ଓଡ଼ିଆ ବାର୍ତ୍ତା/ କୋରାପୁଟ: କୋରାପୁଟ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୯ ରୁ ୧୧ ନଭେମ୍ବର ଯାଏଁ ତ୍ରି ଦିବସୀୟ ସ୍ବଳ୍ପ ମୂଲ୍ୟ ବିନା ମୂଲ୍ୟ ହାତ ତିଆରି ବିଜ୍ଞାନ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ କୋରାପୁଟ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବିଭିନ୍ନ ବ୍ଲକରୁ ଆସିଥିବା ବ୍ଲକ ଶିକ୍ଷା ଅଧିକାରୀଗଣ ଯୋଗଦାନ କରି କିଭଳି ଭାବେ ବିଜ୍ଞାନଶିକ୍ଷାକୁ ଆନନ୍ଦ ଦାୟକ କରିହେବ ତା’ ଉପରେ ଗୁରୁତ୍ୱ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ରୂପେ ଡଃ ଅମିତ ଜନା (କୋଲକାତା), ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଓ ଶ୍ରୀଯୁକ୍ତ ଅନିଲ କୁମାର ନନ୍ଦ ଯୋଗଦାନ ଦେଇ ବିଜ୍ଞାନକୁ କିଭଳି ସରଳ ଭାବରେ ବିଭିନ୍ନ ହାତ ତିଆରି ସ୍ୱଳ୍ପ ମୂଲ୍ୟ ଓ ବିନା ମୂଲ୍ୟ ଜିନିଷ ମାଧ୍ୟମରେ ବୁଝି ହେବ ଓ ମଜାଦାର ଶିକ୍ଷଣ କରିହେବ ତାହା ଉପରେ ତାଲିମ ପ୍ରଦାନ କରି ଥିଲେ। ପରିଦର୍ଶକ ଭାବେ ଅନୁମିତା ମଲ୍ଲିକ (କୋଲକାତା) ଯୋଗଦାନ କରି ଥିଲେ। ଏହି କାର୍ଯ୍ୟକ୍ରମ ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନ କ୍ଲବ, ସନ୍ତରାଗଡ଼ିଆ ବାଲେଶ୍ବର ଆନୁକୂଲ୍ୟରେ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଭାରତ ସରକାରଙ୍କ ସହାୟତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରି ଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲବର ମାନସ କୁମାର ରାଉଳ, ତପନ କୁମାର ଭୂୟାଁ, ସୁଶ୍ରୀ ସମୟା ନାୟକ ଓ ପ୍ରଦୋଶ ରଂଜନ ପାତ୍ର ସହଯୋଗ କରି ଥିଲେ। ଶ୍ରୀମତୀ ସ୍ମିତା ରାଉଳଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉପସ୍ଥିତ ଅଧିକାରୀ ଓ ପ୍ରତିଭାଗୀ ମାନେ ବର୍ତମାନର ଶିକ୍ଷଣ ପରିବେଶ ପାଇଁ ଏହା ନିହାତି ଜରୁରୀ ବୋଲି ମତାମତ ଦେଇଥିଲେ।