ନାହିଁ ନାହିଁରେ ଚାଲିଛି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର
ନର୍ଲା ମେଡିକାଲର ୩ ଡାକ୍ତରଙ୍କୁ ଡେପୁଟେସନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ତିନିଜଣ ଡାକ୍ତରଙ୍କୁ ସିଡିଏମ୍ଓ ଡେପୁଟେସନରେ ଅନ୍ୟତ୍ର ନେଇ ଯାଇଥିବା ବିଷୟକୁ ନେଇ ନର୍ଲା ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନର୍ଲାବାସୀଙ୍କ ପ୍ରତି କାହିଁକି ଏଭଳି ବୈମାତୃକ ମନୋଭାବ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନର୍ଲା ୨୬ ଗୋଟି ଗ୍ରାମ ପଞ୍ଚାୟତ ବିଶିଷ୍ଟ ଏକ ବଡ ବ୍ଲକ୍ ହୋଇଥିବା ବେଳେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୧୯ ଗୋଟି ଉପସ୍ୱାସ୍ଥ୍ୟ କେନ୍ଦ୍ର । ରୁପ୍ରା, ରୁପ୍ରାରୋଡ, ଉଲିକୁପା ଓ ପଲମ୍ ଏହି ୪ ଗୋଟି ସ୍ଥାନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ କେବଳ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାଡିଦେଲେ ବାକି ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେବ ଡାକ୍ତର ନାହାନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି ଘୋଷଣା କରିସାରିଥିବା ବେଳେ ଡାକ୍ତର ନଥିବା ଯୋଗୁଁ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡି ରହିଛି ରୁପ୍ରାରୋଡ, ରୁପ୍ରା ଓ ଉଲିକୁପା ସ୍ୱାସ୍ଥ୍ୟ କେନ୍ଦ୍ର । କେବଳ ଜଣେ ଜଣେ ଫାର୍ମାଶିଷ୍ଟ ଭରଷାରେ ଚାଲିଛି ଉପରୋକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ । ଅନ୍ୟପକ୍ଷେ ନର୍ଲା ସ୍ୱାସ୍ଥ୍ୟ ସେବାର ଏଭଳି ଦୟନୀୟ ପରିସ୍ଥିତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିଚିତ୍ର ନୀତି କୁ ଦେଖିଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର କରୁଣ ପରିଣତି ବେଶ ଅନୁମେୟ । ନର୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଯୋଗୁଁ ଗୁଣବତ୍ତା ସ୍ୱାସ୍ଥ୍ୟ ସେବାରୁ ବିଚ୍ୟୁତ ନର୍ଲା ସ୍ୱାସ୍ଥ୍ୟ ବିଭାଗ। ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଡାକ୍ତର( ବିଶେଷଜ୍ଞ ଡାକ୍ତର ୪ ଜଣ ଓ ଏମବିବିଏସ ଡାକ୍ତର ୪ ଜଣ, ଦାନ୍ତ ବିଶେଷଜ୍ଞ ଡାକ୍ତର ଜଣେ) ରହିବାର ପ୍ରାବଧାନ ରହିଥିବା ବେଳେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ମାତ୍ର ୪ ଜଣ ଡାକ୍ତର । ତିନିଜଣ ଏଲୋପେଥିକ ଏବଂ ଜଣେ ଆୟୁଷ ଡାକ୍ତର । ନର୍ଲା ମୁଖ୍ୟ ଡାକ୍ତରଖାନାରେ ଏବେ ୫ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ଲାଞ୍ଜିଗଡ଼ ରୁ ଡେପୁଟେସନ ରେ ଆସିଥିବା ଡାକ୍ତର ଅକ୍ଷୟ କୁମାର ଗୋଛାୟତ ମୁଖ୍ୟ ଡାକ୍ତର ଭାବ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦାଇତ୍ୱ ନିର୍ବାହନ କରୁଛନ୍ତି । ୪ ଜଣଙ୍କ ମଧ୍ୟରୁ ୨ ଜଣ ଡାକ୍ତର ବିଶ୍ଵଜିତ ମହନ୍ତ ଓ କୁନାଳ ସାହୁ ଚୁକ୍ତି ଭିତ୍ତିକ ଡାକ୍ତର ରହିଛନ୍ତି। ସେମାନେ କେତେବେଳେ ଯେ ଚାଲିଯିବେ ତାହା କହିହେବ ନାହିଁ । ଅନ୍ୟପକ୍ଷେ ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । ଅର୍ଥାତ ନର୍ଲାରେ ମୋଟ ୧୩ ଜଣ ଡାକ୍ତର ରହିବା କଥା ହେଲେ ବର୍ତ୍ତମାନ ରହିିଛନ୍ତି ମାତ୍ର ୫ ଜଣ ଡାକ୍ତର ଏବଂ ୮ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ନର୍ଲାରେ ଡାକ୍ତର ପଦବୀ କାଗଜ କଲମରେ ପୂର୍ଣ୍ଣ ହୋଇ ରହିଛି । ହେଲେ ନର୍ଲାର ଡାକ୍ତର ଡ଼ ସନତ କୁମାର ଶତପଥୀ, ଡ଼ ବିନୟ କୁମାର ଜୈନ, ରାଜା ଜୈନ, ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ଼ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉଚ୍ଚ ଶିକ୍ଷା(ପିଜି) କରିବା ନିମନ୍ତେ ୩ ବର୍ଷ ପାଇଁ ଛୁ । ନର୍ଲା ର ଡାକ୍ତର ଡ଼ ଲୋକନାଥ ସାହୁଙ୍କୁ ମ. ରାମପୁର ଡେପୁଟେସନରେ ନେଇଛନ୍ତି ସିଡିଏମଓ । ଲୋକନାଥ ସାହୁ ନର୍ଲା ଡାକ୍ତର ଭାବରେ ନର୍ଲା ଡାକ୍ତରଖାନାରୁ ଦରମା ପାଉଛନ୍ତି । ସେହିଭଳି ନର୍ଲାରେ ପୋଷ୍ଟିଂ ପାଇଥିବା ଡ.ସଞ୍ଜୟ ସିକ୍କା ନର୍ଲା ଡାକ୍ତର ଭାବରେ ପୋଷ୍ଟିଂ କିନ୍ତୁ ଡେପୁଟେସନରେ ତାଙ୍କୁ ଗୋଲାମୁଣ୍ଡା ନିଆଯାଇଛି । ଡ.ସିକ୍କା ନର୍ଲାରୁ ଦରମା ପାଉଛନ୍ତି । ଆଉ ଡ଼ ସଞ୍ଜୟ ସିକ୍କାଙ୍କୁ ଜୁନାଗଡ଼ ବିଧ୍ୟାୟକ କ୍ୟାପଟେନ ମିଶ୍ର ଶକ୍ତି ଲଗେଇ ଗୋଲାମୁଣ୍ଡା ଟାଣି ନେଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ ଜଣ ଷ୍ଟାଫ ନର୍ସ ରହିବା ସ୍ଥଳେ ଜଣେ ମାତ୍ର ଷ୍ଟାଫ ନର୍ସ ପଙ୍କଜିନୀ ସାହୁ କାମ କରୁଛନ୍ତି। ନର୍ଲା ଡାକ୍ତରଖାନା ଭବନ ସବୁରେ ଉନ୍ନତି ଆସିଛି । ଆଉ ନର୍ଲା ଡାକ୍ତରଖାନାର ଉତ୍ତମ ପ୍ରଦର୍ଶନ ଯୋଗୁଁ ୨୦୧୮/୧୯, ୨୦୧୯/୨୦, ୨୦୨୦/୨୧ ତିନିବର୍ଷ ଧରି କାୟାକଳ୍ପ ପୁରସ୍କାର ପାଇସାରିଛି । ହେଲେ ବଡ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ନର୍ଲା ଡାକ୍ତରଖାନାରେ ଡାକ୍ତର ସମସ୍ୟା ସବୁଦିନେ ଲାଗିରହିଛି । ନର୍ଲାରେ ଡାକ୍ତର ଥାଇ ବି ଡାକ୍ତର ନାହାନ୍ତି । ନର୍ଲା ଡାକ୍ତରଙ୍କୁ ଡେପୁଟେସନ ରେ ଅନ୍ୟତ୍ର ନିଆ ଯାଇଛି । ନର୍ଲା ଡାକ୍ତରଖାନା ରେ ଡାକ୍ତର ଅଭାବି ସମସ୍ୟା କେବେ ପୁରଣ ହେବ ତାହା ଭଗବାନ ଜାଣନ୍ତି । ମ. ରାମପୁର ଡାକ୍ତରଖାନା ୫ଟି ରେ ସାମିଲ ହୋଇ ନବୀକରଣ ହେଲା। କିନ୍ତୁ ନର୍ଲା ଡାକ୍ତରଖାନା ୫ଟି ରେ ସାମିଲ ହୋଇ ପାରୁନି। ନର୍ଲା ଡାକ୍ତରଖାନାର ନବୀକରଣ ପ୍ରତି ସିଡିଏମଓଙ୍କ ଆନ୍ତରିକ ଇଚ୍ଛାର ଅଭାବ ରହୁଛି କି ସ୍ଥାନୀୟ ବିଧାୟକଙ୍କ ନର୍ଲା ପ୍ରତି ବୈମାତୃକ ମନୋଭାବ ରହିଛି ତାହା ବୁଝି ହେଉନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ନର୍ଲାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ପାଇଁ ନର୍ଲାବାସୀ ବିଧାୟକଙ୍କୁ ବାରମ୍ବାର ଅନୁରୋଧ କରିକି ଥକି ପଡିଲେଣି । ଶବ ବ୍ୟବଚ୍ଛେଦ ପାଇଁ ଲୋକେ ଭବାନୀପାଟଣା ୩୦ କିମି କିମ୍ବା ମ.ରାମପୁର ୨୬ କିମି ଯିବାକୁ ପଡିଥାଏ। ଦୀର୍ଘ ବର୍ଷରୁ ଏଠାକାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଅନେକ ହଇରାଣ ହରକତ ହେଉଥିବା ବେଳେ ଏଠାକାର ନେତା ମନ୍ତ୍ରୀ ଓ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି। ନର୍ଲା ଡାକ୍ତଖାନାର ଏଭଳି ଅବ୍ୟବସ୍ଥାକୁ ଦେଖି ନାହିଁ ନାହିରେ ଚାଲୁଛି ନର୍ଲା ଡାକ୍ତରଖାନା ବୋଲି ଲୋକେ କଟାକ୍ଷ କରୁଥିବା ଶୁଣିବାକୁ ମିଳୁଛି।