ଓଡ଼ିଆ ବାର୍ତ୍ତା/ କଲିକତା: ପଶ୍ଚିମବଙ୍ଗରେ ହତଚକିତ କଲାପରି ଏକ ମାମଲା ସାମ୍ନାକୁ ଆସିଛି । ଆଜି ସୋମବାର ରାଜ୍ୟର ଦକ୍ଷିଣ ୨୪ ପରଗନାରେ ତୃଣମୂଳ କଂଗ୍ରେସ ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଦିନ ଦ୍ବିପହରେ ହତ୍ୟା କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଏକ ନ୍ୟୁଜ ଚ୍ୟାନେଲକୁ ସୂଚନା ଦେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ନିଜ ଅପରାଧ ସ୍ୱୀକାର କରିଛନ୍ତି । ତେବେ ଜଏନଗର ଅଞ୍ଚଳରେ ଥିବା ବାମୁଁଗାଚିର ଟିଏମସି ଅଞ୍ଚଳର ଅଧ୍ୟକ୍ଷ ସୌଫୁଦ୍ଦିନ ଲସ୍କରଙ୍କୁ ତାଙ୍କ ଘର ପାଖେ ହିଁ ଗୁଳି କରି ହତ୍ୟା କରାଯାଇଛି ।ତେବେ କିଛି ଦିନ ପୂର୍ବରୁ ଲସ୍କରଙ୍କ ସମର୍ଥକମାନେ ଅଭିଯୁକ୍ତର ଆଉ ଏକ ସାଥୀକୁ ଧରି ତାକୁ ପିଟିପିଟି ହତ୍ୟା କରିଥିବା ସ୍ଥାନୀୟ ଲୋକ କହିଛନ୍ତି । ଲସ୍କରଙ୍କ ହତ୍ୟା ପଛରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସମର୍ଥକମାନେ ଥିବା ସ୍ଥାନୀୟ ଟିଏମସି ନେତାମାନେ ଅଭିଯୋଗ କରିଛନ୍ତ । ଅନ୍ୟପଟେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ର ସମର୍ଥକ ମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ଘଟଣା ପରେ ଲସ୍କରଙ୍କ ସମର୍ଥକ ମାନେ ତାଙ୍କ ଘର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି । ଘଟଣାରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ର କେନ୍ଦ୍ରୀୟ ସମିତି ସଦସ୍ୟ ସୁଜାନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଅଭିଯୁକ୍ତକୁ ଧରିବା ପାଇଁ ଓ ଘଟଣାର ପର୍ଦ୍ଦାଫାସ କରିବା ପାଇଁ ପୋଲିସକୁ ସଠିକ ଯାଞ୍ଚ ର ଆବଶ୍ୟକତା ରହିଛି । ସେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଟିଏମସି ମଧ୍ୟରେ ଆଭ୍ୟନ୍ତରୀଣ ମତଭେଦ ହେତୁ ସୈଫୁଦ୍ଦିନ ଲସ୍କରଙ୍କ ହତ୍ୟା ହୋଇଛି । ଏଥିପାଇଁ ଆମ ଦଳକୁ ଦାୟୀ କରିବାର କୌଣସି ଅର୍ଥ ନାହିଁ ।