କ୍ଷମତାର ଅପବ୍ୟବହାର ବିରୋଧରେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ: ପଦକ୍ଷେପ ନେବାକୁ ଏସପିଙ୍କୁ ଉଚ୍ଚନ୍ୟାୟାଳୟଙ୍କ ଆଦେଶ

ଓଡ଼ିଆ ବାର୍ତ୍ତା/ ବୁର୍ଲା: ବୁର୍ଲା ସହରରେ ରାସ୍ତା ପ୍ରଶସ୍ତିକରଣ ନାମରେ ବ୍ୟାପକ ଘର ଓ ଦୋକାନ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି l ବିନା ନୋଟିସରେ ଏବଂ ପୂର୍ବ ସୂଚନା ନ ଦେଇ ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ବେଆଇନ୍ ଉଛେଦ ପ୍ରକ୍ରିୟା ଯୋଗୁଁ ଲୋକେ ନିଜର ଜିନିଷ ପତ୍ର ବାହାର୍ କରିବାକୁ ବି ସକ୍ଷମ ହୋଇ ନ ଥିଲେ l ଉଛେଦ ସମୟରେ ଏନଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି ଏବଂ ତାଙ୍କ ସହିତ ଅନ୍ୟ ସହଯୋଗୀ ବୁର୍ଲା ଗୋପବନ୍ଧୁ ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି ବସବାସ କରୁଥିବା ଡଃ ମମତା ଶୁକ୍ଲାଙ୍କ ଘରକୁ ବଳ ପୂର୍ବକ ପଶି ତାଙ୍କୁ ଟାଣି ଟାଣି ଦୁର୍ବ୍ୟବହାର କରିବା ସହିତ ବାହାର କରିଦେଇଥିବା, ଘର ଭାଙ୍ଗିବା, ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷର କ୍ଷତି କରିବା ପରି ସାଂଘାତିକ ଅଭିଯୋଗ ନେଇ ବୁର୍ଲା ପୋଲିସର ଦ୍ୱାରସ୍ଥ ହୋଇଥିଲେ, ମାତ୍ର ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଡଃ ଶୁକ୍ଲା ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ l ମାନ୍ୟବର ଉଚ୍ଚନ୍ୟାୟାଳୟ କେସ ନଂ ୧୯୫୭ /୨୩ ଅନୁସାରେ ଏହା ଏକ ସାଂଘାତିକ ଅପରାଧ ବୋଲି ବିବେଚନା କରି AIR 2014 SC 187 ଆଧାରରେ ୪ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ବୁର୍ଲା ସହରରେ ସରକାରୀ ଜମିରେ ରହି ଆସୁଥିବା ବହୁତ ପରିବାରଙ୍କ ଜାଗା ବନ୍ଦୋବସ୍ତ ଆଇନ୍ ମୁତାବକ ୧୯୮୨ ମସିହାରୁ ଅନ୍ତର୍ଭୁକ୍ତ ହୋଇ ପ୍ରାଥମିକ ରେକର୍ଡ଼ ଅଫ୍ ରାଇଟ୍ସ ମଧ୍ଯ ପ୍ରଦାନ କରାଯାଇଛି l ଡଃ ମମତା ଶୁକ୍ଲା ରହୁଥିବା ତାଙ୍କ ପରିବାରକୁ ୧୯୮୨ରୁ ସମସ୍ତ କାଗଜପତ୍ର ବନ୍ଦୋବସ୍ତ ଆଇନ୍ ମୁତାବକ ମିଳି ସାରିଛି l ୧୯୭୪ ମସିହାରେ ବୁର୍ଲା ହୀରାକୁଦ ନଦୀବନ୍ଧ ଯୋଜନା କର୍ତ୍ତୃପକ୍ଷ ମଧ୍ୟ ରହି ଆସୁଥିବା ପ୍ଲଟକୁ ପାଢୀ ପରିବାର ନାମରେ କରିବାକୁ ତହସିଲଦାରକୁ ଲେଖିଛନ୍ତି l ଜିଲ୍ଲା ରେକର୍ଡ କୋଠିରେ ସମସ୍ତ ତଥ୍ଯ ରହିଥିବା ବେଳେ ପଟ୍ଟା ଦେବା ବଦଳରେ ବିନା ନୋଟିସରେ ବିନା ଶୁଣାଣି କରି କିମ୍ବା ଉପଯୁକ୍ତ ଥଇଥାନ କରା ନ ଯାଇ ଇଂରେଜ ଶାସନ ଭଲି ଘର ଭାଙ୍ଗିବା କିମ୍ବା ଉଛେଦ କରିବା ଠିକ୍ ନୁହେଁ l ଲୋକଙ୍କୁ ବେଘର କରି ଦେଇଥିବା ଅଭିଯୋଗ ହୋଇଛି l ଲୋକଙ୍କୁ ଉଛେଦ ନାମରେ ନିର୍ଯାତନା ଦିଆଯାଇଛି l ବର୍ତ୍ତମାନ ସୁଦ୍ଧା ଲୋକଙ୍କ ଦୁର୍ଦ୍ଦଶା ବୁଝିବାକୁ ନାହାଁନ୍ତି କେହି l ବର୍ତ୍ତମାନ ଗାଣତାନ୍ତ୍ରିକ ଦେଶରେ ପ୍ରଶାସନ ସମସ୍ତ ନିୟମକୁ ଉଲ୍ଲଂଘନ କରି ଅଚାନକ ବଳ ପୂର୍ବକ ବାହାର କରି ଘର ଜିନିଷ ପତ୍ର ସହିତ ଧ୍ଵଂସ ଲୀଳା ଗତ ୧୧ ଅଗଷ୍ଟରୁ ୧୪ ଅକ୍ଟୋବର ପର୍ଯ୍ଯନ୍ତ ପର୍ଯ୍ୟାୟ ଭିତ୍ତିରେ ରଚି ଥିଲା ବୋଲି ଅଭିଯୋଗ ହେଉଛି l ସମସ୍ତ ଅଭିଯୋଗ ଏବଂ ତଥ୍ଯକୁ ଆଧାର କରି ଡଃ ଶୁକ୍ଲାଙ୍କ ଅଭିଯୋଗ ଅତ୍ଯନ୍ତ ସଙ୍ଗୀନ ଅପରାଧ ଅନ୍ତର୍ଭୂକ୍ତ କରି ଚାରି ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ଏସପିଙ୍କୁ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.