ପରିବାରବାଦକୁ ଆଗକୁ ବଢାଇବା କଂଗ୍ରେସ ଓ ବିଆରଏସର ଲକ୍ଷ୍ୟ -ଅମିତ ଶାହ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି ଯେ, କେସିଆର ତାଙ୍କ ପୁଅ କେଟିଆରଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଏବଂ ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଉଭୟ ପରିବାରବାଦକୁ ଆଗକୁ ବଢାଇବା ପାଇଁ ରାଜନୀତି କରୁଛନ୍ତି । ତେଲେଙ୍ଗାନାର ସୂର୍ଯ୍ୟପେଟରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ଶାହ ଦାବି କରିଛନ୍ତି ଯେ, ‘ଭାରତ ରାଷ୍ଟ୍ର ସମିତି (ବିଆରଏସ) କିମ୍ବା କଂଗ୍ରେସ ତେଲେଙ୍ଗାନା ପାଇଁ ଭଲ କାମ କରିପାରିବ ନାହିଁ । ତେଲେଙ୍ଗାନା ରାଜ୍ୟର ସାମଗ୍ରିକ ବିକାଶ ପାଇଁ କେବଳ ବିଜେପି ଭଲ କାମ କରିପାରିବ’ । ଅମିତ ଶାହ ଘୋଷଣା କରିଛନ୍ତି ଯେ, ଯଦି ତେଲେଙ୍ଗାନାରେ ବିଜେପି ସରକାର ଗଠନ ହୁଏ, ତେବେ ପଛୁଆ ବର୍ଗର ଜଣେ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ବାସ୍ତବରେ ସେ ଏହି ପ୍ରତିଶ୍ରୁତି ଦେଇଛନ୍ତି ଯେଉଁ ସମୟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ଜାତିଗତ ଜନଗଣନାର ଦାବି କରି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)କୁ ଉଲ୍ଲେଖ କରି ମୋଦୀ ସରକାରଙ୍କୁ ଘେରିଛନ୍ତି ।

ଅମିତ ଶାହ କହିଛନ୍ତି ଯେ, ‘ଯେଉଁଠି ବିଜେପିର ଲକ୍ଷ୍ୟ ଗରିବ କଲ୍ୟାଣ ଥିବାବେଳେ, କେସିଆର ଏବଂ କଂଗ୍ରେସର ଲକ୍ଷ୍ୟ ହେଉଛି ପରିବାର କଲ୍ୟାଣ । ପାରିବାର କଲ୍ୟାଣରେ ବିଶ୍ୱାସ କରୁଥିବା ଦଳ ତେଲେଙ୍ଗାନାକୁ ଆଗକୁ ନେଇପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେବଳ ବିଜେପି ତେଲେଙ୍ଗାନାକୁ ଆଗକୁ ନେଇପାରିବ’ । ନିକଟରେ କଂଗ୍ରେସ କାର୍ଯ୍ୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାହୁଲ ଗାନ୍ଧୀ କହିଥିଲେଯେ, ଆମର ଚାରି ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ତିନି ଜଣ ଓବିସି ବର୍ଗର । ଏଥି ସହିତ, ବିଜେପିର ୧୦ଜଣ ସିଏମଙ୍କ ମଧ୍ୟରୁ କେବଳ ଜଣେ ଓବିସି ସମ୍ପ୍ରଦାୟର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.