କାହ୍ନୁ ଭୋଇ ରଚିଲେ ନୂଆ ଇତିହାସ: କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ଧରି ରଖିଲେ ୩ ଘଣ୍ଟା ୧୭ ମିନିଟ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଗୋଟିଏ ପଟେ ଚାଲିଛି ଭାରତ-ଅଷ୍ଟ୍ରେଲିଆ ବିଶ୍ଵକପ କ୍ରିକେଟର ଫାଇନାଲ ମ୍ୟାଚ। ଆଜି ଫାଇନାଲ ଖେଳରେ ଭାରତର ସଫଳତା ନିଶ୍ଚିତ ନେଇ ଦେଶବାସୀ ପ୍ରାର୍ଥନା କରୁଛନ୍ତି। ଏହି ଦିବସରେ ଟିଟିଲାଗଡ଼ ଠାରେ କ୍ରିକେଟ ବ୍ୟାଟକୁ ନେଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହେବା ଉତ୍ସାହ ସୃଷ୍ଟି କରିଛି। ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଯୁବ ପ୍ରତିଭା କାହ୍ନୁ ଭୋଇ ଗୋଟିଏ ଆଙ୍ଗୁଠିରେ କ୍ରିକେଟ ବ୍ୟାଟକୁ ସନ୍ତୁଳନର ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ରାଜସ୍ଥାନ ରାଜ୍ୟ ସିକାରର ଆର୍ଯ୍ୟନ ଶର୍ମା ୧ ଘଣ୍ଟା ୧୬ ମିନିଟ ୧୯ ସେକେଣ୍ଡ ସମୟ ଧରି କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ସନ୍ତୁଳନ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ। ହେଲେ ଟିଟିଲାଗଡ଼ର କାହ୍ନୁ ଭୋଇ ୩ ଘଣ୍ଟା ୧୭ ମିନିଟର ଦୀର୍ଘ ସମୟ ଧରି ରେକର୍ଡ ସୃଷ୍ଟି କରିଛନ୍ତି। ଯୁବକ କାହ୍ନୁ ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ଅଧିକୃତ ନିୟମ ଅନୁଯାୟୀ ରେଫରି ଧୂଵଲେଶ୍ୱର ଦଳବେହେରା, ରାଜେଶ ସ୍ୱାଇଁ, ଦିଲୀପ ତ୍ରିପାଠୀ, ଜିତେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ରଚିଛନ୍ତି। କାହ୍ନୁଙ୍କ ଏହି ରେକର୍ଡର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିବା ବେଳେ ଏହାକୁ ସ୍ୱୀକୃତି ପାଇଁ ଗିନିଜ ବୁକ ଅଫ ରେକର୍ଡକୁ ପଠାଯିବ ବୋଲି ରେଫରି ପ୍ୟାନେଲ ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ କରାଟେ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ଆଇନଜୀବୀ ବୀରେନ୍ଦ୍ର ବାଗ, ସମ୍ପାଦକ କେଦାର କବାଟ, ବଲାଙ୍ଗିର ଜିଲ୍ଲା ଜୋଡୋ ଏସୋସିଏସନର ସଭାପତି ଦେବେନ୍ଦ୍ର ଜୈନ, ଆଦିବାସୀ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସଞ୍ଜୟ ବେହେରା, ପ୍ରଫୁଲ୍ଲ ପ୍ରଧାନୀ, ଦେବସିଂ ମାଝୀ, ପ୍ରେମ ବଗର୍ତି, ରୋସନ ଶୁଭ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ବରିଷ୍ଠ ଆଇନଜୀବୀ କମ୍ବୁପାଣି ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନବୀନ ଜୈନ ଯୋଗଦେଇ ଉଦୀୟମାନ ଯୁବ ପ୍ରତିଭା କାହ୍ନୁ ଭୋଇଙ୍କୁ ସମ୍ମାନୀତ କରିଥିଲେ। ପରେ ବିଭିନ୍ନ ଅନୁଷ୍ଠାନ ତରଫରୁ କାହ୍ନୁ କୁ ପୁଷ୍ପଗୁଚ୍ଛ, ଫୁଲ ତୋଡ଼ା ଦେଇ ଅବିନନ୍ଦନ ଜଣାଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, କାହ୍ନୂ ଧାରଣ କରିଥିବା କ୍ରିକେଟ ବ୍ୟାକରଣ ଲମ୍ବ ୯୦ ସେମି ଓ ଓଜନ ୧.୫୨ କେଜି ରହିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.