ୍ଭବ। ସେହି ଏକମାତ୍ର ଏସବୁର କର୍ତ୍ତୀ। ସେ ହିଁ ତା’ର ଭଉଣୀ, ସ୍ତ୍ରୀ ଇତ୍ୟାଦି ରୂପରେ ଆମପାଖରେ ସଦା ବିଦ୍ୟମାନ। ତେଣୁ ନାରୀଟିଏ ମଧ୍ୟ ଦେବୀପରି ପୂଜ୍ୟା। ମନୁଷ୍ୟ ଜୀବନକୁ ଅଜ୍ଞାନରୂପୀ ଅନ୍ଧକାର ଘେରି ରହିଛି। ସେଥିରେ ଶାରୀରିକ ବିକାର, ମୋହ, ଅନ୍ଧକାର, ଆଳସ୍ୟ, ରାଗଦ୍ବେଷ, ଅହଂକାର ବାସନା ଭରି ରହିଛି। ସେହି ସମସ୍ତ ବାସନାକୁ ବିନାଶ କରିବା ପାଇଁ ଓ ଜୀବନରେ ଚେତନାରେ ପ୍ରାପ୍ତ କରିବା ପାଇଁ ଶାରଦୀୟ ଦୁର୍ଗା ପୂଜା ସର୍ବଶ୍ରେଷ୍ଠ ଅଟେ।